November 23, 2024

ଭୋଳନାଥ ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦର ରୌପ୍ୟ ଜୟନ୍ତୀ..

Share

 

ପୁରୀ, ଭୋଳାନାଥ ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦର ରୌପ୍ୟ ଜୟନ୍ତୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଛାତ୍ରଛାତ୍ରୀମାନେ ନୂଆ ଭାରତର ବିନ୍ଧାଣି ସାଜିବେ। ଆତ୍ମ ନିର୍ଭର ଓ ବିକଶିତ ଭାରତ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁ ଦାୟିତ୍ବ ବହନ କରନ୍ତୁ। ପାଠ ଓ କୁଶଳତା ସହ ଭଲ ମଣିଷ ତିଆରି କରନ୍ତୁ।

ଏହାବ୍ୟତୀତ ୟୁନିଫାଏଡ ପଲିସି ଯୋଗୁଁ ଶ୍ରୀକ୍ଷେତ୍ର ମାଟିର ୮୦ ହଜାର ପରିବାର ଜମି ପଟ୍ଟା ପାଇଁ ଭୋଗୁଥିବା ସମସ୍ୟାର ସମାଧାନ ନେଇ ମଧ୍ୟ ପୂର୍ବତନ ଅଧିକାରୀ, ବର୍ତମାନର ଅଧିକାରୀ ଓ ବିଶେଷଜ୍ଞଙ୍କୁ ନେଇ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ଆଗାମୀ ୫ ବର୍ଷ ବେଳକୁ କେହି ଭୂମିହୀନ ରହିନଥିବେ। ଓଡ଼ିଶାରେ ବହୁ ଜାଗାରେ ଶହଶହ ଏକର ଜମିକୁ ଜମି ମାଫିଆମାନେ ମାଡ଼ି ବସିଥିବା ବେଳେ ଜବରଦଖଲ ଜମିରେ ଖୁବଶୀଘ୍ର ବୁଲ୍‌ଡୋଜର ଚଢ଼ିବ ବୋଲି ସେ କହିଛନ୍ତି। ଏଥିସହ ଅନେକ ଶିଳ୍ପାନୁଷ୍ଠାନ ନାଁରେ ଜମି ନେଇଥିବା ବେଳେ ଏହାବାଦ ପାଖରେ ଥିବା ଜମିକୁ ମଧ୍ୟ ଜବରଦଖଲ କରିଛନ୍ତି। ଅନେକ ଶିଳ୍ପାନୁଷ୍ଠାନ ନାଁରେ ଜମି ନେଇଥିଲେ ମଧ୍ୟ ଜମିର ଉପଯୋଗ କରିନଥିବାରୁ ସେନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପୂଜାରୀ ଚେତାଇ ଦେଇଛନ୍ତି।

ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଲେ ନିଜ କ୍ୟାରିୟର ସହ ସମାଜର ହିତ ପାଇଁ ମଧ୍ୟ ଛାତ୍ରଛାତ୍ରୀମାନେ ଭାଗୀଦାରି ହୁଅନ୍ତୁ। ରକ୍ତଦାନ ସହ ବୃକ୍ଷ ରୋପଣ କରି ସମାଜର ହିତରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ। ସଂସଦର ସଭାପତି ଡାକ୍ତର ତ୍ରିଲୋଚନ ବରାଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଭୋଳାନାଥ ବିଦ୍ୟାପୀଠ ୭ ଏକର ଜମିରେ ରହିଥିବା ବେଳେ ଏହାର ପଟ୍ଟା ବିଦ୍ୟାଳୟ କର୍ତୃପକ୍ଷଙ୍କ ହସ୍ତଗତ ହୋଇନଥିବାରୁ ଏନେଇ ସଭାପତି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ମଧ୍ୟ କିଛିଦିନ ମଧ୍ୟରେ ଏହି ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ଭିତ୍ତିରେ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସାଧାରଣ ସଂପାଦକ ସୂର୍ଯ୍ୟମଣି ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅଭ୍ୟର୍ଥନା କମିଟି ଚେୟାରମ୍ୟାନ ତଥା ଉପଦେଷ୍ଟା ସୁରେନ୍ଦ୍ର ନାଥ ଦାଶ ବିଦ୍ୟାଳୟର ଅବଦାନ ଏବଂ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ବାବଦରେ କହିଥିଲେ। ଏହି ଅବସରରେ ସ୍ମରଣିକା ‘ଆଡ଼ପ ମଣ୍ଡପ’ ଅତିଥିଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ସ୍ମରଣିକା କମିଟି ଅଧ୍ୟକ୍ଷ ବୁଦ୍ଧଦେବ ମହାପାତ୍ର ସ୍ମରଣିକା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ର ଜେନା ବକ୍ତବ୍ୟ ରଖିଥିଲେ। ପ୍ରାକ୍ତନ ଶିକ୍ଷକ ପିତାମ୍ବର ଆଚାର୍ଯ୍ୟ, ରାଜକିଶୋର ସାହୁ, ରାଜକିଶୋର ପ୍ରଧାନ, କୃଷ୍ଣଚନ୍ଦ୍ର ମିଶ୍ର, ପୂର୍ଣ୍ଣିଶ୍ରୀ ମିଶ୍ର, ଶ୍ୟାମାପ୍ରସାଦ ଚନ୍ଦୁକା, ବିଭୁତି ଭୁଷଣ ଛୋଟରାୟ ,ଦିଲ୍ଲିପ କୁମାର ବଳ, ଯୁଗଳ କିଶୋର ସିହ୍ନା, ହରିହର ପାଢ଼ୀ, ଜଗନ୍ନାଥ ପାଢ଼ୀ, ପୁଷ୍ପାମଞ୍ଜରୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଉପସଭାପତି ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ଗୋଚ୍ଛିକାର, କାର୍ଯ୍ୟକାରୀ ସଂପାଦକ ବିଶ୍ଵନାଥ ଦାଶ, ବିକ୍ରମ କୁମାର ସାହୁ, ଜୟକୃଷ୍ଣ ମହାପାତ୍ର, ପ୍ରମୋଦ କୁମାର ଜେନା, ସଦାଶିବ ନାୟକ, କୈଳାସ ଜେନା, ଦିଲ୍ଲିପ କୁମାର ବଳ, ହରିହର ପାଢ଼ୀ, ଯୁଗଳ କିଶୋର ସିହ୍ନା, ସରୋଜ କୁମାର ମହାନ୍ତି, ଅକ୍ଷୟ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ