March 10, 2026

ଭାକୁଣ୍ଡଳେଶ୍ବର ପୀଠରେ “କୁଣ୍ଡଳ ମହୋତ୍ସବ”। ବାଲୁକାକଳାରେ ପ୍ରାଚୀନ ଐତିହ୍ଯର ଝଲକ l ପ୍ରାଚୀନ ନୌବାଣିଜ୍ୟ କେନ୍ଦ୍ର ମାଣିକ ପାଟଣାରେ    ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ

IMG-20251109-WA0036
Share

 

ଶ୍ରୀଜଗନ୍ନାଥ ଐତିହ୍ଯ ସଂସ୍କୃତିରେ ବେଶ୍ ଜଣାଶୁଣା ପ୍ରାଚୀନ ଆନ୍ତର୍ଜାତିକ ନୌବାଣିଜ୍ୟର କେନ୍ଦ୍ର “ମାଣିକପାଟଣା” ଏକ ପ୍ରାଚୀନ ବନ୍ଦର ଏବଂ ସାମ୍ପ୍ରତିକ ସମୟରେ ଏକ ପ୍ରତ୍ନତତ୍ତ୍ୱ ସ୍ଥଳ ମଧ୍ୟ । ଏହିଠାରୁ ସାଧବ ପୁଅମାନେ ବୋଇତନେଇ ବାଣିଜ୍ଯ କରିବାକୁ କାର୍ତ୍ତିକ ମାସରେ ବିଦେଶ ଯାଉଥିଲେ। ଏହା ସବୁଠାରୁ ଗାରିମାମୟ ଗୌରବୋଜ୍ଜଳ ଐତିହ୍ଯ ଏବଂ ଆମର ପରମ୍ପରା।

ଚୀନୀ ପରିବ୍ରାଜକ ହୁଏନ୍‍ସାଂଙ୍କ ବିବରଣୀରେ ଉଲ୍ଲିଖିତ ମଧ୍ୟଯୁଗୀୟ ବନ୍ଦର “ଚେଳିତୋଳ” ହିଁ ମାଣିକପାଟଣାର ପୁରାତନ ନାମ ଥିଲା ବୋଲି କେତେକ ଗବେଷକ ମତ ରଖିଛନ୍ତି ।

ଆନ୍ତର୍ଜାତିକ ବାଣିଜ୍ଯ ର ମୁଖ୍ଯ ସହର ଥିଲା ମାଣିକପାଟଣା।  ଏଠାରେ ଏକ ବିରାଟ ବୌଦ୍ଧ ବିହାର ଥିଲା। 645 ଖ୍ରୀଷ୍ଟାବ୍ଦରେ ହୁଏନ୍‍ସାଂଙ୍କ ପରିଭ୍ରମଣ ସମୟରେ ବର୍ଣ୍ଣନା କରିଛନ୍ତି 5 ମାଇଲ ବ୍ଯାପୀ ଏହି ସହରରେ ଅତି ମୂଲ୍ଯବାନ ଦୁଷ୍ପ୍ରାପ୍ୟ ଜିନିସର ଦୋକାନ ସବୁଥିଲା। ଏଠାରେ ହାତୀଦାନ୍ତର ମୂର୍ତ୍ତିସବୁ ପୂଜାପାଉଥିଲା। ତତ୍କାଳିନ ସମୟର ଆନ୍ତର୍ଜାତିକ ସହର ଭାବରେ ଖ୍ୟାତ ଥିଲା। ଏହାର ପ୍ରାଚୀନ ନାମ ଚେଳିତୋଳ ଥିଲା।

ସ୍ୱାଧୀନତା ପରେ ଯଦି ମାଣିକ ପାଟଣା ନୌବାଣିଜ୍ୟର ଐତିହ୍ଯକୁ ଦିଲ୍ଲୀ ଦରବାରରେ ସଠିକ ଉପସ୍ଥାପନ କରାଯାଇଥାନ୍ତା  ତେବେ ଏଠାରେ ବିଶାଖା ପାଟଣାଠାରୁ ସର୍ବବୃହତ  ବନ୍ଦର ଏଠାରେ ଗଢିଉଠି ଥାଆନ୍ତା। ତେବେ ମାଣିକ ପାଟଣା ଖ୍ରୀଷ୍ଟ ପୂର୍ବ ସମୟରୁ  ପ୍ରାୟ ଦୁଇ ସହସ୍ର ବର୍ଷ ଧରି କଳିଙ୍ଗ ର ନୌବାଣିଜ୍ୟର ରାଜଧାନୀ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ।

ପବିତ୍ର ଭାକୁଣ୍ଡଳେଶ୍ବର ପୀଠରେ ମାଣିକପାଟଣାରେ ପ୍ରାଚୀନ ଐତିହ୍ଯ କିମ୍ବଦନ୍ତୀକୁ ମନେପକାଇ ଆୟୋଜିତ ହୋଇଥିଲା କୁଣ୍ଡଳ ମହୋତ୍ସବ। ତ୍ରେତୟା ଯୁଗରେ ଯେଉଁ ବନ୍ତରେ ଶ୍ରୀରାମ ନିଜର କର୍ଣ୍ଣରେ ପିନ୍ଧିଥିବା ଅଷ୍ଟଧାତୁ ନିର୍ମିତ କୁଣ୍ଡଳଟିକୁ ରଖିଦେଇ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ ଏବଂ ତାଙ୍କର ଆରାଧନାରେ ସେଦିନ ସେହିସ୍ଥାନରେ ଆଶୁତୋଷ ମହାଦେବ ଉଭା ହୋଇ ଶ୍ରୀରାମ ଲକ୍ଷ୍ମଣ ଙ୍କୁ ଆଶିଷ ପ୍ରଦାନ କରିଥିଲେ। ଏଠାରେ ସେହିଦିନ ଠାରୁ ମହାଦେବ ଭାବକୁଣ୍ଡଳେଶ୍ବର ଭାବରେ ପୂଜିତ ହେଉଛନ୍ତି। ପରବର୍ତ୍ତି ସମୟରେ କାଞ୍ଚି ଅଭିଯାନରେ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବଳଭଦ୍ର ଧଳାଘୋଡା କଳାଘୋଡା ଚଢି ପାଇକ ବେଶରେ ଗଲାବେଳେ ଏଇ ମାଟିର ଝିଅ ମାଣିକ ହସ୍ତରୁ ଦହି ସେବନ କରି ତୃପ୍ତ ହୋଇ ଆଶିଷ ପ୍ରଦାନ କରିଥିଲେ। ପରେ ଗଜପତି ପୁରୁଷୋତ୍ତମ ଦେବ ଏସବୁ ବିଷୟରେ ଅବଗତ ହେଲା ପରେ ଏ ଅଞ୍ଚଳକୁ ମାଣିକ ପାଟଣା ନାମରେ ନାମିତ କରି ଏଠାରେ ଭବ୍ଯ ମନ୍ଦିର ନିର୍ମାଣ କରିଥିଲେ। ସେବେଠାରୁ ଏଠାରେ ଭାବକୁଣ୍ଡଳେଶ୍ବର ନାମରେ ଠାକୁର ଏଠାରେ ପୂଜା ପାଇ ଆସୁଛନ୍ତି।

ପୂର୍ବ ଐତିହ୍ଯକୁ ମନେ ପକାଇ ସେହି ସ୍ଥାନରେ ବାଲୁକା କଳାରେ ଶ୍ରୀରାମଙ୍କ କୁଣ୍ଡଳ ଉପସନାର ପ୍ରତିକୃତି ସହିତ ବୋଇତ ବନ୍ଦାଣର ରମଣୀୟ ଛବି ଅଙ୍କନ କରିଥିଲେ ବାଲୁକା ଶିଳ୍ପୀ। ଏହି ବାଲୁକା କଳା ଆମର ପ୍ରଚୀନ ଗୌରବୋଜ୍ଜଳ ଐତିହ୍ଯ ସ୍ମରଣ କରାଉଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ଏହି ବାଲୁକା କଳାକୁ ପୂଜନ କରିଥିଲେ।

ତ୍ରେତୟାର ରାମଘାଟ ଅତୀତ ଆନ୍ତର୍ଜାତିକ ନୌବାଣିଜ୍ୟ ବନ୍ଦର ମାଣିକପାଟଣାରେ ପ୍ରତୀକାତ୍ମକ ଭାବରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସାଧବ ଘରର ମାଆମାନେ ଚନ୍ଦନ, ସିନ୍ଦୁର, ଦେଇ ଧୂପ ଦୀପ ଦେଇ ଦୁବ ଅରୁଆ ଚାଉଳ ଫୁଲ ପକାଇ ମାଆ ମଙ୍ଗଳାଙ୍କ ଉପାସନା କରିବା ସହ ସାଧବ ପୁଅଙ୍କୁ ବନ୍ଦାପନା କରି କହିଥିଲେ-

” ଆ- କା-ମା-ବୈ

ପାନ ଗୁଆ ଥୋଇ

ପାନ ଗୁଆ ତକ ତୋର

ମାସକ ଧରମ ମୋର।”

କହି ବିଦାୟ ଦେଇଥିଲେ। ଐତିହ୍ଯ ରହିଛି ସମୁଦ୍ର ଶାନ୍ତ ହେବା ପରେ କାର୍ତ୍ତିକ ପୂର୍ଣ୍ଣମୀରେ ସାଧବ ମାନେ ବୋଇତ ନେଇ ବିଦେଶକୁ ବଣିଜ କରିବାକୁ ଯିବା ସମୟରେ ଏହି ପରି ବନ୍ଦାପନା କରି ବିଦାୟ ଦେଇ ଶୁଭରେ ଫେରିବାକୁ ମଙ୍ଗଳ ମନାସୁଥିଲେ। ଏହି ଅବସରରେ ଆୟୋଜିତ ଆଲୋଚନା ସଭାରେ ଅବସର ପ୍ରାପ୍ତ ଶିକ୍ଷକ ବନମାଳୀ ଜେନା, ମାହାଲ ସଭାପତି ବ୍ରଜକିଶୋର ପ୍ରଧାନ, ପୂର୍ବତନ ସରପଞ୍ଚ ତ୍ରିନାଥ ପ୍ରଧାନ, ବରିଷ୍ଠ ସମାଜ ସେବୀ ପ୍ରିୟାସିଂ ଦାସ, ସମାଜସେବୀ ସୁବାଷ ଚନ୍ଦ୍ର ଲେଙ୍କା ସାମ୍ବାଦିକ ତଥା ସମାଜସେବୀ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ମାଣିକ ପାଟଣା ଐତିହ୍ଯ ଅବତାରଣା କରିଥିଲେ।

କୁଣ୍ଡଳ ମହୋତ୍ସବ ସମିତିର ସଭାପତି

ଅଶୋକ କୁମାର ଜେନା ,ଦାଶରଥି ମହାରଣା, ଅମରନାଥ ବାଘେଲା,

ରାମଚନ୍ଦ୍ର ଜେନା, ବନମାଳି ଦଳାଇ, ଅଶୋକ କୁମାର ସାହୁ, ଭାସ୍କର ପ୍ରଧାନ, ଦ୍ବିଜବର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଐତିହ୍ଯ ପରିଷଦର ସଭାପତି କାଶୀନାଥ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ