June 29, 2024

ବରଗଡ଼ରେ ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

Share

ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡିବା ସହ ଓଡ଼ିଆ ଅସ୍ମିତା ସୁରକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି ମୋଦୀ – ଧର୍ମେନ୍ଦ୍ର ପ୍ରଧାନ

• ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଡିଜି, ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉନାହାନ୍ତି
• ମୁଖ୍ୟମନ୍ତ୍ରୀଙ୍କ ମଜବୁରିର ଲାଭ ଉଠାଇ କିଛି ଓଡ଼ିଆ ବିରୋଧୀ ଲୋକମାନେ ଓଡ଼ିଶାର ଶାସନ ଚଲାଉଛନ୍ତି, ଓଡ଼ିଶାର ଭାବାବେଗକୁ କୁଠାରଘାତ କରୁଛନ୍ତି
• ଏଥର ଦୀର୍ଘ ୨୫ ବର୍ଷର ଅତ୍ୟାଚାରୀ ଓ ଭ୍ରଷ୍ଟାଚାର ଶାସନର ପରିବର୍ତ୍ତନ ହେବ
• ରତ୍ନଭଣ୍ଡାର କାହିଁକି ଖୋଲାଯାଉନାହିଁ? ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ କିଏ ଖେଳୁଛି ?
• ପ୍ରଧାନମନ୍ତ୍ରୀଙ୍କ ଭଳି ରାଷ୍ଟ୍ର ନେତା ସର୍ବଦା ଓଡ଼ିଶାକୁ ପ୍ରାଥମିକତା ଦେଇଥିବାରୁ କୃତଜ୍ଞତା ଜଣାଇଲେ
• ଓଡ଼ିଶାରେ ମୋଦୀଙ୍କ ପ୍ରତି ଭରସା ଅଛି, ଓଡ଼ିଶାକୁ ସର୍ବଶ୍ରେଷ୍ଠ ସ୍ଥାନକୁ ମୋଦୀ ହିଁ ନେଇପାରିବେ
• ଓଡ଼ିଶାରେ ମୋଦୀଙ୍କ ଶାସନ ପ୍ରଣାଳି ଆଣିବା ପାଇଁ ଲୋକମାନେ ପରିବର୍ତ୍ତନ କରାଇବେ
• ଏଥର ଓଡ଼ିଆ ଭାଷାଭାଷୀ ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆ ଲୋକମାନେ ମୋଦୀଙ୍କ ସାଙ୍ଗରେ ଯିବେ
• ଅବ୍ କୀ ବାର୍ ମୋଦୀ ସରକାର, ଓଡ଼ିଶାରେ ଏଥର ବିଜେପି ସରକାରର ନାରା ଦେଲେ
• ଅଯୋଧ୍ୟା ରାମ ମନ୍ଦିରରେ ଭାରତର ରାଷ୍ଟ୍ରପତିଙ୍କ ଦର୍ଶନ ନେଇ କଂଗ୍ରେସର ମନ୍ତବ୍ୟ ଦୁର୍ଭାଗ୍ୟଜନକ
• କଂଗ୍ରେସ ଦଳର ନୈତିକତା ନାହିଁ, ଏହା ଏକ ଦେବାଳିଆ ପାର୍ଟି

ବରଗଡ଼, ମଇ ୧୧ – ବରଗଡ଼ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡିବା ପାଇଁ ସରକାର ବଦଳାଇବା ପାଇଁ ଅପିଲ କରିଛନ୍ତି । ସାଢେ ୪ କୋଟି ଓଡ଼ିଆଙ୍କ ଅସ୍ମିତାର ସୁରକ୍ଷା, ଲୋକଙ୍କ ପ୍ରତି ଥିବା ଆସ୍ଥା ତଥା ଓଡ଼ିଆ ଲୋକଙ୍କ ବିକାଶର ଦାୟିତ୍ୱ ନେବା ପାଇଁ ସେ ଗ୍ୟାରେଣ୍ଟି ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ବରଗଡ଼ରେ ‘ବିଜୟ ସଂକଳ୍ପ ସମାବେଶ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଧାନ ଓ ଧନୁଯାତ୍ରାର ଭୂମି ବରଗଡ଼ରେ ପ୍ରଧାନମନ୍ତ୍ରୀ ଚାଷୀଙ୍କ କଲ୍ୟାଣର ଗ୍ୟାରେଣ୍ଟି ନେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭଳି ରାଷ୍ଟ୍ର ନେତା ସର୍ବଦା ଓଡ଼ିଶାକୁ ପ୍ରାଥମିକତା ଦେଇ ଆସିଛନ୍ତି । ଏଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ । ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶାର ଅବ୍ୟବସ୍ଥାକୁ ଆଉ ସହ୍ୟ କରାଯାଇପାରିବ ନାହିଁ । ଏହାକୁ ବଦଳାଇବା ପାଇଁ ପଡିବ ବୋଲି କହିଛନ୍ତି । ସାଢେ ୪ କୋଟି ଓଡ଼ିଆଙ୍କ ଅସ୍ମିତାର ସୁରକ୍ଷା, ତାଙ୍କ ପ୍ରତି ଥିବା ଆସ୍ଥା ତଥା ଓଡ଼ିଆ ଲୋକଙ୍କର ବିକାଶର ଦାୟିତ୍ୱ ମୋଦୀ ନିଜେ ନେବେ ବୋଲି କହିଛନ୍ତି । ଏହାସହ ଓଡ଼ିଶାର ଜନସାଧାରଣଙ୍କୁ ବିଜେପିକୁ ୫ ବର୍ଷ ସେବା କରିବା ପାଇଁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ମୋଦୀଙ୍କ ନେତୃତ୍ୱରେ ହିଁ ଓଡ଼ିଶା ୧ ନମ୍ବର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରତ୍ନଭଣ୍ଡାର ଭଳି ଓଡ଼ିଶାର ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଓ ଭାବନାର ପ୍ରଶ୍ନକୁ ମୋଦୀ ଉପସ୍ଥାପିତ କରିଛନ୍ତି । ବିଜେପି ସବୁବେଳେ ରତ୍ନଭଣ୍ଡାର ପ୍ରସଙ୍ଗରେ ଉଠାଇ ଆସିଛି । ଓଡ଼ିଆ ଲୋକଙ୍କ ଆସ୍ଥା ସହ ଯୋଡି ହୋଇଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ ? ରତ୍ନଭଣ୍ଡାର କାହିଁକି ଖୋଲାଯାଉନାହିଁ ? ରାଜ୍ୟ ସରକାର କାହାର ପାପକୁ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରୁଛନ୍ତି ? ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ କିଏ ଖେଳୁଛି ? ତାହାର ଉତ୍ତର ଦେବା ପାଇଁ ପଡିବ । ସେହିପରି ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଡିଜି, ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ମଜବୁରିର ଲାଭ ଉଠାଇ କିଛି ଓଡ଼ିଆ ବିରୋଧୀ ଲୋକମାନେ ଓଡ଼ିଶାର ଶାସନ ଚଲାଉଛନ୍ତି । ଓଡ଼ିଶାର ଭାବାବେଗକୁ କୁଠାରଘାତ କରୁଛନ୍ତି । ଓଡ଼ିଆ ଲୋକମାନେ ଭୋଟ୍ ମାଧ୍ୟମରେ ଉଚିତ୍ ଜବାବ ଦେବେ ।

ଓଡ଼ିଶାରେ ମୋଦୀଙ୍କ ପ୍ରତି ଭରସା ଅଛି, ଓଡ଼ିଶାକୁ ସର୍ବଶ୍ରେଷ୍ଠ ସ୍ଥାନକୁ ମୋଦୀ ହିଁ ନେଇପାରିବେ । ଅନ୍ୟପକ୍ଷେ ଦୀର୍ଘ ୨୪ ବର୍ଷ ଶାସନରେ ରହିବା ପରେ ବି ରାଜ୍ୟର ଘରେ ଘରେ ପାଇପ ଯୋଗେ ପିଇବା ପାଣିର ସୁବିଧା ନାହିଁ । ଚାଷଜମିରେ ଜଳସେଚନର ବ୍ୟବସ୍ଥା ନାହିଁ । ମେଡିକାଲରେ ଡାକ୍ତର ଓ ସ୍କୁଲରେ ଶିକ୍ଷକ ନାହାନ୍ତି । ରାଜ୍ୟର ଏକ ତୃତୀୟାଂଶ ଲୋକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ଯେଉଁ ଅବ୍ୟବସ୍ଥା, ଦୁର୍ନୀତି, ଅତ୍ୟାଚାର, ଭ୍ରଷ୍ଟାଚାର ଶାସନ ଚାଲିଛି, ଲୋକମାନେ ଏଥର ଜବାବ ଦେବେ ଏବଂ ପରିବର୍ତ୍ତନ କରାଇବେ । ଓଡ଼ିଶାରେ ମୋଦୀଙ୍କ ଶାସନ ପ୍ରଣାଳି ଆଣିବା ପାଇଁ ଲୋକମାନେ ପରିବର୍ତ୍ତନ କରାଇବେ । ଏଥର ଓଡ଼ିଆ ଭାଷାଭାଷୀ ମୁଖ୍ୟମନ୍ତ୍ରୀ ହେବେ । ମୋଦୀଙ୍କ ସହ ଓଡ଼ିଆ ଲୋକମାନେ ସାଙ୍ଗରେ ଯିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଗଣମାଧ୍ୟମର ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତର ମାନ୍ୟବର ରାଷ୍ଟ୍ରପତି ଅଯୋଧ୍ୟାରେ ରାମ ମନ୍ଦିରରେ ଦର୍ଶନ ପ୍ରସଙ୍ଗ ନେଇ କଂଗ୍ରେସ ମନ୍ଦିରକୁ ଗଙ୍ଗା ଜଳରେ ସ୍ନାନ କରାଇବା ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । କଂଗ୍ରେସ ଦଳର ନୈତିକତା ନାହିଁ । କଂଗ୍ରେସ ଏକ ଦେବାଳିଆ ପାର୍ଟି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।