ଅବହେଳିତ ଗାଁ କାଳିଆଗୁଡା।
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଘାଟଗୁଡ଼ା ପଂଚାୟତ ଅଧିନସ୍ଥ କାଳିଆଗୁଡା ଗ୍ରାମ ସମ୍ପୂର୍ଣ ଅବହେଳିତ ଅବସ୍ଥାରେ ଅଛି। ଏହି ଗ୍ରାମଟୀ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। କାଳିଆଗୁଡା ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ। ଏହି ଗ୍ରାମର ମୁଖ୍ୟ ସମସ୍ୟା ହେଲା ରାସ୍ତା ଓ ପରିମଳ ବ୍ୟବସ୍ଥା। ଏହି ଗ୍ରାମରୁ ପୁଞ୍ଜିଗୁଡା ଗ୍ରାମକୁ ଯାଇଥିବା ରାସ୍ତା, କାଁଗୁମାଝୀଗୁଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ତଥା ମିଞ୍ଜିରିଆଗୁଡା ଦେଇ ପାତ୍ରଗୁଡା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବିଡମ୍ବନାର ବିଷୟ ହେଲା ସ୍ଥାନୀୟ ପ୍ରଶାସନର ଅପାରଗତ ଯୋଗୁଁ ଆଜିପର୍ଯ୍ୟନ୍ତ ଏହି ରାସ୍ତା ଗୁଡିକ ଭଲ ଭାବରେ ତିଆରି ହୋଇପାରିନାହିଁ।ଗତ ବର୍ଷେ ତଳେ ବହୁ ଦାବି ପରେ କାଳିଆଗୁଡା ଠାରୁ ପାତ୍ରଗୁଡା ପର୍ଯ୍ୟନ୍ତ ନାମମାତ୍ର ପିଚୁରାସ୍ତା କରାଯାଇଥିଲା କିନ୍ତୁ ବର୍ଷେ ମଧ୍ୟରେ ରାସ୍ତାରେ ପ୍ରାୟ ଜାଗାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇସାରିଲାଣି। ଏହାଛଡା ସ୍ଥାନୀୟ ଲୋକଙ୍କ ଘନ ଘନ ଦାବି ଯୋଗୁଁ ଅନ୍ୟ ଦୁଇଟି ମୁଖ୍ୟ ରାସ୍ତାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ନାମରେ ଗତ ଚାରୀ ମାସରୁ ଉର୍ଦ୍ଧ ହେବ ରାସ୍ତା ଉପରେ ଖାଲି ମାଟି ପକାଇଦିଆଯାଇଛି। ଯାହାଦ୍ୱାରା ଏହି ବର୍ଷାଦିନରେ କାଳିଆଗୁଡା ଗ୍ରାମବାସି ଜାତା୍ୟାତ କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତି ଏପରି ହେଲାଣିଯେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଧାନ ବୁଣିବା କଥା କହୁଛନ୍ତି। ଏହାଛଡା ଗ୍ରାମରେ ସ୍ଵଛ ଭାରତ ଅଭିଯାନ ସମ୍ପୂର୍ଣ ଫେଲ ମାରିଛି। ଗାଁ ସାରା ଅଳିଆ ଆବର୍ଜନାରେ ପରିପୂର୍ଣ ଥିବାବେଳେ ଅଳିଆ ଆବର୍ଜନା ଜମା କରିବାପାଇଁ ନିର୍ମିତ ଗୃହ ପ୍ରଶାସନର ଦ୍ୱାରା ସଚେତନର ଅଭାବରେ ଲୋକଙ୍କ ଦ୍ୱାରା କାଠ ଗୋଦାମରେ ପରିଣତ ହୋଇଛି। ଏହାଛଡା ଗାଁ ମଧ୍ୟ ଦେଇ ଯାଇଥିବା ଡ୍ରେନ ଗୁଡିକରେ ବାଲି ମାଟି ଜମା ହୋଇ ଛୋଟ ଛୋଟ ଗଛ ଉଠିବା ଆରମ୍ଭ ହେଲାଣି। ବର୍ତମାନ କାଳିଆଗୁଡା ଗ୍ରାମ ବାସି ଦାବି କରୁଛନ୍ତି ଯେ ପଂଚାୟତ ସମିତି ତାତ୍ପରତା ଦେଖାଇ ଅତି ଶୀଘ୍ର ଏହିସବୁ ସମସ୍ୟା ଗୁଡିକର ସମାଧାନ କରୁ।
