September 11, 2026

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପଞ୍ଚମ ପ୍ରଫେସର ପ୍ରଫୁଲ୍ଲ ପତି ସ୍ମାରକୀ ବକ୍ତୃତା

IMG-20260911-WA0012
Share

 

 

‘ଜଗା, ଜଗାନ୍ତ, ଜଗନ୍ନାଥ’ ଉପରେ ପ୍ରଫେସର ପଞ୍ଚାନନ ମହାନ୍ତିଙ୍କ ବକ୍ତୃତା

 

ସମ୍ବଲପୁର, ୧୧.୦୯: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ପଞ୍ଚମ ପ୍ରଫେସର ପ୍ରଫୁଲ୍ଲ ପତି ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରଫେସର ପ୍ରଫୁଲ୍ଲ ପତିଙ୍କ ସ୍ମୃତିଚାରଣ କରିଥିଲେ। ଏଥିସହ ସ୍ମାରକୀ ବକ୍ତୃତାର ବିଷୟ ସମ୍ପର୍କିତ ବିଭିନ୍ନ ଉପାଦେୟ ଓ ଗବେଷଣାତ୍ମକ ତଥ୍ୟ ଉପରେ ଆଲୋକପାତ କରିଥିଲେ।

 

ଇଂରାଜୀ ବିଭାଗର ମୁଖ୍ୟ ପ୍ରଫେସର ଅଞ୍ଜଳି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସ୍ମାରକୀ ବକ୍ତୃତାର ମୁଖ୍ୟ ବକ୍ତା ଭାବେ ମୌଲାନା ଆଜାଦ ନ୍ୟାସନାଲ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦର ସମ୍ମାନସୂଚକ ପ୍ରଫେସର ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ପଞ୍ଚାନନ ମହାନ୍ତି ଯୋଗଦେଇ ‘ଜଗା, ଜଗାନ୍ତ, ଜଗନ୍ନାଥ’ ବିଷୟରେ ଗବେଷଣାମୂଳକ ବକ୍ତୃତା ପ୍ରଦାନ କରିଥିଲେ।

 

ବକ୍ତୃତାରେ ପ୍ରଫେସର ମହାନ୍ତି ଜଗନ୍ନାଥ କିପରି କେବଳ ଜଣେ ଦେବତାଙ୍କ ପରିସୀମା ମଧ୍ୟରେ ସୀମିତ ନ ରହି ଏକ ବ୍ୟାପକ ସାଂସ୍କୃତିକ ବର୍ଗ, ପରିଚୟ ଓ ଜୀବନଦର୍ଶନରେ ପରିଣତ ହୋଇଛନ୍ତି, ସେ ସମ୍ପର୍କରେ ବିଶ୍ଳେଷଣ କରିଥିଲେ। ଏହି ରୂପାନ୍ତରଣ ପ୍ରକ୍ରିୟାରେ ଭାଷାର ଭୂମିକା ଏବଂ ଜଗନ୍ନାଥ ସଂସ୍କୃତିର ବହୁମୁଖୀ ପ୍ରଭାବ ଉପରେ ସେ ଆଲୋକପାତ କରିଥିଲେ।

 

କାର୍ଯ୍ୟକ୍ରମରେ ପ୍ରଫେସର କାଳିଦାସ ମିଶ୍ର, ପ୍ରଫେସର ସବିତା ତ୍ରିପାଠୀ, ଡ. କାମଦେବ ସାହୁ, ଡ. ବିଷ୍ଣୁପ୍ରିୟା ହୋତାଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ। ପ୍ରଫେସର ପ୍ରଫୁଲ୍ଲ ପତିଙ୍କ ପୁତ୍ର ହିମାଂଶୁ ପତି ଓ ଆଶିଷ ପତି ମଧ୍ୟ ଉପସ୍ଥିତ ରହିଥିଲେ।

 

ଏଥିସହ ଇଂରାଜୀ ବିଭାଗର ଅଧ୍ୟାପକ-ଅଧ୍ୟାପିକା ଡ. ପି. ମୂରଲୀଧର ଶର୍ମା, ଡ. ବ୍ରହ୍ମାନନ୍ଦ ପାଦ୍ରା, ଡ. ସଂଚୟିତା ତ୍ରିପାଠୀ, ଡ. ନମ୍ରତା ବେହେରା, ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରଫେସର ପ୍ରଫୁଲ୍ଲ ପତିଙ୍କ ଆଦର୍ଶ ଓ ଅବଦାନକୁ ସ୍ମରଣ କରାଯାଇ ତାଙ୍କ ଜୀବନ ଓ କର୍ମ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା।