ବାରବାଟୀରେ ଭାରତର ବିରାଟ ବିଜୟ,ମୁଖ୍ୟମନ୍ତ୍ରୀ ଆମ ପାଇଁ ଲକି କହିଲେ କ୍ୟାପଟେନ ସୂର୍ଯ୍ୟ କୁମାର..
କଟକ(ବ୍ୟୁରୋ)ମୁଖ୍ୟମନ୍ତ୍ରୀ ଆମ ପାଇଁ ଲକି।ସେ ଷ୍ଟାଡିୟମ୍ରେ ଉପସ୍ଥିତ ରହିଥିବାରୁ ଭାରତ ଜିତିଲା।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏପରି ପ୍ରଶଂସା କରିଛନ୍ତି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ।ମୁଖ୍ୟମନ୍ତ୍ରୀ ମଧ୍ୟ ସୂର୍ଯ୍ୟକୁମାରଙ୍କୁ ଲକି ବୋଲି କହିଛନ୍ତି।ଉଭୟଙ୍କ ଭିତରେ ହୋଇଥିବା ଏ ପ୍ରକାରର ଆଲୋଚନାକୁ ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହିତ ମ୍ୟାଚ୍ ଦେଖି ବହୁତ ଆନନ୍ଦିତ ଥିବା କହିଥିଲେ।
ବାରବାଟୀକରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବିରାଟ ବିଜୟ ହାସଲ କରିଛି ଭାରତ। ୧୦୧ ର ବଡ଼ ବିଜୟ ହାସଲ କରିଛି ସୂର୍ଯ୍ୟ ବ୍ରିଗେଡ।ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରାକ୍ରମରେ ବାରବାଟୀ ବିଜୟରୁ ଟି-ଟ୍ୱେଣ୍ଟି ବିଶ୍ୱକପ ବିଗୁଲ ବଜାଇଛି ଟିମ୍ ଇଣ୍ଡିଆ।ଭାରତର ବିଜୟ ପରେ ସୂର୍ଯ୍ୟକୁମାର ଓ ମୁଁ ଏକ ଆନନ୍ଦଭରା ମୁହୂର୍ତ୍ତରେ ପରସ୍ପରକୁ ବିଜୟର ବଧେଇ ଦେବା ବେଳେ ଏଭଳି କଥା ହୋଇଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ,ଏହି ମ୍ୟାଚ୍ ବହୁତ ଉତ୍କଣ୍ଠା ଭରା ଥିଲା।ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି।ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି।ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ଉନ୍ନତ ମାନର ଥିଲା।ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍,ପୂରା ପୁଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ।ଆଗକୁ ଷ୍ଟାଡିୟମ୍ରେ ଆହୁରି ମ୍ୟାଚ୍ ହେବ।ସେ ସବୁର ପରିଚାଳନାକୁ ଅଧିକ ଉନ୍ନତ କରାଯିବ।ଏଥିପାଇଁ ସରକାର ପୂରା ତତ୍ପର ଅଛନ୍ତି।ଆଗକୁ ଷ୍ଟାଡିୟମ୍ କିଭଳି ଦର୍ଶକ ବସିବା କ୍ଷମତା ବଢ଼ାଯିବ ସେନେଇ ସରକାର ଯତ୍ନବାନ ରହିଛନ୍ତି।ରାଜ୍ୟ ସରକାରଙ୍କ ପାଖକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ପ୍ରସ୍ତାବ ଆସିଛି। ଏହାକୁ ସରକାର ଗୁରୁତ୍ୱର ସହିତ ନେଇଛନ୍ତି।ଯାହା ଆବଶ୍ୟକ କାର୍ଯ୍ୟ କରିବାକୁ ପଡ଼ିବ ତାହା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
