August 12, 2026

କାଶୀନଗର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ : ବିଭିନ୍ନ ସମସ୍ୟା ଉପରେ ଆଲୋଚନା

IMG-20260812-WA0045
Share

 

ଗଜପତି ଜିଲ୍ଲା କାଶୀନଗର ଠାରେ ବ୍ଲକ କାର୍ଯ୍ୟାଳୟର ସଦଭାବନା ଗୃହରେ ପଞ୍ଚାୟତ ସମିତିର ଚତୁର୍ଦ୍ଦଶ ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବିଡିଓ ଡମ୍ବୁରୁ ଧର ମଲ୍ଲିକ’ଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ଓ ସମସ୍ୟା ସମ୍ପର୍କରେ ସମୀକ୍ଷା କରା ଯାଇଥିଲା।

ବୈଠକରେ ସ୍ଥାନୀୟ ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇ ବିଭିନ୍ନ ପଞ୍ଚାୟତର ସମସ୍ୟା ଓ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। କାଶୀନଗର ଅଞ୍ଚଳର ଚାଷୀମାନଙ୍କ ପାଇଁ ରହିଥିବା ବିଭିନ୍ନ କୃଷି ଯୋଜନା ସମ୍ପର୍କରେ କୃଷି ଅଧିକାରୀ ସୂଚନା ପ୍ରଦାନ କରିଥିଲେ।

ଶିଆଳି ସରପଞ୍ଚ ରାମ ପ୍ରସାଦ ପଟ୍ଟନାୟକ ଚାଷୀଙ୍କ ସାର ଯୋଗାଣ, ଫାର୍ମର୍ ରେଜିଷ୍ଟ୍ରେସନ, ଇ-କେୱାଇସି, ଜଳସେଚନ ଏବଂ ଧାନ କ୍ରୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦାବି ଉଠାଇଥିଲେ। ଏଥିସହ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରେସନାଲାଇଜେସନ ପ୍ରକ୍ରିୟା ସଠିକ ଭାବେ କରାଯିବା ଆବଶ୍ୟକ ବୋଲି ସରପଞ୍ଚ ମାନେ ବାଇଥକ୍ରେ ନିଜ ନିଜର ମତ ଦେଇଥିଲେ।

ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ସହ ନୂତନ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଦାବି ହୋଇଥିଲା। ହାଡୁଭାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରକୁ ରାସ୍ତା ନିର୍ମାଣ ଏବଂ ରାସ୍ତା ପାର୍ଶ୍ୱରେ ଜମା ହୋଇଥିବା ଅଳିଆ ଆବର୍ଜନା ସଫା କରିବା ନେଇ ନିଷ୍ପତ୍ତି ହୋଇଥିଲା।

ବିଡିଓ ଡମ୍ବୁରୁଧର ମଲ୍ଲିକ ସୂଚନା ଦେଇଥିଲେ ଯେ , କାଶୀନଗର ପଞ୍ଚାୟତ ସମିତି ଅଧୀନରେ ପ୍ରାୟ ୨ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ୧୭ଟି ପ୍ରକଳ୍ପ ରହିଛି। ତେବେ ନିଜ ନିଜ ପଞ୍ଚାୟତର ଭିତ୍ତିଭୂମି ବିକାଶ ପାଇଁ ପୂର୍ବରୁ ଅଟକଳ କରି ଦିଆଯାଇଥିବା କିଛି ପ୍ରକଳ୍ପ ତାଲିକାରେ ନ ଥିବା ନେଇ ସରପଞ୍ଚ ଓ ସମିତି ସଭ୍ୟମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଖାରଡ଼ା ସରପଞ୍ଚ ଅଖିଳ ପାତ୍ର, ବୁଦୁରା ସମିତି ସଭ୍ୟ ବାବୁ ରାଓ ଏବଂ ଖାଣ୍ଡବା ସମିତି ସଭ୍ୟ ଜଗନ୍ନାଥ ଦୋରା ନିଜ ନିଜ ପଞ୍ଚାୟତର ସମସ୍ୟା ଗୁଡ଼ିକ ଉପରେ ଉପସ୍ଥାପନ କରିଥିଲେ।

ଏଥିସହ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପ୍ରାଣୀ ସମ୍ପଦ, ଶିକ୍ଷା, ବନ, ବିଦ୍ୟୁତ ଆଦି ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ।

କାଶୀନଗର ବ୍ଲକରେ ରବି ଋତୁର ଫସଲ ସହ କପା ଓ ମକା ଉତ୍ପାଦନ ଭଲ ହେଉଥିବାରୁ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ଖୋଲିବାକୁ ସମସ୍ତ ସରପଞ୍ଚ ଦାବି କରିଥିଲେ। ଏହାସହ ଆୟୁଷ୍ମାନ କାର୍ଡ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଏବଂ ଅଙ୍ଗନବାଡି ଗୃହ ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଏହି ନବୈଠକ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବ୍ଲକ ଉପାଧ୍ୟକ୍ଷା ଏସ୍. କଲ୍ୟାଣୀ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ତ୍ରିପାଠୀ, ସିଡିପିଓ କେ. କୋଟେଶ୍ୱରୀଙ୍କ ସମେତ ବିଭିନ୍ନ ବିଭାଗର ଲାଇନ୍ ଅଧିକାରୀ, ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————–