ବରିଷ୍ଠ ବିଜେପି ନେତା ତଥା ଶିକ୍ଷାବିତ୍ ଡ଼ଃ ବିଶ୍ୱନାଥ ରଥଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ପୁର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ
ବରିଷ୍ଠ ବିଜେପି ନେତା, ନାରୀକେଳ ବିକାଶ ବୋର୍ଡର ପ୍ରାକ୍ତନ ଉପଧକ୍ଷ୍ୟ, ବିଶିଷ୍ଟ ଶିକ୍ଷାବିତ୍ ତଥା ଆଇ.ଏମ.ଟି. ଶିକ୍ଷାନୁଷ୍ଠାନ ସମୁହର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ରଥଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଆଜି ଅତ୍ୟନ୍ତ ଶ୍ରଦ୍ଦାର ସହିତ ପାଳିତ ହୋଇଯାଇଛି । ପୁରୀ, ଗୋପାଳପୁର ସ୍ଥିତ ଆଇ.ଏମ.ଟି. ଫାର୍ମାସୀ କଲେଜ ପରିସର ମଧ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ସ୍ବର୍ଗତ ବିଶ୍ୱନାଥ ରଥଙ୍କ ସ୍ମୃତିଚାରଣ କରିଥିଲେ । ସ୍ବର୍ଗତ ରଥ ସତ୍ୟ, ଧର୍ମ ଓ କର୍ତ୍ତବ୍ୟ ପରାୟଣତାର ଜ୍ୱଳନ୍ତ ଉଦାହରଣ ଥିଲେ ଓ ତାଙ୍କର ଜୀବନୀ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ ବୋଲି ବାଚସ୍ପତି ମହୋଦୟା କହିଥିଲେ । ଏହି ସଭାରେ ସଭାପତିତ୍ବ କରିଥିଲେ ଆଇ.ଏମ.ଟି. ଶିକ୍ଷାନୁଷ୍ଠାନ ସମୁହର ଅଧ୍ୟକ୍ଷା ପଙ୍କଜିନୀ ରଥ । ସ୍ମୃତିସଭାକୁ ସମ୍ବୋଧିତ କରିଥିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ ଷଢଙ୍ଗୀ, ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଶ୍ରୀ ରମାରଞ୍ଜନ ବଳିୟାରସିଂହ, ସଞ୍ଜିବନୀ ହସ୍ପିଟାଲ ମୁଖ୍ୟ ଡ଼ା: ଦେବେନ୍ଦ୍ର ନାଥ ତରାଇ |
ଆଇ.ଏମ.ଟି. ଅନୁଷ୍ଠାନର ପ୍ରଶାସନିକ ନିର୍ଦ୍ଦେଶକ ତଥା ସ୍ବର୍ଗତ ରଥଙ୍କ ପୁତ୍ର ଶ୍ରୀ ମନୋଜ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାମଞ୍ଚରେ ଉପସ୍ଥିତ ଥିଲେ ବରୀଷ୍ଠ ବି.ଜେ.ପି ନେତା ଶ୍ରୀ କୃଷ୍ଣଚନ୍ଦ୍ର ଜଗଦ୍ଧେବ, ଶ୍ରୀ ସୁରଥ ବିଶ୍ବାଳ, ଶ୍ରୀ ପ୍ରଭଞ୍ଜନ ମହାପାତ୍ର । ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ ଶ୍ରୀକ୍ଷେତ୍ର ପୁରୀର ପୁରାତନ ମଠର ମଠାଧିଶ ଓ ସନ୍ଥ ବୃନ୍ଦ ଯଥା ପାପୁଡିଆ ମଠର ରାମକୃଷ୍ଣ ଦାସ ମହାରାଜ, ନେବଳଦାସ ମଠର ରାମଚରଣ ଦାସ ମହାରାଜ, ରାଧାବଲ୍ଲଭ ମଠ, ମଣିରାମ୍ ମଠ, ବଡଛତା ମଠ, ସାନଛତା ମଠ, ମହିପ୍ରକାଶ ମଠ, ହାତୀ ଆଖଡ଼ା ମଠ , ବଳଗଣ୍ଡି ମଠ ଓ ଅନ୍ୟାନ୍ୟ ମଠର ସନ୍ଥ ମହନ୍ତ ମାନେ । ଏହି ସ୍ମୃତିସଭା ଅବସରରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ସ୍ବର୍ଗତ ଡ଼: ବିଶ୍ୱନାଥ ରଥଙ୍କର ଏକ ପୂର୍ନାବୟବ ପ୍ରତିମୂର୍ତ୍ତିକୁ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଅନାବରଣ କରିଥିଲେ । ମଞ୍ଚ ପରିଚଳନା କରିଥିଲେ ଶ୍ୟାମ ପ୍ରକାଶ ସେନାପତି
ଓ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ ଆଇ.ଏମ.ଟି. ଶିକ୍ଷାନୁଷ୍ଠାନ ର ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତାଗଣ । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ଆସିଥିବା ବରିଷ୍ଠ ନାଗରିକ ଓ ଶୁଭେଛୁ ମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମ ର ମର୍ଯ୍ୟାଦା ବୃଦ୍ଧି କରିଥିଲା |
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
