ବିଭିନ୍ନ ଶିକ୍ଷାନୁଷ୍ଠାନରେ ବନ ମହୋତ୍ସବ ସପ୍ତାହ ପାଳିତ

ବୁଗୁଡ଼ା: ତା ୦୯/୦୭/୨୬ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ଖରିଡା ମା’ ସ୍ବପ୍ନେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲିପଦର ବନପାଳ ସୁକାନ୍ତ କୁମାର ପଟ୍ଟନାୟକ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ ଏବଂ ଏ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା। ସେହିପରି ବି.କରଡ଼ାବାଡ଼ି ଗ୍ରାମସ୍ଥିତ ପିଏମଶ୍ରୀ ସର୍ଦ୍ଧାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ହାଁସଦାଙ୍କ ତତ୍ତ୍ବାବଧାନରେ ଆୟୋଜିତ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ବନପାଳ ସୁଧିର କୁମାର ପଟ୍ଟନାୟକ ଯୋଗଦେଇଥିଲା ବେଳେ ଏ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା। ଅନ୍ଯପକ୍ଷରେ ସ୍ଥାନୀୟ ପିପୁଲ୍ସ କଲେଜର ୟୁଥ ରେଡକ୍ରସ ପକ୍ଷରୁ ଅଧ୍ଯାପକ ପବିତ୍ର ଖଣ୍ଡୁଆଳଙ୍କ ତତ୍ତ୍ଵାବଧାନରେ ଆୟୋଜିତ ୭୭ତମ ବନମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ଯକ୍ଷ ଡ.ପୁରୁଷୋତ୍ତମ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ବନମହୋତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିଥିଲେ। ଏ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା କଲେଜର କ୍ରୀଡାଙ୍ଗନ ହତା ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।
