ବୁଗୁଡ଼ା ଅଞ୍ଚଳରେ ମାଳ ମାଳ ଇଟାଭାଟି , ପ୍ରଶାସନ ବାନ୍ଧିଛି ଆଖିରେ ପଟି, କାମ କରୁନି ଆଇନ , ଇଟା ବେପାରୀଙ୍କ ପକେଟରେ ପ୍ରଶାସନ !
ବୁଗୁଡ଼ା : ତା ୧୧/୦୩/୨୪ : ବୁଗୁଡ଼ା ଅଞ୍ଚଳରେ ମାଳ ମାଳ ଇଟାଭାଟି ଗଢି ଉଠିଥିଲେ ହେଁ ଏଠି ପ୍ରଶାସନ ଆଖିରେ ପଟି ବାନ୍ଧି ବସିଲା ଭଳି ପ୍ରତୀୟମାନ ହେଉଛି । ପରିବେଶ ପ୍ରଦୂଷଣକାରୀ ପୋଡ଼ା ଭାଟି ଇଟାକୁ ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ (ଏନ୍ଜିଟି) ସମ୍ପୂର୍ଣ୍ଣ ବେଆଇନ ବୋଲି ଘୋଷଣା କରିବା ସହ ଏହା ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଜାରି କରିଛି । ତେବେ ବୁଗୁଡ଼ା ଅଞ୍ଚଳରେ ଏହାର ବ୍ଯାପକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ନିର୍ଦ୍ଦେଶନାମାକୁ ଖାତିର ନକରି ମାଳ ମାଳ ଇଟା ଭାଟି ଚାଲିଛି । ବେଆଇନ ଇଟା ଭାଟିଗୁଡ଼ିକ ଉପରେ ପ୍ରଶାସନ ଚଢ଼ାଉ କରିବା ପରିବର୍ତ୍ତେ ହାତଗୁଞ୍ଜା ନେଇ ସେମାନଙ୍କୁ ପ୍ରୋତ୍ସାହିତ କଲାଭଳି ମନେ ହେଉଛି । ଆବାସ ଯୋଜନାରେ ଘର ପାଇଥିବା ଲୋକେ ଘର ତିଆରି ପାଇଁ ଇଟା ପକାଉଥିବା ଆଳ ଦେଖାଇ ଇଟା ବେପାରୀଙ୍କୁ ସ୍ଥାନୀୟ ପ୍ରଶାସନ ଖୋଲା ଛାଡି ଦେଇଛି । ଫଳରେ ବୁଗୁଡ଼ା ତହସିଲ ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ପୋଡ଼ା ଇଟାଭାଟି ସଂଖ୍ୟା ବଢ଼ିବାରେ ଲାଗିଛି । କେହି ଅଭିଯୋଗ କଲେ କେବଳ ଲୋକଦେଖାଣିଆ ଫାଇନ କାଟି ଦେଇ ପଲା ଝାଡ଼ି ଦେଉଛି ପ୍ରଶାସନ । ଫଳରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ଅସାଧୁ ବେପାରୀମାନେ ପୋଡ଼ା ଇଟା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି।ଏହା ଦ୍ବାରା ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେବା ସହ ପରିବେଶ ପ୍ରଦୂଷିତ ହେଉଛି । ଇଟାଭାଟିରୁ ନିର୍ଗତ ହେଉଥିବା ଦୂଷିତ ଧୂଆଁ ଯୋଗୁଁ ଆଖପାଖ ଅଞ୍ଚଳର ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଲୋକେ ନାନା ପ୍ରକାର ଶ୍ବାସ ରୋଗର ଶିକାର ହେଉଛନ୍ତି । ଏଭଳି ମାଳ ମାଳ ବେଆଇନ ପୋଡ଼ା ଇଟାଭାଟି ଯୋଗୁଁ ସରକାରଙ୍କ ରାଜସ୍ବ ହାନି,ପରିବେଶ ପ୍ରଦୂଷଣ ଓ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ସତ୍ତ୍ବେ ସ୍ଥାନୀୟ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ ହେତୁ ସତରେ କ’ଣ ଇଟାଭାଟି ବେପାରୀଙ୍କ କବଜାରେ ପ୍ରଶାସନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏଣୁ, ତୁରନ୍ତ ଏଭଳି ବେଆଇନ ପୋଡା ଇଟାବେପାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦୃଢ ଦାବି ହେଉଛି ।