ସ୍କୁଲ୍ ପିଲାଙ୍କୁ ନେଇଯାଉଥିବା ଟାଟା ମ୍ୟାଜିକ୍ ଗାଡ଼ିରେ ବିଷାକ୍ତ ସାପ
ବେଲଗୁଣ୍ଠା,୦୮/୧୨,ସ୍କୁଲ୍ ପିଲାଙ୍କୁ ଧରି ବିଦ୍ୟାଳୟରୁ ଫେରୁଥିବା ବେଳେ ଏକ ଟାଟା ମ୍ୟାଜିକ୍ ଗାଡ଼ିରୁ ସାପ ବାହାରିବା ଘଟଣା ଛାତ୍ରଛାତ୍ରୀଙ୍କ ମନରେ ଭୟ ଖେଳାଇ ଦେଇଥିବା ବେଳେ ଛାତ୍ରଛାତ୍ରୀ ବାଧ୍ୟ ହୋଇ ନିଜ ଅଭିଭାବକ ସହ ଘରକୁ ଫେରିଛନ୍ତି I ସୂଚନା ପ୍ରକାରେ ଭଞ୍ଜନଗର ସ୍ଥିତ ଜାଭିୟର୍ ଇଁରାଜୀ ମିଡିଅମ୍ ସ୍କୁଲ୍ କୁ ପାଇଲିପଡ଼ା,କ୍ଷତ୍ରିୟବରପୁର,ଗୋବରା ଅଞ୍ଚଳରୁ ୧୨ ଜଣ ଛାତ୍ରଛାତ୍ରୀ OD07J9225 ନମ୍ବର୍ ବିଶିଷ୍ଟ ଏକ ଟାଟା ମ୍ୟାଜିକ୍ ଗାଡ଼ିରେ ଯିବାଆସିବା କରନ୍ତି I ଆଜି ସେହି ଗାଡ଼ିଟି ସାତ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଭଞ୍ଜନଗରରୁ ଫେରୁଥିବା ବେଳେ କଣ୍ଟେଇପଲ୍ଲୀ ନିକଟସ୍ଥ ଲୁଦୁଲୁଦି ଗ୍ରାମ ଛକ ନିକଟରେ ଗାଡ଼ିର ଛାତ ତଳେ ଏକ ବିଷାକ୍ତ ସାପ ଥିବା ଦେଖି ଜଣେ ଛାତ୍ର ଚିତ୍କାର କରିଥିଲା I ଛାତ୍ରଟିର ଚିତ୍କାର ଶୁଣି ଗାଡ଼ି ଚାଳକ ଜଣଙ୍କ ଗାଡିକୁ ରଖି ଛାତ୍ରଛାତ୍ରୀଙ୍କୁ ତଳକୁ ଓହ୍ଲାଇ ଗାଡ଼ିର ଯାଞ୍ଚ୍ କରିଥିଲା I ସ୍ଥାନୀୟ କିଛି ଯୁବକ ସାପ ଖୋଜିବାରେ ଚାଳକଙ୍କୁ ସାହାଯ୍ୟ କରିଥିଲେ I ବହୁ ସମୟ ଧରି ସାପ ନବାହାରିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ସମ୍ପର୍କୀୟ ମାନେ ଛାତ୍ରଛାତ୍ରୀଙ୍କୁ ନିଜ ଦାୟିତ୍ୱରେ ନେଇଥିଲେ I ପ୍ରକାଶ ଥାଉକି ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ଏକ ସ୍ଵତନ୍ତ୍ର ସୁରକ୍ଷିତ ଗାଡ଼ିରେ ନେବା ପାଇଁ ମାର୍ଗଦର୍ଶିକା ରହିଛି I କିନ୍ତୁ ବିଭିନ୍ନ ଘରୋଇ ବିଦ୍ୟାଳୟ ପକ୍ଷରୁ ସରକାରଙ୍କ ମାର୍ଗଦର୍ଶିକାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇ ବେଖାତିର ଭାବେ ଅଟୋ ଏବଂ ଟାଟା ମ୍ୟାଜିକ୍ ଗାଡ଼ିରେ ନିଆଯାଉଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାର ନଜର ରହିଛି I ତେଣୁ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଅଭିବାବକ ମାନେ ଦାବୀ କରିଛନ୍ତି I
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ