August 12, 2026

ପାଟବନ୍ଧ ମୌଜାର କାଳିଆଁସୁକୁ ଯାଇଥିବା କେନାଲ ମରାମତି ଅଭାବରୁ ବିପନ୍ନ, ତୁରନ୍ତ ପଦକ୍ଷେପ ଦାବି

IMG-20260811-WA0046
Share

 

 

ବୋଲଗଡ଼, (ଉପାନ୍ତ ଖବର): ଖରିଫ ସମୟରେ ପାଣିଅଭାବ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ମୌଜାର କାଳିଆଁସୁ ଚାଷୀଙ୍କୁ ଚିନ୍ତାରେ ପକାଇଛି। ପାଟବନ୍ଧ ମା’ବୁଢିଦେଇ ଡ୍ୟାମ୍ ଠାରୁ ଆରମ୍ଭ ହୋଇ କାଳିଆଁସୁ ପର୍ଯ୍ୟନ୍ତ ଆସିଥିବା ମୁଖ୍ୟ କେନାଲଟି ଦୀର୍ଘ ଦିନ ଧରି ମରାମତି ଅଭାବରୁ ଶୋଚନୀୟ ଅବସ୍ଥାରେ ପଡିରହିଛି। କେନାଲର ଦୁଇ ପାର୍ଶ୍ୱରେ କଣ୍ଟା ବୁଦା ଓ ଘାସ ବଢିଯିବାରୁ ଠିକ୍ ଭାବେ ପାଣି ପ୍ରବାହିତ ହୋଇପାରୁନାହିଁ। ଏପରିକି କେନାଲ ରାସ୍ତାରେ ଯାତାୟାତ କରିବା ମଧ୍ୟ ଅସମ୍ଭବ ହୋଇପଡିଛି। ଫଳରେ କାଳିଆଁସୁ ଓ ଆଖପାଖ ଅଞ୍ଚଳର ଶତାଧିକ ଏକର ଜମିକୁ ପାଣି ପହଞ୍ଚି ପାରୁନାହିଁ। ଡ୍ୟାମରୁ ପାଣି ଛଡାଯାଉଥିଲେ ମଧ୍ୟ ତାହା ରାସ୍ତାରେ ହିଁ ଗଳିଆ ପଡି ପାଖରେ ଥିବା ନଇକୁ ଚାଲି ଯାଉଛି। ପାଣି ପଞ୍ଚାୟତ ଥାଇ ମଧ୍ୟ ଚାଷୀମାନେ ପାଣି ନ ପାଇ “ନଥିଲା ପରି” ଅନୁଭବ କରୁଛନ୍ତି। କାଳିଆଁସୁରେ ଚାଷ କରୁଥିବା ସ୍ଥାନୀୟ ଚାଷୀମାନେ କୁହନ୍ତି, “ଏବେ ରୁଆ ପୋତା ସମୟ। ଜମିରେ କାଦୁଅ ହେବା କଥା। କିନ୍ତୁ କେନାଲରେ ପାଣି ଠିକ୍ ରେ ଆସୁ ନଥିବାରୁ ବର୍ଷା ପାଣି ହିଁ ଏକ ମାତ୍ର ଭରସା। ଢିପ ଜମି ହୋଇଥିବାରୁ ପାଣିର ଆବଶ୍ୟକତା ଅଧିକ ରହୁଛି।

ବର୍ଷ ବର୍ଷ ଧରି ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।ଚାଷୀମାନେ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ତୁରନ୍ତ ସ୍ଥଳ ପରିଦର୍ଶନ କରି କେନାଲରୁ କଣ୍ଟା ବୁଦା ସଫା ସହ ମରାମତି କାର୍ଯ୍ୟ କରିବାକୁ ଦାବି କରିଛନ୍ତି। ନଚେତ୍ ସେମାନେ ଆନ୍ଦୋଳନକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ