November 23, 2024

ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳବାସୀଙ୍କ ପାଇଁ ଜାଳେଣିର ବିକଳ୍ପ ସାଜିଛି ମକା ନଡ଼ା……. “ଚାଷୀଙ୍କୁ ମକାନଡ଼ା ରୁ ଅତିରିକ୍ତ ଲାଭ”

Share

ଝରିଗାଁ :- (ଏମ୍.ଦିନା°ଶୁ ଆଚାରୀ) ଜନସଂଖ୍ୟା ବୃଦ୍ଧି , ଜଙ୍ଗଲ କ୍ଷୟ ଓ ରନ୍ଧନ ଗ୍ୟାସ ର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ନବରଙ୍ଗପୁର ଜିଲ୍ଲାର ପ୍ରାୟ ପ୍ରତ୍ୟେକ ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ରନ୍ଧା ଖାଦ୍ୟ ପ୍ରସ୍ତୁତି ପାଇଁ ଜାଳେଣି ର ବିକଳ୍ପ ଭାବେ ମକା ନଡ଼ା କୁ ବ୍ୟବହାର କରି ଆସୁଛନ୍ତି ଲୋକେ। ସହର ହୋଟେଲ ଗୁଡିକରେ ଏହାର ବ୍ୟବହାର ହେଉଥିବା ବେଳେ ଅଧିକାଂଶ ଗରିବ ପରିବାର ଲୋକେ ମକା ନଡ଼ା କୁ ରୋଷେଇ ଜାଳ ଭାବେ ବ୍ୟବହାର କରିବା ଦେଖିବାକୁ ମିଳୁଛି। ସମୟକ୍ରମେ ମକା ନଡ଼ା ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ପ୍ରତିବର୍ଷ ଏହାର ମୂଲ୍ୟ ମଧ୍ୟ ବଢି ଚାଲିଛି। ମକା ଅମଳ ପରେ ମକା ମିଲିଙ୍ଗ ପରେ ଚାଷୀ ନିଜ ପାଇଁ କିଛି ରଖି ବାକିତକ ମକା ନଡ଼ା ବିକ୍ରୟ କରୁଛନ୍ତି। ଗୋଟିଏ ପିକଅପ୍ ଭ୍ୟାନ ଟ୍ରୋଲି ମକା ନଡ଼ା ୪ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଗୋଟିଏ ଟ୍ରାକ୍ଟର ଡାଲା ଭର୍ତି ୫ ହଜାର ଟଙ୍କା ରୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଚଳିତ ବର୍ଷ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ସାଇତି ରଖି ଗରିବ ଶ୍ରେଣୀ ଲୋକେ ବର୍ଷ ସାରା ଏଥିରେ ରୋଷେଇ କରି ଚଳି ଆସୁଛନ୍ତି। ଶୁଖିଲା କାଠ ଦୁଇ ଖଣ୍ଡ ସହ ମକା ନଡ଼ା ମିଶାଇ ରୋଷେଇ କରୁଛନ୍ତି। ଶୀତ ପ୍ରକୋପରୁ ରକ୍ଷା ପାଇବାକୁ ନିଆଁ ଲଗାଇ ପୋଇଁ ଥାନ୍ତି। ମକା ନଡ଼ା ଜଳିବାକୁ ଖୁବ୍ ସହଜ ସାଙ୍ଗକୁ ଏହାର ପାଉଁଶ ଅତି କମ୍ ପରିମାଣରେ ବାହାରି ଥାଏ। ଏଲ ପି ଜି ଗ୍ୟାସ ଦାମ ତୁଳନାରେ ଏଥିରେ ଖର୍ଚ୍ଚ କମ୍ ହେଉଥିବାରୁ ମିକ୍ଚର ପାଉଁ ରୁଟି ଭାଟି ଗୁଡିକରେ ତିଆରି ପାଇଁ ବହୁଳ ଭାବେ ବ୍ୟବହାର କରାଯାଉଛି। ଯାହା ଫଳରେ ପ୍ରତିବର୍ଷ ଏହାର ଚାହିଦା ବୃଦ୍ଧି ପାଉଥିବା ବେଳେ ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ଝରିଗାଁ ବ୍ଲକରେ ବହୁଳ ପରିମାଣରେ ବିକ୍ରି ହେଉଛି ମକା ନଡ଼ା। ଅନ୍ୟ ପଟେ ନଡ଼ା ବାବଦକୁ ମିଳୁଥିବା ଟଙ୍କା ମକା ଚାଷୀ କୁ ଅତିରିକ୍ତ ଲାଭ ଦେଉଛି। ଶୁଖିଲା ମକା ଗଛ ସାଙ୍ଗକୁ ମକା ନଡ଼ା ର ବ୍ୟବହାର ଜାଳେଣି ର ବିକଳ୍ପ ସ୍ଥାନ ନେଇଛି। ଶୁଖିଲା ମକା ନଡ଼ା ଜାଳ କମ୍ ଧୂଆଁ ଓ କମ୍ ପରିମାଣର ପାଉଁଶ ହେଉଥିବାରୁ ଗାଁ ଗହଳିରେ ଏହାର ବ୍ୟବହାର ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ୪ ଗାଡ଼ି ମକା ମିଲିଙ୍ଗ କଲେ ଗୋଟିଏ ଗାଡି ମକା ଭେଣ୍ଡି ବାହାରୁଛି। ବାହାଘରେ ବ୍ରତ ଘରେ ପର୍ବ ପର୍ବାଣୀ ଭୋଜି ରେ କାଠ କେଇଖଣ୍ଡ ସହ ମକା ନଡ଼ା ମିଶ୍ରଣ କରି ରୋଷେଇ ହେଉଛି। କମ୍ ଖର୍ଚ୍ଚ ରେ ଜାଳେଣି ବ୍ୟବସ୍ଥା ହୋଇ ପାରୁଛି। ବ୍ଲକ କୃଷି ଅଧିକାରୀ ଗଜାନନ ସାହୁଙ୍କ ସୂଚନା ପ୍ରକାରେ ଚଳିତ ବର୍ଷ ବ୍ଲକ ରେ ୭୯୫୦ ହେକ୍ଟର ଜମିରେ ମକା ଚାଷ ହୋଇଥିବା ବେଳେ ମକା କ୍ଵିଣ୍ଟାଲ ୨୩୫୦ ଟଙ୍କା ରୁ ୨୪୦୦ ଶହ ଟଙ୍କା ମୂଲ୍ୟ ରହିଛି। ସ୍ଵଳ୍ପ ବୃଷ୍ଟିରେ ମକା ଚାଷ ହେଉଥିବାରୁ ଅନାଜଳସେଚିତ ଡଙ୍ଗର ଜମିରେ ସମତଳ ଓ ଗଡାଣିଆ ଜମିରେ ଏହି ଅଞ୍ଚଳରେ ୭୦ ରୁ ୮୦ ପ୍ରତିଶତ ଚାଷୀ ମକା ଚାଷକୁ ଆର୍ଥିକ ଲାଭ ଦୃଷ୍ଟିରୁ ପ୍ରମୁଖ ଚାଷ ଭାବେ ଆପଣେଇଛନ୍ତି। ବର୍ଦ୍ଧିତ ଏଲ ପି ଜି ଗ୍ୟାସ ସିଲିଣ୍ଡର ପରିବର୍ତ୍ତେ ଗରିବ ପରିବାର ମକା ନଡ଼ା କୁ ଜାଳେଣି ର ବିକଳ୍ପ ଭାବେ ବ୍ୟବହାର କରି ଆସୁଛନ୍ତି।