ଚହଳ ପକାଇଛି ଗୋଲିଆ ଦଣ୍ଡଯାତ୍ରା ନାଟକ “ଅଧା ରାତିର ସାଥୀ”
ବୁଗୁଡ଼ା :ତା ୧୧/୦୪/୨୩ : ଚଳିତ ବର୍ଷ ପବିତ୍ର ଦଣ୍ଡଯାତ୍ରା ଉପଲକ୍ଷେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ଶ୍ରୀ ଶଙ୍କର ଉପାସକ ନାଟ୍ଯ ସଂସଦ ପକ୍ଷରୁ ପରିବେଷିତ ଖଣ୍ଡଗିରି ଯାତ୍ରାର ସୁପରହିଟ୍ ସାମାଜିକ ନାଟକ “ଅଧା ରାତିର ସାଥୀ” ଚାରିଆଡେ ଚହଳ ପକାଇଛି । ନିର୍ଦ୍ଦେଶକ କବିରାଜ ପୋଲେଇ ଓ ସହ-ନିର୍ଦ୍ଦେଶକ ଶିବ ଶଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଉକ୍ତ ନାଟକରେ ପୁରୁଷ ଚରିତ୍ରରେ ୮ ଜଣ ଓ ନାରୀ ଚରିତ୍ରରେ ୭ ଜଣ କଳାକାର ଅଭିନୟ କରୁଛନ୍ତି । ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଯୋଗୁଁ ନାଟକଟି କେବଳ ବୁଗୁଡ଼ା ଅଞ୍ଚଳ ଭିତରେ ନୁହେଁ ବାହାରେ ମଧ୍ୟ ଦର୍ଶକଙ୍କ ଦ୍ବାରା ଖୁବ୍ ଆଦୃତ ହୋଇଛି । ଏଥି ସହ ପ୍ରଗତି ଚିତ୍ରାଳୟର ଆକର୍ଷଣୀୟ ଆଲୋକସଜ୍ଜା ଓ ରୂପସଜ୍ଜା ଦର୍ଶକଙ୍କୁ ବିମୋହିତ ଏବଂ ସୁର ସଙ୍ଗୀତ ସଂସ୍ଥାର କଳାକାରଙ୍କ ସଙ୍ଗୀତ ପରିବେଷଣ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ପାରୁଛି । ବିଭିନ୍ନ ପଞ୍ଚୁଦଣ୍ଡରେ ପରିବେଷିତ ଉକ୍ତ ନାଟକଟି ହଜାର ହଜାର ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ କନ୍ଧ ରାଣୀପଡା ପଞ୍ଚୁଦଣ୍ଡରେ ପ୍ରଥମ ପୁରସ୍କାର ହାତେଇ ଚହଳ ସୃଷ୍ଟି କରିଛି । ଫଳରେ ଗୋଲିଆ ଦଣ୍ଡଯାତ୍ରା ନାଟକର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଦର୍ଶକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି ।