ଡାକ୍ତରଙ୍କୁ ଟଙ୍କା ନ ଦେଲେ ମିଳୁନି ଶବ ବ୍ୟବଚ୍ଛେଦ ରିପୋର୍ଟ ବାର ଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି ସାପ କାମୁଡାରେ ମୃତ ପୁଅର ମା’
ବାଲେଶ୍ୱର(ଶେଖ ନଜିମ୍): ଘଟଣାଟି ଦୁଇ ମାସ ତଳର । ଗତ ଅକ୍ଟୋବର ୯ ତାରିଖ ରାତି ପ୍ରାୟ ଗୋଟାଏ ବେଳେ ସୋର ବ୍ଲକ ଅନନ୍ତପୁର ଅଂଚଳର ଅଇଁରୀ ଗ୍ରାମର ୧୯ବର୍ଷର ଯୁବକ ବିକାଶ ଚନ୍ଦ୍ର ପରିଜାଙ୍କୁ ଏକ ବିଶାକ୍ତ ରଣା ସାପ କାମୁଡ଼ି ଦେଇଥିଲା । ମା’ ମମତାମଞ୍ଜରୀ ତାଙ୍କୁ ସଙ୍ଗେ ସଙ୍ଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ବିକାଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ସେହି ଅନୁସାରେ ତାଙ୍କ ମା’ ଓ ଅନ୍ୟ ସମ୍ପର୍କୀୟମାନେ ଆମ୍ବୁଲାନ୍ସ ଯୋଗେ ମେଡିକାଲ କଲେଜକୁ ବିକାଶଙ୍କୁ ନେଇ ଆସିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବିକାଶଙ୍କ ମୃତ୍ୟୁ ହୋଇଯାଇଥିଲା । ପୂର୍ବରୁ ସ୍ୱାମୀ ରାମଚନ୍ଦ୍ର ପରିଡାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ପୁଅ ବିକାଶ ମଧ୍ୟ ମୃତ୍ୟୁବରଣ କରିବା ପରେ ମା’ ମମତା ମଞ୍ଜରୀଙ୍କ ସଂଘର୍ଷର ଦିନ ଆରମ୍ଭ ହୋଇଯାଇଥିଲା । ବିକାଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ କଲେଜ କର୍ତ୍ତୃପକ୍ଷ ଶିଳ୍ପାଂଚଳ ଥାନାକୁ ଖବର ଦେଇଥିଲେ । ଥାନାର ତଦନ୍ତ ଅଧିକାରୀ ଇପ୍ସିତା ନାୟକ ୫୪/୨୦୨୪ନଂର ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସେଠାରେ ଡାକ୍ତର ଭକ୍ତ ନାରାୟଣ ମୁଣ୍ଡା ଶବ ବ୍ୟବଚ୍ଛେଦ ସାରିବା ପରେ ମମତାମଞ୍ଜରୀଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ସାପ କାମୁଡାରେ ମୃତ୍ୟୁ ହୋଇଥିବା ପ୍ରମାଣିତ ହେଲେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ପ୍ରଦାନ କରିଥାନ୍ତି । ଏଥିପାଇଁ ସୋର ତହସିଲଦାରଙ୍କ ପ୍ରମାଣପତ୍ର ଆବଶ୍ୟକ । ଏହା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ବି ଦରକାର । ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳୁନଥିବାରୁ ମମତାମଞ୍ଜରୀ ଓ ତାଙ୍କ ଭାଇ କମଳା କାନ୍ତ ଶଙ୍ଖୁଆ ବାରମ୍ବାର ଶିଳ୍ପାଂଚଳ ଥାନାରେ ଯୋଗାଯୋଗ କରିବା ଅନ୍ତେ ତଦନ୍ତ ଅଧିକାରୀ ଜଣକ ପରାମର୍ଶ ଦେଇଥିଲେ ମେଡିକାଲ କଲେଜରେ ବୁଝିବା ପାଇଁ । ମେଡିକାଲ କଲେଜ ଯିବାରୁ ସେଠାରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଝିବାକୁ କୁହାଯାଇଥିଲା । ସେହି ଅନୁସାରେ ରିପୋର୍ଟ ପାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଠି ସେଠି ପଚରା ଉଚୁରା କରୁଥିବା ବେଳେ ତାଙ୍କର ସାକ୍ଷାତ ହୋଇଥିଲା ଠିକାରେ ନିୟୋଜିତ ସର୍ଜରୀ ୱାର୍ଡ୍ର ଆଟେଣ୍ଡାଂଟ ପ୍ରଫୁଲ୍ଲ କୁମାର ବେହେରାଙ୍କ ସହ । ରିପୋର୍ଟ ପାଇବା ନେଇ ସେ ସହଯୋଗ କରିବା ପ୍ରତିଶୃତି ଦେଇ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ କଥା ହେବେ ବୋଲି କହିଥିଲେ । ଥରେ ଦୁଇ ଥର ତାଙ୍କୁ ଯୋଗାଯୋଗ କରିବା ପରେ ସେ ମମତାମଞ୍ଜରୀଙ୍କୁ ଡାକ୍ତରଖାନା ଡାକି ରିପୋର୍ଟ ପାଇବାକୁ ୧୦ହଜାର ଟଙ୍କା ମାଗିଥିଲେ । ଗରିବ ମମତା ନିଜର ଅକ୍ଷମତା ପ୍ରକାଶ କରିଥିଲେ ବି ମାନବିକାତା ହୀନ ଡାକ୍ତରଙ୍କ ଏଜେଂଟ ପ୍ରଫୁଲ୍ଲ କିଛି ଶୁଣି ନଥିଲେ । ପରେ ଧାର ଉଧାର କରି ମମତାଙ୍କ ଭାଇ କମଳା ୩ହଜାର ଟଙ୍କା ପ୍ରଫୁଲ୍ଲଙ୍କୁ ଦେଇଥିଲେ । ପୂର୍ବରୁ ସ୍ୱାମୀ ଓ ଏବେ ପୁତ୍ରର ମୃତ୍ୟୁ ପରେ ଅତ୍ୟନ୍ତ ଗରିବ ଘରର ମମତାମଞ୍ଜରୀଙ୍କ ପାଇଁ ସେଇ ଅନୁଗ୍ରହ ରାଶି ହିଁ କେବଳ ଶାନ୍ତ୍ୱନା ବୋଲି ବିଚାର ପୂର୍ବକ ଅନନ୍ତପୁର ରାଜସ୍ୱ ଅଧିକାରୀ ତଦନ୍ତ ପରେ ସୋର ତଦସିଲଦାର ଫକୀର ମୋହନ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ମୃତ ବିକାଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ ପାଇଁ ପତ୍ର ଲେଖିଥିଲେ ନଭେମ୍ବର ୧୧ ତାରିଖରେ । ଇତି ମଧ୍ୟରେ ବାକି ଥିବା ୭ହଜାର ଟଙ୍କା ନଦେବାରୁ ନଭେମ୍ବର ୧୨ ତାରିଖ ଦିନ ୱାର୍ଡ୍ ଆଟେଣ୍ଡାଂଟ ପ୍ରଫୁଲ୍ଲ ଫୋନ-ପେ ମାଧ୍ୟମରେ ନେଇଥିବା ୩ହଜାର ଟଙ୍କା ଫେରାଇ ଦେଇଥିଲେ । ଏହା ସହିତ ମମତା ଓ ତାଙ୍କ ଭାଇ କମଳାଙ୍କୁ ହସପିଟାଲକୁ ଡାକି ଥାନାକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ପଠାଯାଇଥିବା କହିଥିଲେ । ମମତା ଶିଳ୍ପାଂଚଳ ଥାନାରେ ପହଂଚି ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଥିଲେ । ମାତ୍ର ସେହି ରିପୋର୍ଟରେ ଯାହା ଲେଖା ଥିଲା, ତାହା ତାଙ୍କ କଟା ଘା ରେ ଚୁନ ମାରିବା ସଦୃଶ । ଟଙ୍କା ନ ପାଇବାରୁ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ମୁଣ୍ଡା ଭିସେରା ପରୀକ୍ଷଣ ପାଇଁ ରିପୋର୍ଟକୁ ସ୍ଥଗିତ ରଖାଯାଇଥିବା ଦର୍ଶାଇଛନ୍ତି । ଭିସେରା ପରୀକ୍ଷା କେବେ ହେବ, ପୂର୍ଣ୍ଣାଙ୍ଗ ରିପୋର୍ଟ କେବେ ମିଳିବ ତାହାର ଉତ୍ତର କାହା ପାଖରେ ନାହିଁ । ଅନୁଦାନ ତ ଦୂରର କଥା ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇବାକୁ ଏବେ ମମତା ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି ।
ଏ ସମ୍ପର୍କରେ ଗତ ନଭେମ୍ବର ୨୮ ତାରିଖରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ତାଙ୍କ ଦୁଃଖ ଶୁଣିବା ପରେ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ସହ ମମତାଙ୍କୁ ଆଶ୍ୱସନା ଦେଇଥିଲେ । ଆଜକୁ ୧୨ ଦିନ ବିତି ଯାଇଥିଲେ ବି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାର ନା ଧରୁନାହିଁ । ବୋଧହୁଏ ଟଙ୍କା ନ ଦେବା ପର୍ଯ୍ୟନ୍ତ ରିପୋର୍ଟ ମିଳିବ ନାହିଁ । ରିପୋର୍ଟ ପାଇବା ପରେ ଅନୁଗ୍ରହ ରାଶି ପାଇବାକୁ ଆଉ କିଏ କେତେ ଟଙ୍କା ମାଗିବେ ତାହାକୁ ନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି ମମତା ।