ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା,ଜଳୁନି ଅଧିକାଂଶ ଷ୍ଟ୍ରିଟ ଲାଇଟ,ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ..
ଗଞ୍ଜାମ(ପ୍ରଦୀପ କୁମାର ପଣ୍ଡା)
ଜାତୀୟ ସ୍ତରରେ ସମ୍ମାନିତ ହୋଇ ସାଧାରଣରେ ପ୍ରଶଂସା ସାଉଁଟିଥିବା ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରାପ୍ତ ଗଞ୍ଜାମ ଏନ୍.ଏ.ସି.ବର୍ତ୍ତମାନ ବିଭିନ୍ନ ସମସ୍ୟାରେ ଗତି କରୁଥିବା ଅବ୍ୟବସ୍ଥାକୁ ନେଇ ସମାଲୋଚନା ହେଉଛି।ସମସ୍ୟା ଭିତରେ ସହରର ସୋନ୍ଦର୍ଯ୍ୟ ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି।ପରିମଳ ଠାରୁ ଆରମ୍ଭ କରି ପରିଚାଳନା ଓ ରକ୍ଷଣାବେକ୍ଷଣ ସବୁଠି ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପରିମଳ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି।ସାହି ରାସ୍ତା ଠାରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତାରେ ସବୁଠି ଅଳିଆ,ଆବର୍ଜନା ଓ ଗଛ ଲତାରେ ପରିପୂର୍ଣ୍ଣ ଥିବା ଦେଖାଦେଇଛି।ତିରିଶିରୁ ଅଧିକା ସଫେଇ କର୍ମଚାରୀ ସଫେଇ କାର୍ଯ୍ୟ ପାଇଁ ନିୟୋଜିତ ଥିଲେ ବି ଦିନକୁ ଦୁଇ ଥର ସବୁ ୱାର୍ଡରେ ସଫେଇ ହେଇପାରୁନଥିବା ଅଭିଯୋଗ ହେଉଛି।ସମଗ୍ର ସହରର ବର୍ଷା ଜଳ ନିଷ୍କାସନ ପାଇଁ ମୂଖ୍ୟ ନାଳ ଏ ପର୍ଯ୍ୟନ୍ତ ପୁନଃରୁଦ୍ଧାର ସମ୍ଭବ ହୋଇ ପାରିଲା ନାହିଁ।ନାଳ ପୁନଃରୁଦ୍ଧାର ଓ ସଫେଇ ପାଇଁ ଅନ୍ୟ ଏନ୍.ଏ.ସି. ମାନଙ୍କରେ ଅତ୍ୟାଧୁନିକ ଉପକରଣ ଥିବାବେଳେ ଗଞ୍ଜାମ ଏନ୍.ଏ.ସି. ଏଥି ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଦେଖାଦେଇଛି।ସହରକୁ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ପୂର୍ବରୁ ନିର୍ମାଣ ହୋଇଥିବା ବିଭିନ୍ନ କାର୍ଯ୍ୟର ସୁରକ୍ଷା ଓ ରକ୍ଷଣାବେକ୍ଷଣର ଅଭାବରୁ ସେସବୁ ସମ୍ପୂର୍ଣ ନଷ୍ଟ ହେବାରେ ଲାଗିଲାଣି।ସହରର ପ୍ରବେଶ ପଥ ଠାରୁ ଆରମ୍ଭ କରି ଦାମୋଦରପୁର ଛକ,ଜୟଶ୍ରୀ ଛକ ଠାରୁ ଗଞ୍ଜାମ ଥାନା,ସାନ ବଜାର ଠାରୁ କଲେଜ ରାସ୍ତା ଏବଂ ପୋତାଗଡ ଯିବା ରାସ୍ତା ସବୁଠି ଘନ ଅନ୍ଧାରରେ ରହିଛି ଯାତାୟାତ ରାସ୍ତା।ଯାହା ଫଳରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ।ପ୍ରବେଶ ତୋରଣ ପ୍ରାୟ ସମୟ ବନ୍ଦ ରହୁଥିବା ବେଳେ “ମୋ ଲଭ ପଏଣ୍ଟ” ଦୀର୍ଘ ଦିନ ହେବ ଖରାପ ହୋଇ ପଡିରହିଛି। ଦାମୋଦରପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଅଶୋକ ଚକ୍ରର ଲାଇଟ ଓ ସାଜସଜା ଜିନିଷ ଚୋରି ହୋଇଯାଇଥିବା ବେଳେ ଥାନାରେ ଏ ପର୍ଯ୍ୟନ୍ତ ଅଭିଯୋଗ ହେଲାନି କି ସଜାଡ଼ିବାକୁ ଚେଷ୍ଟା କଲାନି ଏନ.ଏ.ସି. କର୍ତ୍ତୃପକ୍ଷ।ସହରରେ ଥିବା ଅଧା ଡ଼ଜନ ରୁ ଅଧିକା ଶୌଚାଳୟ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ବ୍ୟବହାର ଅନୁପଯୋଗୀ ହୋଇ ରହିଛି।ଛକ ଛକରେ ନିର୍ମିତ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ପ୍ରତିବିମ୍ବ ଘାସ ଲତାରେ ଢାଙ୍କି ହେବା ସହ ଅସମ୍ମାନ ଅବସ୍ଥାରେ ରହିଛି ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବୁଦ୍ଧିଜୀବି ମତବ୍ୟକ୍ତ କରିଛନ୍ତି।ଅନ୍ୟ ପଟରେ ସରରର ମୁଖ୍ୟ ରାସ୍ତା ଉପରେ ବୁଲା ଗାଈ ଗୋରୁଙ୍କ ଉପଦ୍ରଵ ସହରର ସମସ୍ୟାକୁ ଦିଗୁଣିତ କରୁଛି।ଏ ସବୁ ସମସ୍ୟାକୁ ନେଇ ବାରମ୍ବାର ଖବର କାଗଜରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ଏନ.ଏ.ସି. କର୍ତ୍ତୃପକ୍ଷ କିମ୍ବା ଜନପ୍ରତିନିଧି ଙ୍କ ପ୍ରତିକ୍ରିୟା ମିଳୁନାହିଁ କି ସମାଧାନ ନିମନ୍ତେ ତତ୍ପରତା ପ୍ରକାଶ ପାଉନି ଯାହା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର ବିଷୟ।ତେବେ ଅଞ୍ଚଳବାସୀଙ୍କ ତରଫରୁ ଏ ସବୁ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଦାବୀ କରିଛନ୍ତି।
