ଦୀପାବଳି ଅବସରରେ ନୀଲଡୁଙ୍ଗରିରେ ଜମିଲା କରମା ଯାତ୍ରା
ପାରମ୍ପରିକ କରମା ନୃତ୍ୟରେ ଝୁମିଲେ ଦର୍ଶକ, ପୂର୍ବଜଙ୍କ ସ୍ମୃତିରେ ଉତ୍ସବ ସମର୍ପିତ
ପଡିଆବାହାଲ, ୦୮. ୧୧:ପବିତ୍ର ଦୀପାବଳି ଅବସରରେ ନୀଲଡୁଙ୍ଗରିସ୍ଥିତ ମା’ ପୁଞ୍ଜିପଥରଙ୍କ ପୀଠରେ ଆୟୋଜିତ ହୋଇଥିଲା ପାରମ୍ପରିକ କରମା ଯାତ୍ରା। ଏହି ଉତ୍ସବରେ ଲୋକକଳା, ଲୋକସଂସ୍କୃତି ଓ ଗ୍ରାମୀଣ ପରମ୍ପରାର ଅନନ୍ୟ ସମନ୍ୱୟ ଦେଖିବାକୁ ମିଳିଥିଲା।
ବିଶ୍ୱନାଥ ପଧାନ ଓ ଡିଲେଶ୍ୱର ସାହୁଙ୍କ ଆୟୋଜନରେ ଏବଂ ଦିଲ୍ଲୀପ ବଢ଼ାଇ, କାବୁଲି ପଣ୍ଡା ଓ ସୁଶୀଲ ମିର୍ଦ୍ଧାଙ୍କ ସହଯୋଗରେ ଏହି ଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱର୍ଗତ ସୀତାରାମ ପଧାନ ଓ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପବିତ୍ର ସ୍ମୃତିକୁ ସମ୍ମାନ ଜଣାଇ ଉତ୍ସବକୁ ସମର୍ପିତ କରାଯାଇଥିଲା।
କରମା ନୃତ୍ୟରେ ଭାସ୍କର ପଧାନ, ତପେନ୍ଦ୍ର ପଧାନ, ଚକ୍ରଧର ପଧାନ ଓ ଉପିନ୍ଦ୍ର ବାଗ ନିଜର କଳା ଓ ନୃତ୍ୟକୌଶଳ ପ୍ରଦର୍ଶନ କରିଥିଲେ। ପାରମ୍ପରିକ ତାଳ, ଲୟ ଓ ନୃତ୍ୟର ଆକର୍ଷଣ ଉତ୍ସବରେ ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିଥିଲା।
କରମା ନୃତ୍ୟ କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଆମ ମାଟିର ପରମ୍ପରା, ସାମୂହିକ ଏକତା ଓ ସାଂସ୍କୃତିକ ପରିଚୟର ପ୍ରତୀକ। ଏଭଳି ଆୟୋଜନ ମାଧ୍ୟମରେ ଆମ ଲୋକକଳା ଓ ପରମ୍ପରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବାର ଏକ ସୁନ୍ଦର ପ୍ରୟାସ ହୋଇପାରିଛି।
