January 7, 2025

ବାଲେଶ୍ୱର ସହରର ଅରଡ଼ ବଜାର ଅଂଚଳରୁ ଜବତ ହେଲା ୨ କୋଟି ଟଙ୍କାର ବ୍ରାଉନସୁଗାର, ଜଣେ ଗିରଫ

Share

 

ବାଲେଶ୍ୱର (ଶେଖ ନଜିମ୍):- ବାଲେଶ୍ୱର ଜିଲା ଅବକାରୀ ବିଭାଗ ପକ୍ଷରୁ ସହଦେବଖୁଂଟା ଥାନା ଅନ୍ତର୍ଗତ ଅରଡ଼ବଜାର ଅଂଚଳରେ ଚଢ଼ଉ ହୋଇ ୨ କୋଟି ଟଙ୍କାର ବ୍ରାଉନସୁଗାର (ଧଳା ଜହର) ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଯୁବକ ଜଣକ ହେଲେ ଅମଜାଦ ଖାଁ। ଅନ୍ୟ ଜଣେ ସହଯୋଗୀଙ୍କ ସହ ମଧ୍ୟପ୍ରଦେଶରୁ ବ୍ରାଉନସୁଗାର ଆଣି ଅରଡ଼ ବଜାରରେ ଗଚ୍ଛିତ ରଖି ଏଠାରୁ ରାଜ୍ୟର ଅନ୍ୟାନ୍ୟ ଜିଲାକୁ ଚାଲାଣ କରିଥା’ନ୍ତେ ବୋଲି ପଚରାଉଚୁରା ବେଳେ ସେ ଅବକାରୀ ଅଧିକାରୀଙ୍କୁ ସୂଚନା ଦେଇଛି। ତେବେ ଏଥର ୨ଦିନ ପୂର୍ବରୁ ମଧ୍ୟପ୍ରଦେଶରୁ ବ୍ରାଉନସୁଗାର ଆଣି ଅରଡ଼ବଜାରରେ ମହଜୁଦ ରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଅତର୍କିତ ଚଢ଼ଉ କରିଥିଲା। ତେବେ ବ୍ରାଉନସୁଗାର ମହଜୁଦ ଥିବା ଘରେ ଚଢ଼ଉବେଳେ ଅନ୍ୟଜଣେ ଅଭିଯୁକ୍ତ ଖସି ପଳାଇ ଯାଇଥିଲା। ମାତ୍ର ଆମଜାଦ ଖାଁକୁ ଅବକାରୀ ଦଳ କାବୁ କରିଥିଲା। ସମ୍ପୃକ୍ତ ଘରୁ ୨ କେଜି ଓଜନର ୪ ପ୍ୟାକେଟ ବ୍ରାଉନସୁଗାର, ୫,୫୭୦ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ଏ ନେଇ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ଆମଜାଦ ଖାଁକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ଇନସ୍ପେକ୍ଟର ହରିହର ସିଂ ଓ ଦୀପ୍ତିମୟୀ ସାହୁ, ଏସଆଇ ଭକ୍ତ ସ୍ୱାଇଁ, ପ୍ରଜ୍ଞା ନାୟକଙ୍କ ସମେତ ବହୁ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ।