ଭକ୍ତିମୟ ପରିବେଶ ଭିତରେ ଶ୍ରୀ ରାମଚରିତ ମାନସ ପାରାୟଣ ପ୍ରବଚନ ଓ ଜ୍ଞାନଯଜ୍ଞ ଅନୁଷ୍ଠିତ

ବୋଲଗଡ,୧୧/୦୪(ଉପାନ୍ତ ଖବର)ବୋଲଗଡ଼ ବ୍ଲକ ହଳଦୀପଦା ସ୍ଥିତ ମା’ ଅପୂଜାଚଣ୍ଡୀଙ୍କ ପୀଠରେ ଉନତ୍ରିଂଶତମ ଶ୍ରୀମଦ ରାମଚରିତମାନସ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଚଳିତମାସ ୨ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଥିଲା ଏବଂ ୧୧ ତାରିଖ ଶନି ବାର ଦିନ ଏହି ଯଜ୍ଞ କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ପ୍ରଦାନ ସହ ଉଦଯାପନ ହୋଇଛି ।ଏହି ଅବସରରେ ବିଭିନ୍ନ ଦିବସ ମାନଙ୍କରେ କଳସଯାତ୍ରା,କଳସସ୍ଥାପନ,ସୁର୍ଯ୍ୟ ପୁଜା,ଦ୍ଵାରପୁଜା ଓ ପାଶ୍ଵପୁଜା ଆଦି ଯଜ୍ଞ ବିଧି ସହ ଠାକୁରାଣୀଙ୍କ ନିତିକାନ୍ତି ଅନୁଷ୍ଠିତ ହୋଇଚାଲିଛି। ବ୍ୟାସ ଭାବେ ମହନ୍ତ ମଦନମୋହନ ଦାସ ମହାରାଜ ଓ ଆଚାର୍ଯ୍ୟ ଭାବେ ପଣ୍ଡିତ ରମେଶଚନ୍ଦ୍ର କର କାର୍ଯ୍ୟ ଭାର ତୁଲାଉ ଥିବାବେଳେ କର୍ତ୍ତାକର୍ତ୍ରି ଭାବେ ଅକ୍ଷୟ କୁମାର ରାୟ ଓ ନିରୁପମା ରାୟ ଉପବିଷ୍ଟ ଅଛନ୍ତି।ଏହି ଅବସରରେ ସନ୍ଧ୍ୟାଆଳତିପରେ ଭଜନକୀର୍ତ୍ତନ ଓ ପ୍ରବଚନ କାର୍ଯ୍ୟକ୍ରମ ଚାଲୁରହିଥିଲା।ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସ୍ରୋତାଙ୍କ ଗହଣରେ ରାଜ୍ୟର ବିଶିଷ୍ଟ କଥାବାଚକ ପଣ୍ଡିତ ଇପ୍ସିତ ମିଶ୍ର, ଚାରଣ ହରିହର ଜେନା,ସନ୍ତୋଷ କୁମାର ସାହୁ,ପଦ୍ମନାଭ ତ୍ରିପାଠୀ, ଗୋପାଳ ଚରଣ ରାଜଗୁରୁ ଓ ପଣ୍ଡିତ ଆଶୀର୍ବାଦ ମହାରାଜ ପ୍ରମୁଖ ନାମ ମହିମା,ଶିବପାର୍ବତୀ ବିବାହ, ପ୍ରଭୁଙ୍କ ଜନ୍ମଚରିତ,ଅହଲ୍ୟା ଉଦ୍ଧାର, ଶିବଧନୁ ଭଗ୍ନ, ସୀତା ବିବାହ,ପର୍ଶୁରାମ ସମ୍ବାଦ,ମନ୍ଥରା ମନ୍ଥନ,ପ୍ରଭୁ ବନବାସ,ଭରତଙ୍କ ଚିତ୍ରକୁଟ ଗମନ,ଜଟାୟୁ ସମ୍ବାଦ ,ଶବରୀ ଉପାଖ୍ୟାନ,ସୀତା ଠାବ,ଲଙ୍କା ଦହନ, ବିଭୀଷଣ ସମ୍ବାଦ,ଲକ୍ଷ୍ମଣ ଶକ୍ତିଭେଦ, ରାବଣ ବଧ, ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଆଦି ରାମାୟଣର ବିଭିନ୍ନ ବିଷୟ ସହ କଳିଯୁଗ ମହିମା ଓ କାକ ଭୂଷଣ୍ଡୀ ସମ୍ବାଦ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ମା ଅପୂଜାଚଣ୍ଡୀ ମାନସ ପାରାୟଣ ପରିଚାଳନା କମିଟି ଏବଂ ହଳଦିପଦା,ବାରଦାଣ୍ଡି ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ କରାଯାଇଥିଲା ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ
