March 7, 2026

ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା: ୨୦୨୫-୨୬ ଅନୁଷ୍ଠିତ

IMG-20260112-WA0091
Share

 

 

ଭଞ୍ଜନଗର, ୧୨ ଜାନୁଆରୀ : ଆଜି ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବଡ଼କୋଦଣ୍ଡା କ୍ଲଷ୍ଟରର ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଆଧାରରେ ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା: ୨୦୨୫-୨୬ ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଜବାହର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମନୋରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବଡ଼କୋଦଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ରେଶମା କୁମାରୀ ନାୟକ, ସମିତି ସଭ୍ୟ ମନୋଜ କୁମାର ପୃଷ୍ଟି, ଏବିଇଓ ଚରଣ ବେହେରା, ପୁରାତନ ଛାତ୍ର ତଥା ସରପଞ୍ଚ ପ୍ରତିନିଧି ଶ୍ରୀ ହୃଷୀକେଶ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ ପ୍ରସନ୍ନ କୁମାର ପ୍ରଧାନ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ତ୍ରିପାଠୀ ଓ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ବେହେରା ମଞ୍ଚାସୀନ ଥିଲେ। ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା, ଅଧାରୁ ପାଠ ଛାଡ଼ିଥିବା କିମ୍ବା ବିଦ୍ୟାଳୟ ଠାରୁ ଦୂରରେ ଅନ୍ୟତ୍ର ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୂଖ୍ୟ ସ୍ରୋତରେ ସାମିଲ୍ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ। ଆଜିର କାର୍ଯ୍ୟକ୍ରମରେ ୧୪ ବର୍ଷରୁ କମ୍ ବୟସର ଡ୍ରପ୍ ଆଉଟ୍ ପିଲାଙ୍କୁ ବୟସ ଉପଯୋଗୀ ଶ୍ରେଣୀରେ ନାମ ଲେଖାଇବା, ୧୪ ବର୍ଷ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯେଉଁ ମାନେ ମ୍ୟାଟ୍ରିକ ପାସ୍ ପୂର୍ବରୁ ଡ୍ରପ୍ ଆଉଟ୍ ହୋଇଥିବେ ମ୍ୟାଟ୍ରିକ ପାଇଁ ଏସ୍ ଆଇ ଓ ଏସ୍ ପାଠ୍ୟକ୍ରମରେ ରେ ନାମ ଲେଖାଇବା, ଯେଉଁ ଛାତ୍ରଛାତ୍ରୀମାନେ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡ୍ରପ୍ ଆଉଟ୍ ହୋଇଥିବେ ସେମାନେ ଏନ୍ ଆଇ ଓ ଏସ୍ ପାଠ୍ୟକ୍ରମରେ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇବା କିମ୍ବା ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ରେ ନାମ ଲେଖାଇବା ଏବଂ ୧୫ ବର୍ଷରୁ ଉର୍ଦ୍ଧ୍ଵ ପାଠ ପଢିନଥିବା ଜନସାଧାରଣ ଉଲ୍ଲାସ (ଏନ୍ ଆଇ ଏଲ ପି) ପାଠ୍ୟକ୍ରମରେ ନାମ ଲେଖାଇବା ଇତ୍ୟାଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।

ଆଜିର ଶିକ୍ଷା ସଭାରେ ପ୍ରାୟ ୨୦ ଜଣ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ମେଇନସ୍ଟ୍ରିମିଙ୍ଗ୍ ପାଇଁ, ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆକୃଷ୍ଟ ଓ ଉତ୍ସାହିତ କରିବା ପାଇଁ ସମ୍ମାନୀତ କରାଯାଇଥିଲା। ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ପୁଣି ଫେରାଇ ଆଣିବା ପାଇଁ ନିରବଚ୍ଛିନ୍ନ ଭାବେ ଚେଷ୍ଟା କରିଥିବା ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ମେଇନସ୍ଟ୍ରିମିଙ୍ଗ୍ କମିଟିର ସଦସ୍ୟ ତଥା ପୂର୍ବତନ ସିଆରସିସି ମୋହନ ସାହୁ, ଶିକ୍ଷକ ଶିଶିର କାନ୍ତ ପତି ଓ ଶିକ୍ଷକ ଦେବାଂଶୁ କହଁର ଙ୍କୁ ଅତିଥି ମାନଙ୍କ ଗହଣରେ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଗତ ଏକ ସପ୍ତାହ ହେଲା ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ମେଇନସ୍ଟ୍ରିମିଙ୍ଗ୍ କମିଟିର ସଦସ୍ୟ ମାନେ ସିଆରସିସିଙ୍କ ନେତୃତ୍ୱରେ ବଡ଼କୋଦଣ୍ଡା କ୍ଲଷ୍ଟର ତଥା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ବିଦ୍ୟାଳୟର ଡ୍ରପ୍ ଆଉଟ୍ ସର୍ଭେ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ସହ ଯୋଗାଯୋଗ କରି ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଜିର କାର୍ଯ୍ୟକ୍ରମରେ ବଡ଼କୋଦଣ୍ଡା ଗ୍ରାମ ପଞ୍ଚାୟତର ଯେଉଁ ଛାତ୍ରଛାତ୍ରୀମାନେ ମେଇନସ୍ଟ୍ରିମିଙ୍ଗ୍ ହୋଇ ସଫଳତା ହାସଲ କରିବେ ସେମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରାଯିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବଡ଼କୋଦଣ୍ଡା ଜବାହର ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସାହାଯ୍ୟ ଓ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର ଦୀନେଶ ପାଣିଗ୍ରାହୀ ଆଲୁମିନି ଭାବେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉପସ୍ଥିତ ଅତିଥି ସମୁହ ଭାବେ ବନ୍ଦେ ମାତରଂ ଗାନ କରିଥିଲେ। ପରିଶେଷରେ ଶିକ୍ଷା ସଭାରେ ଉପସ୍ଥିତ ସମସ୍ତ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅତିଥି ଗଣ ଡ୍ରପ୍ ଆଉଟ୍ ରୋକିବା ଏବଂ କୌଣସି କାରଣରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଚେଷ୍ଟା କରିବେ ବୋଲି ଶପଥ ପାଠ କରିଥିଲେ। ସରକାରଙ୍କ ଏହିପରି ଅନନ୍ୟ କାର୍ଯ୍ୟକ୍ରମ ଓ ନିଆରା ପଦକ୍ଷେପ ପାଇଁ ଉପସ୍ଥିତ ସମସ୍ତ ବ୍ୟକ୍ତି ଖୁସି ବ୍ୟକ୍ତ କରିଥିଲେ।

(ବେଲଗୁଣ୍ଠା ରୁ ପଞ୍ଚାନନ ସାହୁଙ୍କ ରିପୋର୍ଟ ଉପାନ୍ତ ଖବର)