ରୋଟାରୀକ୍ଲବ, ପୁରୀ ର ୫୭ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ..

ବିଶ୍ବର ସର୍ବବୃହତ ସଂଭ୍ରାନ୍ତ ସେବାମୂଳକ ସଂଗଠନ ରୋଟାରୀ ଇଣ୍ଟରନ୍ୟାସନାଲ ଦ୍ବାରା ପୁରୀରେ ୧୯୬୯ ମସିହା ଅପ୍ରେଲ ୧୦ ତାରିଖ ଦିନ ପ୍ରତିଷ୍ଠିତ ରୋଟାରୀ କ୍ଲବ, ପୁରୀ ତା’ର ୫୭ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି। ଗୁରୁବାର ସଂଧ୍ୟାରେ ସ୍ଥାନୀୟ ରୋଟାରୀ କମ୍ୟୁନିଟି ସେଣ୍ଟର ପରିସରରେ ଆୟୋଜିତ ଉତ୍ସବ ରେ କ୍ଲବ ର ସଂଖ୍ୟାଧିକ ସଦସ୍ୟ ସପରିବାର ଯୋଗଦାନ କରିଥିଲେ। କ୍ଲବର ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଉତ୍ସବ ରେ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଶୈଳେଶ କୁମାର ବେହେରା ଏହାକୁ ପରିଚାଳନା ଓ ପ୍ରାକ୍ତନ ସଭାପତି ସନ୍ତୋଷ କୁମାର ଲେଙ୍କା ଏହାକୁ ସଂଯୋଜନା କରିଥିଲେ। ଉତ୍ସବରେ ପୁରୀର ମାନ୍ୟବର ରାଜ୍ୟସଭା ସଦସ୍ୟ ଶ୍ରୀଯୁକ୍ତ ଶୁଭାଶୀଷ ଖୁଣ୍ଟିଆ ମୁଖ୍ୟ ଅତିଥି ଏବଂ ରୋଟାରୀ ଡିଷ୍ଟ୍ରିକ୍ଟ 3262 ର DGND ଶ୍ରୀଯୁକ୍ତ ଇନ୍ଦ୍ରଜିତ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ମଙ୍ଗଳପ୍ରଦ ପ୍ରଦୀପ ର ପ୍ରଜ୍ବଳନ ପରେ ସାମୂହିକ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭାପର୍ବ ଆରମ୍ଭ ହୋଇଥିଲା। ସଭାପତି ଶ୍ରୀ ପାତ୍ର ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ସଂପାଦକ ଶ୍ରୀ ବେହେରା କ୍ଲବ ପକ୍ଷରୁ ନିୟମିତ ଚାଲିଥିବା ଚକ୍ଷୁ ପରୀକ୍ଷଣ କେନ୍ଦ୍ର, ଦାତବ୍ୟ ହୋମିଓପ୍ୟାଥିକ ଚିକିତ୍ସାଳୟ ଓ ଯୋଗ ମାଧ୍ୟମରେ ଚିକିତ୍ସା ଆଦି ସମେତ ଅନ୍ୟାନ୍ୟ ସେବାମୂଳକ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ନରେନ୍ଦ୍ର ପାତ୍ର ଓ ଦେବୀପ୍ରସନ୍ନ ନନ୍ଦ କ୍ଲବ ର ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିବା ବେଳେ ବିଜୟ କୁମାର ପତି ରୋଟାରୀ ଦର୍ଶନ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ରୋଟାରୀ ଚାରିଟେବୁଲ୍ ଟ୍ରଷ୍ଟ ର ପ୍ରାକ୍ତନ ଅଧ୍ୟକ୍ଷ ବିଜୟ କୁମାର ପତି, ରାମନାରାୟଣ ପୂଜାପଣ୍ଡା ଓ ନରେନ୍ଦ୍ର ପାତ୍ର ଏବଂ ବର୍ତ୍ତମାନ ର ଅଧ୍ୟକ୍ଷ ଯୁଗବ୍ରତ କର ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ନିଜନିଜର ବକ୍ତବ୍ୟରେ ଅତିଥି ଦ୍ବୟ କ୍ଲବ ର ସେବାକାର୍ଯ୍ୟ ଙ୍କୁ ପ୍ରଶଂସା କରିବା ସହ ସାଧାରଣ ଜନତାଙ୍କ ଉପକାର ନିମନ୍ତେ କୌଣସି ବଡ଼ ତଥା ସ୍ଥାୟୀ ପ୍ରକଳ୍ପ କରିବା ନିମନ୍ତେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଭାବୀ ସଭାପତି ରତିକାନ୍ତ ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସର୍ଜେଣ୍ଟ ଆଟ୍ ଆର୍ମ୍ସ ସମୀର କୁମାର ସୁବୁଦ୍ଧି ଉପସ୍ଥାପନ ବିବରଣି ପ୍ରଦାନ କରିଥିଲେ। ସଭାପର୍ବ ପରେ ପରେ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉତ୍ସବ ପୂର୍ବରୁ ନୀଳାଦ୍ରି ବିଚ୍ ରେ କ୍ଲବ ପକ୍ଷରୁ ଏକ ଥଣ୍ଡା ଓ୍ବାଟର ଫିଲଟର ଲଗାଯାଇଥିଲା। ଉତ୍ସବ ପରିଚାଳନା ରେ ପ୍ରାକ୍ତନ ସଭାପତି ଜୟ ଦାସଗୁପ୍ତା, ନାରାୟଣ ଦାଶ, ଅଜୟ ସାହା, ବଦ୍ରୀନାରାୟଣ ପାତ୍ର ଓ କମଳେନ୍ଦୁ ଦାଶ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ