January 7, 2025

ପ୍ରଦୂଷଣ ବଳୟରେ ଭବାନୀପାଟଣା ସହର..

Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଭବାନୀପାଟଣା ସହର ଉପକଣ୍ଠସ୍ଥ ବିଭିନ୍ନ ସ୍ଥାନରେ ପୌରପାଳିକା ତରଫରୁ ଡଂପିଙ୍ଗ ୟାର୍ଡ଼ ଗୁଡିକ ଅଛି। ଏହି ଡ଼ମ୍ପିଙ୍ଗ ୟାର୍ଡ଼ ଗୁଡିକରେ ସହରର କୁଢ଼ କୁଢ଼ ଅଳିଆ ପ୍ରତିଦିନ ଗଦା ହୋଇଥାଏ। ଖାସ କରି ଜରି, ପ୍ଲାଷ୍ଟିକ ଭଳି ଜିନିଷ ଗୁଡିକ ଗଦା କରାଯାଇ ନିଆଁ ଲଗାଯାଇଥାଏ। ଏହାଦ୍ୱାରା ଅହରହ ଦିନରାତି ପ୍ଲାଷ୍ଟିକ ପୋଡା ଧୂଆଁ ନିର୍ଗତ ହେଉଥାଏ। ଯାହାଦ୍ୱାରା ସହର ସାରା ବାୟୁ ପ୍ରଦୂଷଣ ହେଉଅଛି। ଏପରିକି ସହରସ୍ଥିଥ ରେଣ୍ଡୋ ମାଝୀ ମେଡିକାଲ କଲେଜ ଠାରୁ ମାତ୍ର ତିନି ଶହ ମିଟର ଦୂରରେ ଥିବା ଡ଼ମ୍ପିଙ୍ଗ ୟାର୍ଡରୁ ଅନବରତ ଧୂଆଁ ନିର୍ଗତ ହେଉଅଛି। ଯାହାଦ୍ୱାରା ମେଡିକାଲ କଲେଜ ଷ୍ଟାଫ ମାନଙ୍କ ସହିତ ଆଖପାଖ ଅଂଚଳର ସମସ୍ତ ବାସିନ୍ଦା ଧୂଆଁ ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହାଛଡା ସହରର ପ୍ରସିଦ୍ଧ ଜଳେଶ୍ୱର ମନ୍ଦିର ନିକଟ ଦେଇ ବହି ଯାଉଥିବା ସହରର ଜୀବନରେଖା ପିପଲନାଳ କଡରେ କୁଢ଼କୁଢ଼ ଆବର୍ଜନା ଗଦା କରାଯିବା ଯୋଗୁଁ ପିପଲନାଳର ଜଳ ପ୍ରଦୂଷିତ ହେଉଛି। ଏହି ନଦୀର ପାଣି ଦୈନିକ ହଜାର ହଜାର ଲୋକେ ବ୍ୟବହାର କରନ୍ତି କିନ୍ତୁ ଜଳ ପ୍ରଦୂଷଣ ଯୋଗୁଁ ବିଭିନ୍ନ ଚର୍ମ ରୋଗ ସହିତ ଅନ୍ୟ ବେମାରରେ ପୀଡିତ ହେଉଛନ୍ତି। ଏହାଛଡା ସହର ମଧ୍ୟସ୍ଥ ଭବାନୀ ଟକିଜ ଛକ, ଏଲ. ଆଇ. ସି ଅଫିସ ପାର୍ଶ୍ଵରେ ପୌରପାଳିକା ତରଫରୁ ସ୍ଥାପନ କରାଯାଇଥିବା ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ଯୋଗୁଁ ହେଉଥିବା ପ୍ରଦୂଷଣ ଓ ଦୁର୍ଗନ୍ଧ ଯୋଗୁଁ ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକେ ଅଣନିଶ୍ୱାସୀ ହୋଇପଡୁଛନ୍ତି। ଏ ବାବଦରେ ସ୍ଥାନୀୟ ବୁଦ୍ଧିଜୀବୀ ପୌରପାଳିକା ଠାରେ ଅନେକ ଥର ଅଭିଯୋଗ କରିବାସତ୍ୱେ ପୌରପାଳିକା କର୍ଣ୍ଣପାତ କରୁନାହିଁ। ବିଭିନ୍ନ ଗଣମାଧ୍ୟମରେ ଅନେକ ଥର ଏସବୁ ବାବଦରେ ପ୍ରକାଶ ପାଇସାରିଥିବା ସତ୍ୱେ ପୌରପାଳିକା କେବଳ ଏହାର ବିକଳ୍ପ ଖୋଜିବାରେ ବ୍ୟସ୍ତ ଅଛି। ସହରରେ ହଜାର ହଜାର ଗାଡି ମୋଟର ମାନଙ୍କ ଧୂଆଁ ସାଙ୍ଗକୁ ଏହି ଆବର୍ଜନା ଧୂଆଁ ସହରର ବାୟୁମଣ୍ଡଳକୁ ଅତିମାତ୍ରାରେ ପ୍ରଦୂଷିତ କରିବାରେ ଲାଗିଛି। ତେଣୁ ଏହି ଗୁରୁତର ସମସ୍ୟାର ଶୀଘ୍ର ସମାଧାନ ପାଇଁ ସହର ଓ ଆଖପାଖ ଅଞ୍ଚଳର ଲୋକେ ଦାବି ଜଣାଇଛନ୍ତି।

You may have missed