ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ
ବାଲେଶ୍ବର (ଶେଖ ନଜିମ୍) : ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ କବିତୀର୍ଥ ଶାନ୍ତିକାନନରେ ରାଜା ବୈକୁଣ୍ଠନାଥ ଦେବଙ୍କ ତିରୋଧାନ ଦିବସ ଅବସରରେ ‘ଓଡ଼ିଆ ଭାଷା ସାହିତ୍ୟ ବିକାଶରେ ରାଜା ବୈକୁଣ୍ଠନାଥ ଦେବଙ୍କ ଅବଦାନ’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବକ୍ତା ଭାବରେ ‘ଅକ୍ଷାଂଶ’ ସମ୍ପାଦକ ଡଃ. ହରିଶ୍ଚନ୍ଦ୍ର ବେହେରା ଓ ପରିଷଦର ପ୍ରାକ୍ତନ ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ କହିଲେ ଯେ, ବାଲେଶ୍ବରର ସାମଗ୍ରିକ ବିକାଶରେ ରାଜା ବୈକୁଣ୍ଠନାଥଙ୍କ ଅତୁଳନୀୟ ଅବଦାନ ରହିଛି। ନାରୀ ଶିକ୍ଷା ପ୍ରସାର କ୍ଷେତ୍ରରେ ନିଜ ପିତା ଶ୍ୟାମାନନ୍ଦଙ୍କ ପ୍ରତିକୂଳ ମତ ଥିବା ସତ୍ତ୍ୱେ ବୈକୁଣ୍ଠନାଥ ବାଳିକା ବିଦ୍ୟାଳୟ ସ୍ଥାପନା କରିବା ସହ ‘ବାଳିକା ପାଠ’ ନାମକ ଏକ ପୁସ୍ତକ ରଚନା କରିଥିଲେ’। ବୈକୁଣ୍ଠନାଥଙ୍କ ପ୍ରପୌତ୍ର ତଥା ସମାଜସେବୀ ସୁଜିତ ଦେବ ବକ୍ତା ଭାବେ ଯୋଗଦେଇ କହିଲେ ଯେ, ଗୁଣ୍ଡିଚା ମନ୍ଦିର ପୁନଃନିର୍ମାଣ, ଝାଡ଼େଶ୍ଵର ମନ୍ଦିର ଓ ଟାଉନହଲ୍ ଗୃହ ନିର୍ମାଣ ଆଦି ଅନେକ ଜନହିତକର କାର୍ଯ୍ୟ କରିବା ସହ ଓଡ଼ିଆ ଭାଷାର ପ୍ରସାର ଦିଗରେ ବୈକୁଣ୍ଠନାଥ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ମାର୍ଚ୍ଚ ୧୦ ତାରିଖରେ ପ୍ରତିବର୍ଷ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ବୈକୁଣ୍ଠନାଥଙ୍କ ଜୟନ୍ତୀ ପାଳନ କରାଯିବା ପାଇଁ ସେ ପ୍ରସ୍ତାବ ଆଗତ କରିଥିଲେ। ପରିଷଦର ସଂପାଦକ ଡ. ରତ୍ନାକର ସିଂହ ପ୍ରାକ୍ କଥା ରଖିଥିଲେ। ଯୁଗ୍ମ ସଂପାଦକ ରାଜେଶ ଗିରି ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଅନ୍ୟତମ ଯୁଗ୍ମ ସଂପାଦକ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।