ବାଲେଶ୍ବର ଆଲୋଏଜ୍ରେ ଶ୍ରମିକ ମୃତ କ୍ଷତିପୂରଣ ଦେବାକୁ ଶ୍ରମିକ ସଙ୍ଗଠନ ପକ୍ଷରୁ ଦାବି
ବାଲେଶ୍ୱର (ଶେଖ୍ ନଜିମ୍): ରେମୁଣା ବାଲଗୋପାଲପୁର ସ୍ଥିତ ବାଲେଶ୍ୱର ଆଲୋଏଜରେ ମଙ୍ଗଳବାର ରାତ୍ରି ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ମୃତ ଶ୍ରମିକ ହେଲେ ନୀଳଗିରି ବ୍ଲକ ଡୁମଗଣ୍ଡିରା ଗ୍ରାମର ସୁଦର୍ଶନ ପରିଡ଼ା (୫୨) । ପାଖାପାଖି ରାତି ୮ଟା ବେଳେ ସୁଦର୍ଶନ କାରଖାନାରେ କାମ କରୁଥିବା ବେଳେ ପଛପଟୁ କାରଖାନା ଟ୍ରକ୍ ତାଙ୍କ ଉପରେ ମାଡ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କାରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଦାବିରେ ଶ୍ରମିକମାନେ ସେଠାରେ ଆନ୍ଦୋଳନ କରିଥିଲେ। ପରେ ଇସ୍ପାତ କାରଖାନାର ଏଫ୍ଲୋଇଜ୍ ୟୁନିୟନର ସଭାପତି ଶୁଭେନ୍ଦୁ ମଙ୍ଗରାଜ, ହିନ୍ଦ୍ ମଜଦୁର ସଭା ର ସଭାପତି ଅରୁଣ କୁମାର ସ୍ୱାଇଁ, ଉପ ସଭାପତି ହ୍ରିତିକ୍ ନାୟକ ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ବାବଦରେ ଆଲୋଚନା କରିଥିଲେ। ଯଥାଶୀଘ୍ର ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ।