April 15, 2025

ଋଷିକୂଲ୍ୟା ସୁରକ୍ଷା କ୍ରୀୟାନୁଷ୍ଠାନ କମିଟି..

Share

 

ସାମ୍ବାଦିକ ସମ୍ମିଳନୀ

*ପିପଳପଙ୍କା ଡ଼େମ୍ ସମ୍ପର୍କରେ ସରକାରୀ ଅଧିକାରୀମାନଙ୍କ ବକ୍ତବ୍ୟ ବିଭ୍ରାନ୍ତିକର !*

*ଋଷିକୂଲ୍ୟା ନଦୀର ସୁରକ୍ଷା ଓ ଜିଲ୍ଲାବାସୀଙ୍କ ସ୍ୱାର୍ଥରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ !*

 

ବ୍ରହ୍ମପୁର (୧୧/୪) ରାଜ୍ୟ ସରକାର ଗୋପାଳପୁର ଓ ଛତ୍ରପୁର ଶିଳ୍ପ କରିଡ଼ରରେ ଥିବା ଟାଟା ଓ ଆଦାନୀ ପରି ଘରୋଇ କମ୍ପାନୀମାନଙ୍କୁ ପାଣି ଯୋଗାଇବାକୁ ସରକାରୀ ଅର୍ଥରେ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ଡ୍ୟାମ୍ ନିର୍ମାଣ କରିବାକୁ ଯାଉଥିବା ବେଳେ ଭଞ୍ଜନଗର ଉପଜିଲ୍ଲାପାଳ ଓ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ପ୍ରକଳ୍ପ ଜଳର ବ୍ୟବହାର ଓ କ୍ଷୟକ୍ଷତି ସମ୍ପର୍କରେ ଯେଉଁ ବିବୃତି ଦେଇଛନ୍ତି, ତାହା ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ଋଷିକୂଲ୍ୟା ସୁରକ୍ଷା କ୍ରୀୟାନୁଷ୍ଠାନ କମିଟି ମତ ପ୍ରକାଶ କରୁଛି।

ପ୍ରାୟ ତିନି ଦଶକ ତଳେ ଟାଟାର ପ୍ରସ୍ତାବିତ ଗୋପାଳପୁର ଇସ୍ପାତ ପ୍ରକଳ୍ପ ପାଇଁ ପ୍ରଥମେ ଏହି ଡ଼େମ୍ ନିର୍ମାଣର ପରିକଳ୍ପନା କରାଯାଇଥିଲା। ତେବେ ଜିଲ୍ଲାର ଚାଷୀ ସଙ୍ଗଠନମାନଙ୍କ ବିରୋଧ ଯୋଗୁଁ ତତ୍କାଳିନ ସରକାର ଏହି ପ୍ରକଳ୍ପକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ବର୍ତମାନ ସରକାର ସେଠାରେ ପୁଣି ଥରେ ଯେଉଁ ଡ଼େମ୍ ନିର୍ମାଣ କରିବାକୁ ଉଦ୍ୟମ କରୁଛନ୍ତି, ତା’ର ପ୍ରକଳ୍ପ ରିପୋର୍ଟଟି ମଧ୍ୟ ଗତ ପ୍ରକଳ୍ପର ରିପୋର୍ଟର ଆଧାରରେ ହିଁ କରାଯାଉଛି ବୋଲି ସ୍ପଷ୍ଟ କହିଛନ୍ତି। ସେହି ରିପୋର୍ଟରେ ପ୍ରସ୍ତାବିତ ଡ଼େମ୍‌ର ପ୍ରାୟତଃ ସବୁ ପାଣି ପାଇପ ଯୋଗେ ଗୋପାଳପୁର-ଛତ୍ରପୁର ଅଂଚଳରେ ରହିଥିବା ଶିଳ୍ପ କରିଡରକୁ ନିଆଯିବ ବୋଲି କୁହାଯାଇଥିବା ବେଳେ କେବଳ ସୋରଡ଼ା ବ୍ଳକ୍‌ର ତିନୋଟି ଗ୍ରାମକୁ ହିଁ ଜଳସେଚନ ପାଇଁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। କେବଳ ତିନୋଟି ଗ୍ରାମର କିଛି ଶହ ଏକର ଜମିକୁ ଜଳସେଚିତ କରିବାକୁ ଏତେ ବଡ଼ ଡ଼େମ୍ ନିର୍ମାଣ କରାଯାଉଛି ବୋଲି କହିବା ହାସ୍ୟାସ୍ପଦ ଅଟେ।

ଗତ ୪.୨.୨୦୨୪ ରିଖ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ବୟାନରେ ପିପଳପଙ୍କା ଡ଼େମ୍‌ରୁ ଶହେ କି.ମି ଲମ୍ବା ପାଇପ୍ ଲାଇନ୍ ଯୋଗେ ଗୋପାଳପୁର ଏସ୍‌ଇଜେଡ଼କୁ ପାଣି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ଏହି ବକ୍ତବ୍ୟ ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଥିଲା। ଅତଏବ ଶିଳ୍ପକୁ ପାଣି ଦେବାକୁ ପିପଳପଙ୍କା ଡ଼େମ୍ ନିର୍ମାଣ ହେଉଛି ବୋଲି ଖୋଦ୍ ଜିଲ୍ଲା ପ୍ରାଶସନ ଓ ପିପଳପଙ୍କା ପ୍ରକଳ୍ପର ରିପୋର୍ଟ କହୁଥିବା ବେଳେ ଭଞ୍ଜନଗର ଉପ ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କ ବକ୍ତବ୍ୟ ମିଥ୍ୟା ଓ ବିଭ୍ରାନ୍ତିକର ମନେହୁଏ।

ଯଦି ସରକାର କେବଳ ଜଳସେଚନ କିମ୍ବା ପାନୀୟ ଜଳ ଯୋଗାଣ ପାଇଁ ବି ପିପଳପଙ୍କାରେ ଡ଼େମ୍ ନିର୍ମାଣ କରିଥାନ୍ତେ, ତାହେଲେ ବି ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ବିପଜ୍ଜନକ ହେବ। କାରଣ ଜଳବାୟୁ ପରିବର୍ତନ ତଥା ଅବାଧ ବାଲି ଖନନ ଯୋଗୁଁ ନଦୀର ଜଳଧାରଣ କ୍ଷମତା ହ୍ରାସ ପାଇ ଋଷିକୂଲ୍ୟା ଏବେ କେବଳ ବର୍ଷା ତିନି ମାସକୁ ଛାଡ଼ିଦେଲେ ବର୍ଷର ଅବଶିଷ୍ଟ ସମୟ ପ୍ରାୟତଃ ଶୁଖିଲା ପଡ଼ୁଛି। ନଦୀରେ ପାଣି କମିବାରୁ ମୁହାଣ ଦେଇ ସମୁଦ୍ର ଢ଼େଉ ନଦୀର ବହୁତ ଭିତରକୁ ପଶି ଆସିବା ଫଳରେ ତଳମୁଣ୍ଡରେ ଥିବା ଅନେକ ଗାଁର ପାଣି ଏବେ ଲୁଣି ହୋଇ ସେମାନଙ୍କ ଜୀବନ ଜୀବିକାକୁ କ୍ଷତିଗ୍ରସ୍ତ କରିଛି। ଏଭଳି ପରିସ୍ଥତିରେ ଯଦି ଉପର ମୁଣ୍ଡରେ ଡ଼େମ୍ କରି ପାଣିକୁ ଅନ୍ୟପଟେ ନିଆଯିବ, ତାହେଲେ ଏବେ ଋଷିକୂଲ୍ୟାରେ ଆଜି ଯେଉଁ ସରୁ ଧାରଟିଏ ହୋଇ ପାଣି ଆସୁଛି, ତାହା ବି ଶୁଖିଯିବ। ବର୍ତମାନ ଋଷିକୂଲ୍ୟାର ଉପର ମୁଣ୍ଡରେ କୌଣସି ଡ଼େମ୍ ନଥାଇ ବି ନଦୀରେ ପାଣି ନାହିଁ। ନଦୀର ଦୁଇ ପାଶ୍ୱର୍ରେ ଥିବା ଗାଁମାନଙ୍କରେ ଭୂତଳ ଜଳର ସ୍ତର ଲଗାତାର ଭାବେ ନିମ୍ନଗାମୀ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଡ଼େମ୍ ନିର୍ମାଣ ନଦୀଟିକୁ ଏକ ମୃତ ନଦୀରେ ପରିଣତ କରିଦେବା ସହ ଦୁଇ ପାଶ୍ୱର୍ରେ ଥିବା ଗାଁମାନଙ୍କର ପିଇବା ପାଣି, କୃଷିକୁ ଆଗାମୀ ଦିନରେ ଭୟଙ୍କର ଭାବେ ପ୍ରଭାବିତ କରିବ। ଉପର ମୁଣ୍ଡରେ ଡ଼େମ୍ ଫଳରେ ନଦୀର ତଳ ପାଶ୍ୱର୍ରେ ରହିଥିବା ଜାନିବିଲି ପ୍ରକଳ୍ପକୁ ପାଣି ଆସିବା କମିଯିବ। ଯାରି ଫଳରେ ସେଠାରୁ ବାହାରିଥିବା କେନାଲ ଓ ପାଇପ୍ ଲାଇନ୍ ଯୋଗେ ଜିଲ୍ଲାର ଜଳସେଚନ ବ୍ୟବସ୍ଥା ଓ ବ୍ରହ୍ମପୁର ସମେତ ଅନେକ ସହରର ପିଇବା ପାଣି ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବ।

ବର୍ତମାନ ବ୍ରହ୍ମପୁର ସହରରେ ଜଳସଙ୍କଟ ଉତ୍କଟ ହୋଇଛି। ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଋଷିକୂଲ୍ୟା ନଦୀ ଏବଂ ବିଶେଷ କରି ଜାନିବିଲି ପ୍ରକଳ୍ପରେ ଆବଶ୍ୟକୀୟ ପାଣି ନଥିବା ଯୋଗୁଁ ସହରର ପାନୀୟ ଜଳ ଯୋଗାଣ ପ୍ରଭାବିତ ହେଉଛି ବୋଲି ୍‌ସ୍ୱୀକାର କରିଛନ୍ତି। କିନ୍ତୁ ସେମାନେ ଭବିଷ୍ୟତରେ ଏହି ସଙ୍କଟକୁ ଆହୁରି ଉତ୍କଟ କରିବାକୁ ଯାଉଥିବା ପିପଳପଙ୍କା ଡ଼େମ୍ ନିର୍ମାଣକୁ ବିରୋଧ କରିବା ବଦଳରେ ମହାନଦୀରୁ ପାଣି ଆଣିବା କଥା କହି ଲୋକଙ୍କୁ ଏକରକମ ଭ୍ରମରେ ରଖିବାକୁ ଚାହୁଁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ସେଠାକାର କମ୍ପାନୀମାନଙ୍କୁ ପାଣି ଯୋଗାଇବାକୁ ଏକାଧିକ ଡ଼େମ୍ ଓ ବ୍ୟାରେଜ୍ ନିର୍ମାଣ କରିବା ଫଳରେ ମହାନଦୀରେ ଏବେ ଆବଶ୍ୟକୀୟ ପାଣିର ଅଭାବ ରହିଛି। ଅତଏବ ସେଠାରେ ପାଣି ନଥିବା ବେଳେ ସେଠାରୁ ପାଣି ଆଣି ଋଷିକୂଲ୍ୟାରେ ପକାଇବାକୁ ମହାନଦୀ- କ୍ଷଷିକୂଲ୍ୟା ନଦୀ ସଂଯୋଗୀକରଣ ପାଇଁ କହିବା ହାସ୍ୟାସ୍ପଦ ଅଟେ। କମ୍ପାନୀଙ୍କୁ ପାଣି ଯୋଗାଇବାକୁ ଉପର ମୁଣ୍ଡରେ ଡ଼େମ୍ ନିର୍ମାଣ ଫଳରେ ଆଜି ମହାନଦୀର ଯେଉଁ ଅବସ୍ଥା ହୋଇଛି ଋଷିକୂଲ୍ୟାର ଉପରମୁଣ୍ଡରେ ପିପଳପଙ୍କାରେ ଡ଼େମ୍ ନିର୍ମାଣ ହେଲେ ଋଷିକୂଲ୍ୟା ନଦୀର ବି ସମାନ ଦଶା ହେବ।

କମ୍ପାନୀଙ୍କ ସ୍ୱାର୍ଥରେ ପିପଳପଙ୍କା ଡ଼େମ୍ ନିର୍ମାଣ ଓ ନଦୀରୁ ଅବାଧ ବାଲି ଖନନର ବିରୋଧ କରି ଋଷିକୂଲ୍ୟା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ସଚେତନତା ସୃଷ୍ଟି ପାଇଁ ଇତି ମଧ୍ୟରେ ପିପଳପଙ୍କା ଠାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୧୫୦ କି.ମି ପଦଯାତ୍ରା ସଫଳତାର ସହିତ ସମ୍ପନ୍ନ ହୋଇଛି। ପଦଯାତ୍ରା ନଦୀର ଦୁଇକଡ଼ରେ ଥିବା ଶହେ ପାଖାପାଖି ଗ୍ରାମ ଓ ସହରକୁ ଅତିକ୍ରମ କରିବା ସହ ରାସ୍ତାରେ ହଜାର ହଜାର ଲୋକଙ୍କୁ ଭେଟିଛି। ସବୁଠାରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଚାଲିଥିବା ଏହି ଅଭିଯାନକୁ ସାଧାରଣ ଜନତାଙ୍କ ବିପୁଳ ସମର୍ଥନ ମିଳିଛି। ଆଗାମୀ ଦିନରେ ଉପରୋକ୍ତ ଗାଁମାନଙ୍କରେ ଡ଼େମ୍ ବିରୁଦ୍ଧରେ ଗଣ ଦସ୍ତଖତ ଅଭିଯାନ କରି ତାକୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଏହାସହ ବ୍ରହ୍ମପୁର ସହରରେ ଜନତାଙ୍କୁ ଡ଼େମ୍‌ର ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ମାସରେ ଏକ ପଦଯାତ୍ରାର ଆୟୋଜନ କରାଯିବ। ଼

ତା : ୧୧ ଏପ୍ରିଲ ୨୦୨୫

ଆଜିର ସାମ୍ବାଦିକ ସମ୍ମିଳନୀରେ କ୍ରୀୟାନୁଷ୍ଠାନ କମିଟିର ଆବାହକ ସୁଧୀର ରାଉତ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ମାଗତା ବେହେରା, ଆଦିତ୍ୟ ରଥ, କବିରାଜ ସାହୁ, ସଞ୍ଜୀବ ରେଡ୍ଡୀ, ବିଜୟ ସ୍ୱାଇଁ, ସୁବାଷ ରାଉତ, ଲକ୍ଷ୍ମୀ ନୃସିଂହ ରଥ, କେ ନାନ୍ଦେଶୁ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।