ଲାଞ୍ଜିଗଡ଼ରେ ଥିବା ସମସ୍ୟାର ସମାଧାନ କେବେ ?

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ ଗ୍ରାମରେ ସବୁ ସମୟରେ କିଛି ନା କିଛି ସମସ୍ୟା ଲାଗି ରହିଛି l ପୂର୍ବରୁ ଅନେକ ଥର ବିଭିନ୍ନ ସମସ୍ୟା ଉପରେ ଖବର ପ୍ରକାଶିତ ହେବା ସତ୍ୱେ କୌଣସି ସମାଧାନ ହୋଇପାରିନାହିଁ l ବର୍ତ୍ତମାନ ଗୋଟିଏ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି ରାସ୍ତା l ନଂ 6 ରାଜ୍ୟ ରାଜପଥ ପୋଖରୀବନ୍ଧରୁ ଲାଞ୍ଜିଗଡ଼ ଦେଇ ବିଜେପୁରକୁ ସଂଯୁକ୍ତ କରୁଥିବା ରାସ୍ତାଟି ଲାଞ୍ଜିଗଡ଼ ଗ୍ରାମ ନିକଟରେ ଅଟକି ଯାଇଛି l ଲାଞ୍ଜିଗଡ଼ ହାଇସ୍କୁଲଠାରୁ ରଜାପଡ଼ା ପର୍ଯ୍ୟନ୍ତ ହାରାହାରି ତିନିଶ ମିଟର ରାସ୍ତାର ଅବସ୍ଥା କହିଲେ ନ ସରେ l କିଛି ମାସ ତଳେ ଡ୍ରେନ ସଫା କରିବା ଆଳରେ ଦୁଇ ସାଇଡ଼ରେ ଡ୍ରେନ ଉପରେ ଥିବା କଂକ୍ରିଟ ପ୍ଲେଟ ଗୁଡିକ ଉଠାଇ ରାସ୍ତା ଉପରେ ପକାଇ ଦିଆ ଯାଇଥିଲା l ଅସାବଧାନତା ଯୋଗୁଁ ଅନେକ ପ୍ଲେଟ ଭାଙ୍ଗି ଯାଇଥିଲା l କୁହାଗଲା ଯେ ନୂଆ ପ୍ଲେଟ ତିଆରି ହୋଇ ଡ୍ରେନ ଉପରେ ପଡ଼ିବ l କିନ୍ତୁ ଦୀର୍ଘ ଦିନ ହେଲା ଡ୍ରେନ ସେହିପରି ମୁକୁଳା ମୁକୁଳା ହୋଇ ପଡିଛି, ତାହା ପ୍ରତି ଆଉ ନଜର ଦିଆ ଗଲାନି l ଡ୍ରେନରେ ପୁଣି ଆବର୍ଜନା ଭର୍ତ୍ତି ହୋଇ ଗଲାଣି l ଏକେ ତ ଅଣଓସାରିଆ ରାସ୍ତା l ତା ଉପରେ ପୁରୁଣା ଭଙ୍ଗା କଂକ୍ରିଟ ପ୍ଲେଟ ଗୁଡିକ ରାସ୍ତା ଉପରେ ଏଣେ ତେଣେ ବିକ୍ଷିପ୍ତ ଭାବେ ପଡ଼ି ରହିଛି l ପୁଣି ଏଠାରେ ବେଦାନ୍ତ ଆଲୁମିନା ପ୍ରକଳ୍ପ ଥିବା ଯୋଗୁଁ ପ୍ରତିଦିନ ଛୋଟ ବଡ଼ ଗାଡ଼ି ଶହ ଶହ ସଂଖ୍ୟାରେ ଚାଲିଛି l ଫଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟି ଯାଉଛି l ପୁଣି ଏ ରାସ୍ତା ଉପରେ ଦୁଇପଟେ ମଟରସାଇକେଲ ଏବଂ ଅନ୍ୟ ଗାଡ଼ି ସବୁ ପାର୍କିଂ କରିବା ଯୋଗୁଁ ଯାନ ବାହାନ ଏବଂ ଲୋକଙ୍କ ଚଳାଚଳରେ ଘୋର ଅସୁବିଧା ସୃଷ୍ଟି ହେଉଛି l ଲାଞ୍ଜିଗଡ଼ର ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କୁ ଏ ବିଷୟରେ ପଚାରିବାରୁ ସେ ନିରୁତ୍ତର ରହୁଛନ୍ତି l ତେଣୁ ସେ ଲାଞ୍ଜିଗଡ଼ ପଞ୍ଚାୟତ କିପରି ବିକାଶ କରୁଛନ୍ତି ତାହା ସହଜରେ ଅନୁମେୟ l ଯେଉଁ ବେଦାନ୍ତ କମ୍ପାନୀ ପାରିପାର୍ଶ୍ଵିକ ଉନ୍ନତି କରୁଛି ବୋଲି ଡିଣ୍ଡିମ ପିଟୁଛି ଏବଂ ଯାହାର ଶହ ଶହ ଗାଡ଼ି ଏବଂ ହଜାର ହଜାର କର୍ମୀ ଏଇ ରାସ୍ତା ଦେଇ ଯାତାୟତ କରୁଛନ୍ତି, ସେ କମ୍ପାନୀ ମଧ୍ୟ ଏ ବିଷୟରେ ନୀରବ l ଏଇ ରାସ୍ତାରେ ବିଧାୟକ, ଜିଲ୍ଲାପାଳ, ବିଡିଓ ସମସ୍ତେ ଯାଉଛନ୍ତି, କିନ୍ତୁ ଏ ସମସ୍ୟା ପ୍ରତି କାହାରି ଦୃଷ୍ଟି ନାହିଁ l ରାସ୍ତା ଉପରେ ବହି ଚାଲିଥିବା ଦୁର୍ଗନ୍ଧ ନର୍ଦ୍ଦମା ପାଣି ତ ଏ ଖରାଦିନେ ବି ଶୁଖିବାର ନାଁ ନାହିଁ l
ଏଇ ମୁଖ୍ୟ ରାସ୍ତାଟିର ସମ୍ପ୍ରସାରଣ ହେବା କଥା ଅନେକ ଦିନରୁ ଶୁଣାଯାଉଛି,କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇ ପାରିନାହଁ l ଯଦି ତାହା ହୋଇଥାନ୍ତା ତାହେଲେ ଆଜି ଲାଞ୍ଜିଗଡ଼ବାସୀ ଏ ଅସୁବିଧାର ସମ୍ମୁଖୀନ ହୋଇ ନ ଥାଆନ୍ତେ l
ଲାଞ୍ଜିଗଡ଼ ରଜାପଡ଼ା ଛକରୁ ଜଗନ୍ନାଥପୁର ଛକ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ l ରାସ୍ତା ତିଆରି କରିବା ନାଁ ରେ ରାସ୍ତାକୁ ଏପରି ସଂକୁଚିତ କରି ଦିଆଯାଇଛି ଯେ, ଗୋଟିଏ ଛୋଟ ଗାଡ଼ି ଆସୁଥିଲେ ମଧ୍ୟ ଗୋଟିଏ ସାଇକେଲ ଯିବାକୁ ରାସ୍ତା ମିଳୁନାହିଁ l ପାଦରେ ଚାଲି ଯିବା ବି କଷ୍ଟକର ବ୍ୟାପାର l ଏଇ ସ୍ଥିତି ବର୍ଷ ବ୍ୟାପି ଲାଗି ରହିଛି l ଏଥିପାଇଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି l
ଲାଞ୍ଜିଗଡ଼ର ଆଉ ଏକ ସମସ୍ୟା ହେଲା ଶ୍ମଶାନ l ସରକାରଙ୍କ ନିକଟରେ ଏ ବିଷୟ ନେଇ ଅନେକ ଥର ଦାବୀ ହୋଇଛି ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି, ତଥାପି ଏ ଯାଏଁ ତାର ସମାଧାନ ହୋଇ ପାରିନାହିଁ l ଲାଞ୍ଜିଗଡ଼ରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ସ୍ୱତନ୍ତ୍ର ଭାବେ ଏକ ଶ୍ମଶାନ ଗୃହର ଅତି ଆବଶ୍ୟକ ଅଛି l ଲୋକେ ଏଣେ ତେଣେ ଶବ ଦାହ କରିବା ଯୋଗୁଁ ଅନେକ ସମସ୍ୟା ଉପୁଜୁଛି l ବର୍ଷା ଦିନେ ଏହି ସମସ୍ୟା ଆହୁରି ବଢ଼ି ଯାଉଛି l ତେଣୁ ୟାର ସମାଧାନ ନିହାତି ଆବଶ୍ୟକ l
ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦୃଢ଼ ଦାବୀ କରନ୍ତି l ନଚେତ ଆଉ ଏକ ବିକଳ୍ପ ମଧ୍ୟ ଅଛି l ଯେହେତୁ ଲାଞ୍ଜିଗଡ଼ରେ ବେଦାନ୍ତ କମ୍ପାନୀର ଆଲୁମିନା ରିଫାଇନେରୀ ଅଛି ଏବଂ ତାର ପ୍ରତିଶୃତି ମୁତାବକ ପାରିପାର୍ଶ୍ଵିକ ଉନ୍ନୟନ ଭିତ୍ତିରେ କମ୍ପାନୀ ଉପରୋକ୍ତ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ସରକାର କମ୍ପାନୀ ଉପରେ ଚାପ ପକାଇ ଲାଞ୍ଜିଗଡ଼କୁ ସମସ୍ୟା ମୁକ୍ତ କରନ୍ତୁ l କାରଣ ଦୀପ ତଳ ଅନ୍ଧାର ପରି ଲାଞ୍ଜିଗଡ଼ରେ ବେଦାନ୍ତ କମ୍ପାନୀ ଥାଇ ମଧ୍ୟ ଅଞ୍ଚଳବାସୀ କୌଣସି ସୁବିଧା ପାଉ ନାହାନ୍ତି l ଯଦି ସରକାର ଏ ସବୁ ସମସ୍ୟାର ସମାଧାନ ପାଇଁ ଶୀଘ୍ର କୌଣସି ପଦକ୍ଷେପ ନ ନିଅନ୍ତି, ତାହେଲେ ଏ ଅଞ୍ଚଳର ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଶୁଣାଯାଉଛି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର