ବୃହତ ପାନୀୟ ପ୍ରକଳ୍ପ କୁ ମଞ୍ଜୁରୀ ନ ଦେବା ନିମନ୍ତେ ଦାବୀ ..
ଖୋର୍ଦ୍ଧା– (ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଶିଳ୍ପଞ୍ଚଳ ରେ ପ୍ରାୟ ପଚାଶ ରୁ ଉର୍ଦ୍ଧ୍ୱ ଶିଳ୍ପାଅନୁଷ୍ଠାନ ଗଢି ଉଠିଛି l ବିଭିନ୍ନ ଶିଳ୍ପ ରୁ ନିର୍ଗତ ହେଉଥିବା ପ୍ରଦ୍ୟୁଷିତ ବାୟୁ ଓ ଜଳ ଦ୍ୱାରା ଖୋର୍ଦ୍ଧା ଅଞ୍ଚଳବାସୀ ଆକ୍ରାନ୍ତ ହେଉଛନ୍ତି l ଏଠି ଅନେକ ଶିଳ୍ପାଞ୍ଚଳ ଗଢି ଉଠିଥିଲେ ମଧ୍ୟ ସ୍ଥାନୀୟ ବେକାର ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯାଉନାହିଁ l ଖୋର୍ଦ୍ଧା ଅଞ୍ଚଳର ଜମି, ପାଣି, ପବନ ବ୍ୟବହାର କରି ଶିଳ୍ପାନୁଷ୍ଠାନ ଗୁଡିକ ମୁନାଫା କମାଉଥିବାବେଳେ ଅଞ୍ଚଳ ଓ ଅଞ୍ଚଳବାସୀ ମାନେ ଯୋଉ ଗରିବ କୁ ସେଇ ଗରିବ ହୋଇ ରରହିଯାଇଛନ୍ତି l ଖୋର୍ଦ୍ଧା ଅଞ୍ଚଳ ର ସବୁଠାରୁ ବଡ଼ ସମସ୍ୟା ହେଉଛି ପାନୀୟଜଳ l ଏହାର ପ୍ରମୁଖ କାରଣ ହେଉଛି ଖୋର୍ଦ୍ଧା ଅଞ୍ଚଳ ରେ ଅନେକ ପାନୀୟ ପ୍ରକଳ୍ପ ଗଢି ଉଠିଛି l ସେହି ପାନୀୟ ପ୍ରକଳ୍ପ ଗୁଡିକ ଗଭୀର ବୋରିଂ କରି ଜଳ ବ୍ୟବହାର କରିବା ଦ୍ୱାରା ଭୁତଳ ଜଳସ୍ତର ହ୍ରାସ ପାଉଛି l ଜଳ ର ଆବଶ୍ୟକତା ମେଣ୍ଟାଇବା ପାଇଁ ଶିଳ୍ପାନୁଷ୍ଠାନ ଗୁଡିକ ଖୋର୍ଦ୍ଧା ସହର ଏବଂ ଏହାର ଆଖ ପାଖ ଅଞ୍ଚଳ ରେ ଥିବା ପୋଖରୀ, କୂପ ଓ ଚୁଆ ତଥା ଜଳାଶୟ ଗୁଡିକରୁ ପାଣି ନେଇ ବ୍ୟବହାର କରୁଛନ୍ତି l ଯାହାଫଳରେ ଜମିର ଆଦ୍ରତା କମିଯିବାରୁ ଚାଷ ଜମି ଗୁଡିକରୁ ପାଣି ନ ରହିବାରୁ ଶୁଖି ଯାଉଛି l ସ୍ଥାନୀୟ ଅଞ୍ଚଳ ର ବେକାର ଯୁବକ, ଯୁବତୀ ଙ୍କୁ ଶିଳ୍ପାନୁଷ୍ଠାନ ଗୁଡିକ ନିଯୁକ୍ତି ଦିଆ ନ ଯିବାରୁ ସେମାନେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି l ୱାଟକୋ ପକ୍ଷରୁ ଚବିଶ ଘଣ୍ଟିଆ ଜଳ ଯୋଗାଣ ସ୍ଲୋଗାନ ଏକ ପ୍ରହସନ ପାଲଟିଛି l ପାଣି ପାଇଁ ସ୍ଥାନୀୟ ଅଧିବାସୀ ନାହିଁ ନଥିବା ହନ୍ତସନ୍ତ ହେଉଥିବାବେଳେ ସରକାର ପୁଣି ଦୁଇଟି ବୃହତ ପାନୀୟ ପ୍ରକଳ୍ପ କୁ ସିଙ୍ଗିଲ ଉଇଣ୍ଡୋ କର୍ତ୍ତୃପକ୍ଷ ମଞ୍ଜୁରୀ ପ୍ରଦାନ କରିଛନ୍ତି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ଦେଖାଦେଇଛି l ସ୍ଥାନୀୟ ଅଞ୍ଚଳବାସୀ ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କୁ ବିରୋଧ କରୁନଥିବାବେଳେ ପାନୀୟ ପ୍ରକଳ୍ପ ନକରିବାକୁ ଅନୁରୋଧ କରିଛନ୍ତି l କୌଣସି ଗ୍ରାମସଭା କିମ୍ବା ଜନ ଶୁଣାଣି ଓ ସାମାଜିକ, ଆର୍ଥିକ ସର୍ବେକ୍ଷଣ ବିନା କିପରି ଦୁଇ, ଦୁଇଟି ପାନୀୟ ପ୍ରକଳ୍ପ କୁ ମଞ୍ଜୁରୀ ପ୍ରଦାନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ l ଯଦି ଅଞ୍ଚଳବାସୀ ଙ୍କ ସ୍ୱାର୍ଥ କୁ ଉପେକ୍ଷାକରି ସରକାର ଏଠି ପାନୀୟ ପ୍ରକଳ୍ପ କରାନ୍ତି ତେବେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନ କୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l ଏ ସମ୍ପର୍କ ରେ ଏକ ପ୍ରତିନିଧିମଣ୍ଡଳୀ କଂଗ୍ରେସ ନେତ୍ରୀ ସୋନାଲି ସାହୁ ଙ୍କ ନେତୃତ୍ୱ ରେ ଖୋର୍ଦ୍ଧା ଜ଼ିଲ୍ଲାପାଳ ଙ୍କୁ ଭେଟି ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l