ଆଭାସୀ ମାଧ୍ୟମରେ ଇନପୁଟ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ..
କୋରାପୁଟ(ହରିଶ ପଟ୍ଟନାୟକ) ରାଜ୍ୟର ଚାଷୀ ମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କା ଇନପୁଟ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ହୋଇଯାଇଛି। ବରଗଡ଼ର ସୋହାଲିଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶୁଭାରମ୍ଭ କରିଛନ୍ତି। କୋରାପୁଟ ଜିଲ୍ଲାର ଚାଷୀ ମାନଙ୍କ ପାଇଁ ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ,କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଓ କୋରାପୁଟ ଏସପି ରୋହିତ ବର୍ମା ଉପସ୍ଥିତ ଥିଲେ। ମଣ୍ଡିରେ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। କଟନି ଛଟନୀ କୁ ବନ୍ଦ କରାଯିବ ବୋଲି ସେ କହିଛନ୍ତି । ଚାଷୀ ମାନଙ୍କୁ ଇନପୁଟ ସହାୟତା ରାଶି ପ୍ରଦାନ କରାଯାଇଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ର ସୋହାଲିଠାରେ କ୍ଵିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ଦେବେ ବୋଲି କହିଥିଲେ କିନ୍ତୁ ଦେଲେ ନାହିଁ ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି।ରାଜ୍ୟର ମୋହନ ମାଝୀ ସରକାର ଯାହା କହିଥିଲେ ତାହା କାର୍ଯ୍ୟରେ କରିକି ଦେଖାଇଛନ୍ତି ବୋଲି ସେ କହିଛନ୍ତି। ଚାଷୀଙ୍କ ପ୍ରତି ଭାରତୀୟ ଜନତା ପାର୍ଟିର ହୃଦୟ କେତେ ବଡ ବୋଲି ଏଥିରୁ ସହଜରେ ଅନୁମେୟ ବୋଲି ସେ କହିଛନ୍ତି। କୋରାପୁଟ ଜିଲ୍ଲାରେ ଆସନ୍ତା ୧୧ ତାରିଖରୁ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସମସ୍ତ ମଣ୍ଡିରେ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କହିଛନ୍ତି।ଏଥର କଟନି ଛଟନୀ ରହିବ ନାହିଁ ବୋଲି ସେ କହିଛନ୍ତି।କୋରାପୁଟ ଜିଲ୍ଲାରେ ୩୨ ହଜାରରୁ ଉର୍ଦ୍ଧ୍ବ ଚାଷୀ ପଞ୍ଜିକୃତ କରିଥିବା ବେଳେ ୨୨ ଲକ୍ଷ କ୍ଵିଣ୍ଟାଲ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।କୋରାପୁଟ ଜିଲ୍ଲାର ପ୍ରାୟ ୩ ହଜାର ଚାଷୀ ଉପସ୍ଥିତ ରହିଥିଲେ ବୋଲି ଜଣାପଡିଛି।