March 12, 2026

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ, ରାସ୍ତାଘାଟ ଶୂନଶାନ, ଯାତ୍ରୀସେବା ଠପ୍ 

IMG-20250709-WA0119
Share

 

ବୁଗୁଡା : ତା ୦୯/୦୭/୨୫ : ପୂର୍ବ ନିଷ୍ପତି କ୍ରମେ ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଥିବାରୁ ଆଜି ବୁଗୁଡା ଅଞ୍ଚଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖ‌ିବାକୁ ମିଳିଥିଲା। ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ୭ ଦଫା ଦାବି ନେଇ ବିଗତ ବର୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ସେମାନଙ୍କର ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଖୋଲିଲା ନାହିଁ ବୋଲି ଆଜି ଏହି ଆନ୍ଦୋଳନ ସାମିଲ ଡ୍ରାଇଭରମାନେ ପ୍ରକାଶ କରିଛନ୍ତି । ତାଙ୍କ କହିବା କଥା ହେଲା ଯେ ,ନିଜର ପରିବାର ପ୍ରତିପୋଷଣ ପାଇଁ ରାସ୍ତା ଉପରେ ନିଜର ଜୀବନକୁ ବାଜି ଲଗାଇ ସର୍ବସାଧାରଣଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଇ ଆସୁଛନ୍ତି ଏବଂ ଖରା ଓ ବର୍ଷାରେ ଦିନ ଓ ରାତିକୁ ସମାନ କରି ସେବା ଯୋଗାଇ ଦେଇଥାନ୍ତି । ମାତ୍ର ସରକାରଙ୍କୁ ପୂର୍ବରୁ ୭ ଦଫା ଦାବି ଜଣାଇ ଆସିଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ କଲେ ନାହିଁ। ତେଣୁ ଓଡ଼ିଶା ଡ୍ରାଇଭର ମହାସଂଘର ନିଷ୍ପତିକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛୁ ବୋଲି ବୁଗୁଡା ଡ୍ରାଇଭର ସଂଘ ସଭାପତି ରାଧା ମୋହନ ସ୍ବାଇଁ ପ୍ରକାଶ କରିଛନ୍ତି । ଆନ୍ଦୋଳନ ଯୋଗୁଁ ଆଜି ବୁଗୁଡା ଅଞ୍ଚଳର ରାଜ୍ଯ ରାଜପଥରେ କାଁଭାଁ କେତୋଟି ଭାରୀଯାନ ଚଳପ୍ରଚଳ କରୁଥିବା ବେଳେ ପ୍ରାୟ ସମସ୍ତ ଯାତ୍ରୀବାହୀ ବସ୍ ଓ ଛୋଟ ଗାଡ଼ି ମଧ୍ୟ ଦେଖିବାକୁ ମିଳି ନଥିଲା ।