March 7, 2026

ଶିଶୁ ବିବାହ ମୁକ୍ତ ଭାରତ ସ୍ୱପ୍ନ ସାକାର ହେବା ଏଵେ ସମ୍ଭବ

IMG-20251209-WA0159
Share

 

ଅନୁଗୋଳ,୦୯/୧୨: ଅନୁଗୋଳ, ଢେଙ୍କାନାଳ ଓ ବୌଦ ଜିଲ୍ଲାରେ ସରକାରଙ୍କ ଶହେ -ଦିନିଆ ଅଭିଯାନକୁ ଆଗେଇ ନେଉଛି ବିଶ୍ୱ ଯୁବ କେନ୍ଦ୍ର।

 

ଭାରତ ସରକାର 2030 ସୁଦ୍ଧା ଦେଶକୁ ଶିଶୁ ବିବାହମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ। ଏହି ପ୍ରତିବଦ୍ଧତା ପାଇଁ ଅନୁଗୁଳ, ଢେଙ୍କାନାଳ ଓ ବୌଦ ଜିଲ୍ଲାରେ ‘ବାଳ ବିବାହ ମୁକ୍ତ ଭାରତ’ର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ କରାଗଲା। ଶିଶୁ ବିବାହ ସମ୍ପୂର୍ଣ ଭାବେ ମୂଳପୋଛ କରିବା ପାଇଁ ଜିଲ୍ଲାରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ବିଶ୍ୱ ଯୁବ କେନ୍ଦ୍ର ସମସ୍ତ ବିଭାଗ ଓ ଏଜେନ୍ସିଙ୍କ ସହ ସମନ୍ୱୟରେ କାମ କରି, ସରକାରଙ୍କ ‘100-ଦିନିଆ ସଚେତନତା ଅଭିଯାନ’କୁ ଜିଲ୍ଲାରେ ସଫଳ କରିବାକୁ ଦୃଢ଼ ନିଶ୍ଚୟ କରିଅଛି।

 

ନୂଆ ଦିଲ୍ଲୀରେ କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ‘ବାଲ ବିବାହ ମୁକ୍ତ ଭାରତ’ର ପ୍ରଥମ ବାର୍ଷିକୀ ଅବସରରେ ଆରମ୍ଭ ହୋଇଥିବା 100-ଦିନିଆ ଯୋଜନା ଶିଶୁ ବିବାହକୁ ବଢ଼ିବାକୁ ଦେଇଥିବା ସମଗ୍ର ପରିବେଶକୁ ପ୍ରଭାବିତ କରିବାକୁ ଏକ ଲକ୍ଷ୍ୟଭିତ୍ତିକ ରଣନୀତି ପ୍ରସ୍ତୁତ କରିଅଛି। ଦେଶ ଶିଶୁ ବିବାହକୁ ସମ୍ପୂର୍ଣ ବନ୍ଦ କରିବାକୁ ନେତୃତ୍ୱ ନେଉଥିବାବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ କହିଥିଲେ ଯେ, ସ୍ପଷ୍ଟ ନୀତି, ନିରନ୍ତର କାର୍ଯ୍ୟ ଓ ତୃଣମୂଳ ସ୍ତରର ସୁନିଶ୍ଚିତ ପ୍ରୟାସ ସହିତ ଭାରତ ଶିଶୁ ବିବାହ ଅବସାନ ପଥରେ ଦୃଢ଼ତାର ସହ ଆଗେଇଯାଉଛି।

 

ଭାରତ ସରକାର ସମସ୍ତ ରାଜ୍ୟ ସରକାରଙ୍କୁ 100-ଦିନିଆ ଅଭିଯାନରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଯେପରିକି ବାଲ୍ୟ ବିବାହ ମୁକ୍ତ ଭାରତ ପ୍ରତି ସମୁଦାୟ ମଧ୍ୟରେ ପରିବର୍ତ୍ତନ ସୃଷ୍ଟି କରୁ। ଏହି ନିର୍ଦ୍ଦେଶ ଅନୁକ୍ରମେ, ଓଡିଶା ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ୍ ବିଭାଗ, ଗ୍ରାମୀଣ ବିକାଶ ବିଭାଗ, ଗଣ ଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସକ୍ରିୟ ଭାବରେ ଅଭିଯାନକୁ ପ୍ରଭାବଶାଳୀ କରିବା ପାଇଁ ନିର୍ଦ୍ଦେଶ ଦେଇଛି।

 

ଜିଲ୍ଲାରେ ଶିଶୁ ବିବାହ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ଲଗାତର ପ୍ରୟାସକୁ ସ୍ୱାଗତ କରି, ବିଶ୍ୱ ଯୁବ କେନ୍ଦ୍ରର ନିର୍ଦେଶକ ମନୋଜ କୁମାର ମହାପାତ୍ର କହିଥିଲେ,

“ଆମ ଜିଲ୍ଲାର ପ୍ରଶାସନ ଶିଶୁ ବିବାହ ବିରୋଧରେ ସକ୍ରିୟ ଭାବରେ ଲଢ଼ୁଛି। ସେମାନଙ୍କ ସହ ସମନ୍ୱୟରେ କାମ କରି ଆମେ ଏଯାଏ ପହଞ୍ଚିଛୁ। ଆଜି ଯେତେବେଳେ ସମସ୍ତ ଦେଶ ଏକତାବଦ୍ଧ ଏବଂ ଶ୍ରେଷ୍ଠ ନେତୃତ୍ୱ ଆମକୁ ଶିଶୁ ବିବାହମୁକ୍ତ ଭାରତ ପଥରେ ନେଇଯାଉଛି, 2030 ପୂର୍ବରୁ ଏହି ଅପରାଧକୁ ଅବସାନ କରିବାରେ କୌଣସି ବାଧା ନାହିଁ। ଯାହା କେବେ ଅସମ୍ଭବ ଥିଲା, ତାହା ଆଜି ସତ୍ୟ ହେବାକୁ ଯାଉଛି, ଏବଂ ଏହି ଐତିହାସିକ ମୁହୂର୍ତ୍ତର ଅଂଶ ହୋଇପାରି ଆମେ ଗର୍ବିତ।”

 

ବିଶ୍ୱ ଯୁବ କେନ୍ଦ୍ର ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍’ର ଏକ ସହଯୋଗୀ, ଯାହା ଦେଶର ସବୁଠାରୁ ବଡ଼ ଶିଶୁ ସୁରକ୍ଷା ନେଟୱାର୍କମାନଙ୍କ ମଧ୍ୟରୁ ଗୋଟିଏ। 250ରୁ ଅଧିକ ଏନଜିଓ ସହଯୋଗୀ ସହିତ, ଏହି ନେଟୱାର୍କ ଗତ ଗୋଟିଏ ବର୍ଷରେ ଲକ୍ଷାଧିକ ଶିଶୁ ବିବାହ ପ୍ରତିରୋଧ କରିଛି।

 

‘100-ଦିନିଆ ଏହି ଜାଗରୁକତା ଅଭିଯାନ’ ସ୍କୁଲ ଓ ଶିକ୍ଷାନୁଷ୍ଠାନ, ବିବାହ ସମ୍ପନ୍ନ ହୋଇଥିବା ଧାର୍ମିକ ସ୍ଥାନ, ବିବାହ ସମ୍ପର୍କିତ ସେବାଦାତାମାନେ, ଏବଂ ଶେଷରେ ପଞ୍ଚାୟତରେ କେନ୍ଦ୍ରିତ ହୋଇ ଏହି ଅପରାଧକୁ ଶେଷ କରିବାର ଲକ୍ଷ୍ୟରେ ଏକ ଲକ୍ଷ୍ୟଭିତ୍ତିକ ରଣନୀତି ଗଠନ କରିଛି।

 

ଏହି ଅଭିଯାନ 8 ମାର୍ଚ୍ଚ 2026ରେ ଆନ୍ତର୍ଜାତୀୟ ନାରୀ ଦିବସରେ ସମାପ୍ତ ହେବ। ରାଜ୍ୟ, ଜିଲ୍ଲା ଓ ଗ୍ରାମ ସ୍ତରରେ ପାଳନ ହେବାକୁ ଥିବା ଏହି ଯୋଜନା 3ଟି ପର୍ଯ୍ୟାୟରେ ବିଭାଜିତ। ପ୍ରଥମ ପର୍ଯ୍ୟାୟରେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଧାର୍ମିକ ସ୍ଥାନ ଓ ବିବାହ ସମ୍ପର୍କିତ ସେବାଦାତା—ଯେପରିକି ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା, ବିବାହ ମଣ୍ଡପ, ବ୍ୟାଣ୍ଡ ପାର୍ଟି—ଏ ସବୁକୁ ପରିସର ଭୁକ୍ତ କରାଯିବ। ତୃତୀୟ ପର୍ଯ୍ୟାୟରେ ଗ୍ରାମ ପଞ୍ଚାୟତ ଓ ୱାର୍ଡ ମାଧ୍ୟମରେ ଅଂଶଗ୍ରହଣ କରାଯିବ ଓ ଏହା ସୁନିଶ୍ଚିତ କରାଯିବ ଯେ ଏହି ଅଭିଯାନ କୁ ସଫଳ କରାଇବାର ଦାଇତ୍ୱ ମଧ୍ୟ ବହନ କରିବେ। ଏହା ସମ୍ପର୍କରେ ଜିଲ୍ଲା ପ୍ରଶାସନଙ୍କୁ ସମ୍ପୂର୍ଣ ବିବରଣୀ ସହିତ ପତ୍ର ଜାରି କରାଯାଇଛି।