ବନ୍ଧ ପାଇଁ ବନ୍ଧରେ ବସିଲା ସଭା..

ମୟୂରଭଞ୍ଜ(ବିଭୂତି ରାଉତ)ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ବାରିଆ ଗ୍ରାମପଞ୍ଚାୟତ ସ୍ଥିତ ବାରିଆ ଠାରେ 1980 ମସିହା ପୂର୍ବରୁ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବିଭାଗ ତତ୍ତ୍ଵାବଧାନରେ ନିର୍ମାଣ ହୋଇଥିବା ବନ୍ଧ ଚାଷୀଙ୍କ ହିତରେ ଲାଗି ଆସୁଥିଲା l 1980 ମସିହା ପୂର୍ବରୁ ଯେତେବେଳେ ବନ୍ଧ ନିର୍ମାଣ ହୋଇଥିଲା ସେତେବେଳେ ବନ୍ଧ ଏତେ ବଡ ନ ଥିଲା କିମ୍ବା ବନ୍ଧ ଉପର ମୁଣ୍ଡରେ ଥିବା ଚାଷୀଙ୍କ ଚାଷଜମି ଜଳମଗ୍ନ ହେଉ ନ ଥିଲା କିନ୍ତୁ ପରେ ପରେ ବନ୍ଧର ହୁଡ଼ାକୁ ଆହୁରି ଉଚ୍ଚା କରାଗଲା ।ଯାହାଫଳରେ ବନ୍ଧ ବାମ ପାଖରେ ଥିବା ଏବଂ ବନ୍ଧ ତଳେ ଥିବା ଚାଷୀମାନଙ୍କ ଜଳସମସ୍ୟା ଦୂର ହେଲା କିନ୍ତୁ ବନ୍ଧର ଉପର ମୁଣ୍ଡରେ ଥିବା ଚାଷୀମାନଙ୍କ ସମସ୍ୟା ବଢିଲା ରବି ଋତୁରେ ଚାଷ ଜମି ବନ୍ଧ ପାଣିରେ ବୁଡି ରହିଲା ଆଉ ଖରିଫ ଋତୁରେ ହେଉଥିବା ସମସ୍ୟା କଥା ନ କହିବା ଭଲ ଏକର ଏକର ଜମି ଜଳମଗ୍ନ ହୋଇ ରହିଲା। ରବିରେ ନୁହେଁ କି ଖରିଫରେ ନୁହେଁ ବୁଡି ଜମିରେ ଚାଷ କରିପାରିଲେ ନାହିଁ ଚାଷୀ ତଥାପି ଚାଷୀଙ୍କ ଧର୍ଯ୍ୟ ଥିଲା କିନ୍ତୁ ଏବେ ପୁଣି ବନ୍ଧର ଜଳ ଧାରଣ କ୍ଷମତା ବଢ଼ାଇବା ପାଇଁ ଯୋଜନା କରି ପ୍ରକଳ୍ପ ଆରମ୍ଭ ହୋଇଥିଲା l ଏହାକୁ ବୁଡି ଜମିର ଅଧିକାରୀମାନେ ବିରୋଧ କରିଥିଲେ l ତାଙ୍କର କହିବା କଥା ଥିଲା ବନ୍ଧ ପୁଣି ଥରେ ଜଳଧାରଣ କ୍ଷମତା ବଢ଼ା ଗଲେ ଆହୁରି ଅଧିକ ଜମି ଜଳ ମଗ୍ନ ହୋଇଯିବ l କିନ୍ତୁ କାହା କଥାକୁ ନ ଶୁଣି ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲା l କେବଳ ସେତିକି ନୁହେଁ ଏହାକୁ ବିରୋଧ କଲେ ପୋଲିସରେ ଦିଆଯିବ ତମ ନାମରେ କେସ ମଧ୍ୟ କରାଯିବ ବୋଲି ଠିକାଦାର ଧମକ ଦେଇଥିବା ଅଭିଯୋଗ ହୋଇଛି l ତେବେ ଏ ସଂକ୍ରାନ୍ତରେ ବୁଡି ଜମିର ଅଧିକାରୀମାନେ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକଷ୍ଠରେ ଲିଖିତ ଭାବରେ ଜଣାଇବା ପରେ ଆଜି ବନ୍ଧ ହୁଡ଼ାରେ ବୈଠକ ଅନୁଷ୍ଠିତ ବସିଥିଲା ଯେଉଁଠିି ଉଭୟ କ୍ଷତିଗ୍ରସ୍ତ ଚାଷୀ, ଏବଂ ଉପକୃତ ହେଉଥିବା ଚାଷୀ ଉପସ୍ଥିତ ଥିଲେ l ସେହିଭଳି ପ୍ରଶାସନ ପକ୍ଷରୁ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ନବ ନାୟକ ଏବଂ ଷ୍ଟାଫ, ଚିତ୍ତ ରଞ୍ଜନ ମହାନ୍ତ ପିଏ ଆଇଟିଡିଏ କରଞ୍ଜିଆ, ଶୁକୃଳି ତହସିଲଦାର ଯତୀନ୍ଦ୍ର ସେଠୀ, ଶୁକୃଳି ବିଡିଓ ବ୍ରହ୍ମାନନ୍ଦ ବେହେରା, କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ, ସ୍ଥାନୀୟ ଯନ୍ତ୍ରୀ ଓ ସରପଞ୍ଚ ଅଜିତ ଚାତାର, ସମିତି ସଭ୍ୟ ସୀତାରାମ ଚାତାର ପ୍ରମୁଖ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପସ୍ଥିତ ରହି କ୍ଷତିଗ୍ରସ୍ତ ଜମି ମାଲିକଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ଆଲଚନାରେ କିଛି ନିଷ୍କର୍ଷ ବାହାରି ପାରିଲା ନାହିଁ l ମାତ୍ର କ୍ଷତିଗ୍ରସ୍ତ ଚାଷୀମାନେ ବନ୍ଧର ଆଡ଼ିବନ୍ଧ ଉଚ୍ଚତା ନ ବଢ଼ାଇବା ଜିଦରେ ଅଟଳ ରହଥିଲେ କ୍ଷତିଗ୍ରସ୍ତ ଚାଷୀ l ତାଙ୍କ କହିବା କଥା ହେଲା ଯେତିକି ସରକାରୀ ଜମି ଅଛି ସେତିକିରେ ବନ୍ଧ ପାଣି ରଖନ୍ତୁ ଅଯଥା ଆମ ଜମିକୁ ବର୍ବାଦ କରା ନ ଯାଉ ଆହୁରି ମଧ୍ୟ କ୍ଷତିଗ୍ରସ୍ତ ଚାଷୀ କହିଲେ 1980 ମସିହାରେ ତତ୍କାଳୀନ ଜିଲ୍ଲାପାଳ ଏ ବନ୍ଧକୁ ଆଉ କେହି ବଢାଇବେ ନାହିଁ ବୋଲି କହିଥିଲେ । ହେଲେ ପୁଣି ଥରେ କାହିଁ କି ଏହାର ସମ୍ପ୍ରସାରଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ କ୍ଷତିଗ୍ରସ୍ତ ଚାଷୀ ମାନେ l ଅନ୍ୟପଟେ ଆଜିର ଆହୁତ ବୈଠକର ଆଲଚନାରେ କିଛି ନିଷ୍କର୍ଷ ବାହାରି ନ ଥିବାରୁ ପୁଣି ଥରେ ଆଲୋଚନା ହେବା ନେଇ ସିଦ୍ଧାନ୍ତ ହୋଇଛି l ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ପକ୍ଷରୁ ଯଦି ଚାଷୀମାନଙ୍କ ହିତରେ ଆଡ଼ି ବନ୍ଧର ଉଚ୍ଚତା ବୃଦ୍ଧି କରାଯାଉଛି ଏହା ଚାଷୀଙ୍କ ସହମତିରେ ନା ସରକାର କିମ୍ବା ବିଭାଗୀୟ ଅଧିକାରୀମାନଙ୍କ ଦ୍ଵାରା ନିର୍ଦ୍ଧାରିତ ଯୋଜନାକୁ ଚାଷୀଙ୍କ ଅନିଚ୍ଛା ସତ୍ତ୍ବେ ଯୋର ଜବରଯସ୍ତ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ହେଉଛି ତାକୁନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଜୋରଦାର ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି।
