March 10, 2026

ଉଦଯାପିତ ହେଲା ବାଲେଶ୍ୱର ସହରର ସିଦ୍ଧି ବିନାୟକ ମନ୍ଦିରର ୧୭ ତମ ସିଦ୍ଧିବିନାୟକ ମହୋତ୍ସବ

IMG-20250910-WA0001
Share

 

 

ଗଣେଶ ଚତୁର୍ଥୀରୁ ବାଲେଶ୍ୱର ସହରର ସିନେମାଛକ ସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ୧୧ଦିନ ଧରି ଚାଲିଥିବା ୧୭ତମ ସିଦ୍ଧିବିନାୟକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଟାଉନ ଥାନ ଅଧିକାରୀ ବିଜୟ କୁମାର ଦାସ ଓ ଯୁବ ସଂଗଠକ ବିକାଶ କୁମାର ପାଢୀ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସିଦ୍ଧି ବିନାୟକ କମିଟିର ଉତୋରତର ଉନ୍ନତି କାମନା ସହ ଏହି ମହୋତ୍ସବ ଶତାଧିକ ବର୍ଷ ପର୍ଯ୍ୟନ୍ତ ନିଜସ୍ୱ ଗାରିମା ବଜାୟ ରଖୁ ବୋଲି କାମନା କରିଥିଲେ । ଏଥିରେ କମିଟିର ସଭାପତି ଦୂର୍ଗା ପ୍ରସନ୍ନ ଦାସ ପୌରହିତ୍ୱ କରିଥିବା ବେଳେ ଅର୍ଦ୍ଧେନ୍ଦୁ ଶେଖର ଦାସ ମଂଚ ପରିଚାଳନା କରିଥିଲେ । ଏହି ମହୋତ୍ସବ ରବିବାର ସମ୍ପନ୍ନ ହେବାର ଥିଲେ ବି ଚନ୍ଦ୍ରଗ୍ରହଣ ପାଇଁ ଗୋଟିଏ ଦିନ ବିଳମ୍ବିତ ହୋଇଥିବା କମିଟିର କର୍ମକର୍ତାମାନେ ସୂଚନା ଦେଇଥିଲେ । ପରେ ଭୂବନେଶ୍ୱରରୁ ଆସିଥିବା କଳାକାରମାନେ ଭଜନ ପରିବେଷଣ କରିଥିଲେ । ବିଗତ ୧୧ ଦିନ ଧରି ଚାଲିଥିବା ମହୋତ୍ସବରେ ପ୍ରତ୍ୟେହ ସଂଖ୍ୟାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ବିଧି ପୂର୍ବକ ମଙ୍ଗଳଆରତୀ ଓ ଷୋଡ଼ଶ ଉପଚାର ପୂଜା ନୀତି ପରେ ହୋମଯଜ୍ଞାଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅନନ୍ତ ଚତୁର୍ଦ୍ଧଶୀ ଅବସରରେ ଯଜ୍ଞରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା । ତେବେ ମହୋତ୍ସବ ଉପଲକ୍ଷେ ଚଳିତ ବର୍ଷ ସ୍ଥାନୀୟ ପ୍ରତିଭାଙ୍କ ମଧ୍ୟରେ ନାଚ, ଗୀତ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା । ୨୦୦ ଶହ ପ୍ରତିଯୋଗୀଙ୍କ ମଧ୍ୟରୁ ୫୦ ଜଣଙ୍କୁ ପ୍ରତିଯୋଗିତା ପାଇଁ ନିର୍ଣ୍ଣାୟକ ମଣ୍ଡଳୀ ଦ୍ୱାରା ମନୋନୀତ କରାଯାଇଥିଲା । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚୟନ ପ୍ରତିଯୋଗୀମାନେ ମହୋତ୍ସବରେ ଦଶଦିନ ଧରି ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଶନିବାର ଆୟୋଜିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଇମାମୀ ପେପର ମିଲ୍‌ସର ବରିଷ୍ଠ ସଭାପତି ଆଶିଷ ଗୁପ୍ତା, କୁଲବିନ୍ଦର ସିଂହ ସିନ୍ଧୁ, ଯୁବ ନେତା ବିକ୍ରମ ପଣ୍ଡା, ଏସଆର ଗ୍ରୁପ ଅଫ କମ୍ପାନୀଜ୍‌ର ଚେୟାରମ୍ୟାନ ରାଜେଶ ମହାକୁଡ ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦେଇ ସିଦ୍ଧି ବିନାୟକ ମନ୍ଦିର ପରିଚାଳନା କମିଟି ଓ ସିଦ୍ଧିବିନାୟକ ମହୋତ୍ସବର କର୍ମକର୍ତାଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ । ଉଦୀୟମାନ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସିଦ୍ଧିବିନାୟକ ମହୋତ୍ସବ ଏକ ସୁନ୍ଦର ପ୍ଲାଟଫର୍ମ ହୋଇପାରିଥିବା ସେମାନେ କହିଥିଲେ । ସିଦ୍ଧି ବିନାୟକ କମିଟିର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।