March 10, 2026

ରାଜରାସ୍ତାରେ ବାଇକ୍ ଦୁର୍ଘଟଣାଗ୍ରସ୍ତ , ଦୁଇ ମୃତ 

IMG-20250512-WA0045
Share

 

ବୁଗୁଡ଼ା : ତା ୧୨/୦୫/୨୫ : ବୁଗୁଡ଼ା ଉପକଣ୍ଠସ୍ଥ ରାଜ୍ୟ ରାଜପଥରେ ରବିବାର ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ହେଲେ ବୁଗୁଡା ଥାନା ଅନ୍ତର୍ଗତ କାନସୁକା ଗ୍ରାମର ପଞ୍ଚୁ ନାଇକଙ୍କ ପୁଅ ଓମ୍ ପ୍ରକାଶ ନାଇକ (୧୬) ଓ ସନ୍ତୋଷ ନାଇକଙ୍କ ପୁଅ ଶୁଭ ନାଇକ (୧୮)। ଏ ନେଇ କେସ୍ ନଂ ୩୦୮/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ ଯେ , ଗତ ରବିବାର ରାତିରେ ବୁଗୁଡା ପଞ୍ଚ ଠାକୁରାଣୀ ଯାତ୍ରାର ସମାପନ ଉତ୍ସବ ଅବସରରେ ମା’ଙ୍କ ମେଲଣ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା। ସେଥିରେ ଶୁଭ ଓ ତା’ର ଦାଦାବାପା ପୁଅ ଭାଇ ଓମ୍ ଯାତ୍ରାରେ ସାମିଲ୍ ହୋଇ ଡିଜେର ତାଳେ ତାଳେ ନାଚି ରାତି ପ୍ରାୟ ୧୨ଟା ବେଳକୁ ବାଇକରେ ଗାଁକୁ ଫେରୁଥିଲେ। ତେବେ ବୁଗୁଡା ଓ ଷୋଳମଇଲି ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ। ରାଜରାସ୍ତାରେ ସେ ଦୁହେଁ ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ପଡି ରହିଥିଲେ। ଦୁର୍ଘଟଣାରେ ଶୁଭର ମୁଣ୍ଡ ଖପୁରି ଫାଟି ଦହି ବାହାରି ପଡିଥିଲା ବେଳେ ଓମର ମୁଣ୍ଡ ଫାଟି ଆଁ କରି ରହିଥିଲା। ଯାତ୍ରାରୁ ଫେରୁଥିବା ଅନ୍ୟ ଲୋକେ ଏହା ଦେଖି ସେଠାରେ ଅଟକି ରହିଥିଲେ । ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେଦୁହିଁଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ଶୁଭଙ୍କ ପିତା ସନ୍ତୋଷ ନାଇକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଶବ ଦ୍ବୟକୁ ଜବତ ସହ ବ୍ଯବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକ (ନଂ-ଓଡି-୦୭କେ-୬୬୨୯)କୁ ମଧ୍ୟ ଜବତ କରିଛି । ତେବେ ଦୁର୍ଘଟଣାର ସଠିକ୍ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି। ଅନ୍ଯପକ୍ଷରେ ତାଳସାକର ହାଇସ୍କୁଲର ଛାତ୍ର ଓମ୍ ଏଥର ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଉଭୟଙ୍କ ମୃତ୍ୟୁ କାନସୁକା ଗ୍ରାମ ସମେତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।