October 5, 2024

ଗଜପତି:- ନିଆରା ବିଶ୍ୱାସ’ର ପରମ୍ପରା : ହେରାପଞ୍ଚମୀ ଦିନରେ ଜିରାଙ୍ଗ ସ୍ଥିତ ଠାକୁର ବଳଦେବ ଜୀଉ’ଙ୍କ ଠାରେ ବହୁ ଶ୍ରଦ୍ଧାଳୁ ମୁଣ୍ଡନ ହେଲେ।

Share
  • ଗଜପତି ଜିଲ୍ଲା’ର ଆଦିବାସୀ ବହୁଳ ରାୟଗଡ ବ୍ଲକ’ର ତଥା ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ପବିତ୍ର ମହେନ୍ଦ୍ରଗିରି’ର ପାଦଦେଶରେ ଥିବା ଜିରାଙ୍ଗ ଗ୍ରାମ ସ୍ଥିତ ଠାକୁର ବଳଦେବ ଜୀଉ’ଙ୍କ ମନ୍ଦିର ଠାରେ ପବିତ୍ର ରଥଯାତ୍ରା’ର ହେରାପଞ୍ଚମୀ ଦିନ’ରେ ଆଜି ଅତ୍ୟନ୍ତ ନିଆରା ଢଙ୍ଗରେ ବିଶ୍ବାସ’ ଓ ପରମ୍ପରା ପ୍ରକାରେ ଏଠାରେ ରଥଯାତ୍ରା ପାଳିତ ହୋଇଯାଇଛି।
    ଆଜି ହେରାପଞ୍ଚମୀ ଦିନରେ ଏଠାରେ  ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଛୋଟ ପିଲା ଠାରୁ ବଡମାନେ ଆସି ମୁଣ୍ଡନ ତଥା ଲଣ୍ଡା ହେବା ଦେଖା ଯାଇଥିଲା ।
    ପୂର୍ବରୁ ଶ୍ରଦ୍ଧାଳୁ ମାନସିକ ଧାରୀ ମାନେ ବଳଦେବ ଜିଉ’ଙ୍କ ଠାରେ ମାନସିକ ରଖି କାର୍ଯ୍ୟସିଦ୍ଧ ହେବାପରେ ପୁଣି ବଳଦେବ ଜୀଉ’ଙ୍କ ଠାରେ ମାନସିକ ରଖିଥିବା ପ୍ରକାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଲଣ୍ଡା ହୋଇଥିଲେ । ଏଥିପାଇଁ ଶ୍ରଦ୍ଧାଳୁ ମାନେ ନିଜ ପୁଅଝିଅ ସହ ପରିବାର’ର ଅନ୍ୟମାନଙ୍କୁ ଆଣି ଲଣ୍ଡା ହେବାପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡିଥିଲା ।
    ଶ୍ରଦ୍ଧାଳୁ  ମାନସିକ ଧାରୀ ମାନେ କହିଛନ୍ତି ଯେ , ସେମାନେ ଏଠାରେ  ପୂର୍ବରୁ କରିଥିବା ମାନସିକ ପୂରଣ ପୂର୍ବକ ଆମର କାର୍ଯ୍ୟସିଦ୍ଧି ହେଲା , ସେହି ମାନସିକ ପ୍ରକାରେ  ପିଲା’ଙ୍କୁ  ଆଣି ଏଠାରେ  ଲଣ୍ଡା କରିଛୁ , ପୁଣ୍ୟତୋୟା ପବିତ୍ର ମହେନ୍ଦ୍ର ତନୟା ନଦୀରେ ପିଲା’ଙ୍କୁ ସ୍ନାନ କରିଛୁ ଏବଂ ଠାକୁରଙ୍କୁ ଦର୍ଶନ କରାଇ  ଘରକୁ ଯିବୁ ବୋଲି କହିଥିଲେ  l   ଏହି ଆଦିବାସୀ ବହୁଳ ଅଞ୍ଚଳ’ର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ପ୍ରଭୁ ବଳଦେବ । ଶତାଧିକ ବର୍ଷ’ର ପରମ୍ପରା ପ୍ରକାରେ ଜଣାଯାଏ ଯେ ,  ଏ ଅଞ୍ଚଳ’ର ଲୋକଙ୍କ ମଧ୍ୟରେ ପ୍ରଗାଢ ଭାବେ ବିଶ୍ବାସ ରହିଛି ଯେ , ଏଠାରେ ପ୍ରଭୁ ବଳଦେବ’ଙ୍କ ମନ୍ଦିର’ରେ ବଳଦେବ ଜୀଉ’ଙ୍କୁ ଦର୍ଶନ ଲାଭ କରି ଯାହାମାଗି ମାନସିକ ରଖିଲେ ତାହା ପୂରଣ ହେବାସହ କାର୍ଯ୍ୟସିଦ୍ଧି ହୋଇଥାଏ l
    ମାନସିକ ପରମ୍ପରା ପ୍ରକାରେ ମାନସିକ ଧାରୀମାନେ ପବିତ୍ର ରଥଯାତ୍ରା’ର ହେରାପଞ୍ଚମୀ ଦିନରେ ଏଠାରେ ପହଞ୍ଚି  ନିଜର ପୁଅ କି ଝିଅ ନଚେତ ନିଜେ କି ନିଜ ପରିବାର’ର ଯେ କେହି ଲଣ୍ଡା ହୋଇ ପାର୍ଶ୍ଵରେ ପ୍ରବାହିତ ହେଉଥିବା ପୁଣ୍ୟତୋୟା ପବିତ୍ର ମହେନ୍ଦ୍ର ତନୟା ନଦୀରେ ବୁଡ଼ ପକାଇ ସ୍ନାନ କରିବା ପରେ ନିଶ୍ଚିତ ଛେନାପଣା ସହ ଫଳମୂଳ  ପ୍ରଭୃତି ଭୋଗରାଗ ଧରି ପ୍ରଭୁ ବଳଦେବ’ଙ୍କ ଠାରେ ଭୋଗଲାଗି କରି ପୂଜାର୍ଚ୍ଚନା କରିଥାନ୍ତି ।
    ଏଠାରେ ପ୍ରଭୁ ବଳଦେବ’ଙ୍କ ମନ୍ଦିର’ର ପୂଜକ ଚିତ୍ରସେନ ଷଡଙ୍ଗୀ ଏ ମନ୍ଦିର’ର ରହିଥିବା ପରମ୍ପରା ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ , କଳାପାହାଡ଼ ଯେତେବେଳେ ମନ୍ଦିର ଭାଙ୍ଗିଥିଲେ , ସେତେବେଳେ ପୁରୀ’ର ପ୍ରଭୁ ବଳଦେବ’ଙ୍କୁ ଗଜପତି ମହାରାଜା ଏଠାକୁ ଆଣି ରଖିଥିଲେ । କାରଣ ଏ ଅଞ୍ଚଳ ସେତେବେଳେ ଘୋର ଜଙ୍ଗଲ ଥିଲା ଏବଂ ଜଙ୍ଗଲ ଭିତରେ ପ୍ରଭୁ ବଳଦେବ’ଙ୍କୁ ଆଣି ଲୁଚାଇ ରଖିଲେ କେହି ଜାଣି ପାରିବେନି ଭାବି ଏଠାରେ ଆଣି ରଖିଥିଲେ । ପ୍ରଭୁ ବଳଦେବ’ଙ୍କୁ ଏଠାରେ ଆଣି ରଖିବା ପ୍ରାୟ ୧୦ ବର୍ଷ ପରେ ଗଜପତି ମହାରାଜା , ପ୍ରଭୁ ବଳଦେବ’ଙ୍କୁ ନିକଟସ୍ଥ’ରେ ଥିବା ବୋମିକା ଗ୍ରାମ’କୁ ନେଇ ଯାଇଥିଲେ । ହେଲେ  ଗଜପତି ମହାରାଜା’ଙ୍କୁ ଏ ଦିଗରେ ରାତିରେ  ସ୍ୱପ୍ନ ହେଲା ଯେ , ଜିରାଙ୍ଗ ଗ୍ରାମ’ରେ ହିଁ ମୁଁ ରହିବି ଏବଂ ସେଠାକାର ଗୌଡ଼ ମାନଙ୍କ ଛେନାପଣା ଖାଇ ମୁଁ ଆଗରୁ ରହିଥିଲି ଏବଂ ବର୍ତ୍ତମାନ ମୁଁ ସେଠାରେ ହିଁ ରହିବି ବୋଲି କହିବା ପରେ ଗଜପତି ମହାରାଜା ବଳଦେବ ଜୀଉ’ଙ୍କୁ ଜିରାଙ୍ଗ ଗ୍ରାମ’ରେ ଆଣି ରଖିଥିଲେ ବୋଲି କହିଥିଲେ ।                              ଛେନାପଣା ପ୍ରଭୁ ବଳଦେବ’ଙ୍କ ଅତ୍ୟନ୍ତ ପ୍ରିୟ ଖାଦ୍ୟ , ତେଣୁ ଏ ଅଞ୍ଚଳରେ ପ୍ରଭୁ ବଳଦେବ’ଙ୍କୁ ବିଭିନ୍ନ ଦିନରେ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ଛେନାପଣା ଭୋଗ ଲାଗି କରି ଆସୁଛନ୍ତି ।
    ———————————————-ଗଣେଶ କୁମାର ରାଜୁ
    ପାରଳାଖେମୁଣ୍ଡି(ଗଜପତି)
    ———————————————–