ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ରେ ବିପର୍ଯ୍ଯସ୍ତ ସ୍ବାସ୍ଥ୍ୟ ସେବା, ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବି, ରୋଗୀ ସେବାରେ ବିଫଳ ହୋଇଛି ସ୍ୱାସ୍ଥ୍ୟ କେନ୍ଦ୍ର……
ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ଜିଲ୍ଲାରେ ତାଲିମ ପ୍ରଦାନ କରାଯାଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଡିକରେ ରୋଗୀମାନଙ୍କ ନିମନ୍ତେ ରୋଗ ପ୍ରତିଷେଧକ, ସହଳରେ ରୋଗ ନିଦାନ ପାଇଁ ପ୍ରୋତ୍ସାହିତ କରିବା, ରୋଗ କବଳରୁ ଆରୋଗ୍ୟ କରିବା, ରୋଗୀକୁ କିଭଳି ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା, ସୁବିଧାରେ ରୋଗୀଙ୍କ ରୋଗ ଉପସମ କରାଇବା ନିମନ୍ତେ କାର୍ଯ୍ୟକ୍ରମ ଚାଲୁ ରହିଛି। ତେବେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ରେ ରୋଗୀ ସେବା ଏକ ରକମ ବିପର୍ଯ୍ଯସ୍ତ ହୋଇ ପଡିଥିବା ଅନୁଭବ ହେଉଛି। ଏଠାରେ ଦୁଇଜଣ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଙ୍କୁ ଛାଡିଦେଲେ ଆଉ କୌଣସି ବିଶେଷଜ୍ଞ ଡାକ୍ତର ନାହାଁନ୍ତି। ଏହି ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଦାୟିତ୍ଵରେ ଥିବା ସୁପରିଟେଣ୍ଡେଣ୍ଟ ଡାକ୍ତର ମାନଙ୍କୁ ଠିକ୍ ରୂପେ ଡ୍ୟୁଟି ଚାର୍ଟ ପ୍ରସ୍ତୁତି କରିବାରେ ମଧ୍ୟ ତ୍ରୁଟି ଯୋଗୁଁ ଡାକ୍ତର ମାନେ କେତେବେଳେ କେମିତି ଡ୍ୟୁଟି କରିବେ ତାହା ବି ଜଣାପଡୁନାହିଁ ଚିକିତ୍ସାଳୟ ରେ ପରିଚାଳନା ବିଭ୍ରାଟ ଯୋଗୁଁ ଅଧିକାଂଶ କ୍ଷେତ୍ରରେ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ଭ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ବିଶେଷଜ୍ଞ ଡାକ୍ତର ଅଭାବରୁ ଏଠାରେ ରୋଗୀ ସେବା ଏକ ପ୍ରକାର ବିପର୍ଯ୍ଯସ୍ତ ହୋଇ ପଡିଥିବା ବେଳେ ଜରୁରୀ ବେଳେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉମରକୋଟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ସରକାର ଉପଖଣ୍ଡ ଚିକିତ୍ସାଳୟ ର ମାନ୍ୟତା ଦେଲେ। କିନ୍ତୁ ଉପଖଣ୍ଡ ଚିକିତ୍ସାଳୟ ପାଇଁ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବାରେ ସରକାର ବିଫଳ ହୋଇଛନ୍ତି। ଫଳରେ ଏହି ଅଞ୍ଚଳର ରୋଗୀ ମାନଙ୍କୁ ବର୍ତ୍ତମାନ ମଧ୍ୟ ବିଶାଖାପାଟଣା ଆଉ ରାୟପୁର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଚି। ଉମରକୋଟ ହସ୍ପିଟାଲ ହେଉଛି ଏକ ରେଫରାଲ ହସ୍ପିଟାଲ। ଏହି ହସ୍ପିଟାଲକୁ ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକର ରୋଗୀ ମାନେ ସେଠାକାର ସ୍ଥାନୀୟ ହସ୍ପିଟାଲ ରୁ ଗୁରୁତର ଅବସ୍ଥାରେ ଏଠାକୁ ଆସିଥାଆନ୍ତି। ଏପରିକି ଏହି ହସ୍ପିଟାଲ କୁ ଡ।ବୁଗାଁ ଓ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ରୋଗୀ ମାନେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ତେବେ ଉମରକୋଟ ହସ୍ପିଟାଲ ନିଜେ ଏକ ରେଫରାଲ ହସ୍ପିଟାଲରେ ପରିଣିତ ହେଇ ଯାଇଛି। ଯେକୌଣସି ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସନ୍ତି ବିଶେଷଜ୍ଞ ଡକ୍ଟରଙ୍କ ଅଭାବରୁ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଏ। ଏକ ଆକଳନରୁ ଜଣାପଡ଼ିଛି ଯେ ଉମରକୋଟ ହସ୍ପିଟାଲ କୁ ପ୍ରତିଦିନ ୪୦୦ ରୁ ଉର୍ଦ୍ଧ୍ବ ରୋଗି ଚିକିତ୍ସା ପାଇଁ ଆସିଥାନ୍ତି। ବିଶେଷଜ୍ଞ ଡାକ୍ତର ନଥିବାରୁ ବର୍ତ୍ତମାନ ଚିକିତ୍ସା ନାମରେ ଗାଁ ଗାଁ ରେ କ୍ୱାକ ମାନେ ନିରୀହ ଲୋକଙ୍କ ଠାରୁ ଜୋର୍ ଜୁଲମ କରି ଅର୍ଥ ଆଦାୟ କରୁଛନ୍ତି। ଏପରିକି ଏହାର ସୁଯୋଗ ନେଇ କୋରାପୁଟ ମେଡିକାଲ କଲେଜ ଆଉ ବିଶାଖାପାଟଣା ରୁ ଡାକ୍ତର ମାନେ ଆସି ମେଡିକାଲ ଷ୍ଟୋରରେ ବସି ରୋଗୀ ଚିକିତ୍ସା କରୁଛନ୍ତି। ଯେଉଁ ରୋଗୀ ମାନେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ସେମାନେ କିଛି ଗୁରୁତର ହେଲେ ବାହାରକୁ ଯାଇ ଚିକିଶ୍ଚିତ ହେଉଥିବା ବେଳେ ଗରିବ ରୋଗୀ ହନ୍ତସନ୍ତ ହେଉଛନ୍ତି। ବିଶେଷଜ୍ଞ ଡକ୍ଟର ନିଯୁକ୍ତି ପାଇଁ ସ୍ଥାନୀୟ ଲୋକେ ବହୁବାର ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ପରେ ଆନ୍ଦୋଳନ ହୋଇଛି । ଡାକ୍ତର ନିଯୁକ୍ତି କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳେ ହେଲେ କିନ୍ତୁ ପରେ ସବୁ ଫେଲ । ତୁରନ୍ତ ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ରାଜ୍ୟ ସରକାର ବିଶେଷଜ୍ଞ ଡକ୍ଟର ନିଯୁକ୍ତି ନ କଲେ ଭବିଷ୍ୟତ ରେ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜ ବାଜ ହେଉଛନ୍ତି ଲୋକେ।
