March 10, 2026

ଉଦଘାଟନ ର ଦେଢ଼ ବର୍ଷ ପରେ ବି ଲୋକଙ୍କ କାର୍ଯ୍ୟରେ ଲାଗୁନି କଲ୍ୟାଣ ମଣ୍ଡପ ..

IMG-20250609-WA0011
Share

 

କୋଲନରା (ସଞ୍ଜୀବ କଣ୍ଡାଗରୀ) କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ସଦର ପଞ୍ଚାୟତର ଆମ୍ବ ତୋଟା ନିକଟରେ ଲୋକଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ମାଣ କରାଯାଇଥିବା କଲ୍ୟାଣ ମଣ୍ଡପ ଉଦଘାଟନ ର ଦେଢ଼ ବର୍ଷ ପରେ ମଧ୍ୟ ଲୋକଙ୍କ କୌଣସି କାମରେ ବ୍ୟବହାର ହେଉ ନାହିଁ।ଯଦି ଏଭଳି ଅବସ୍ଥାରେ ପଡ଼ି ରହେ ତାହେଲେ ଦିନକୁ ଦିନ କଲ୍ୟାଣ ମଣ୍ଡପ ନଷ୍ଟ ହେବା ଆଶଙ୍କା ରହିଛି ଏବଂ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ବୁଡି ଯିବା ଭଳି ଘଟଣା ଦେଖିବାକୁ ମିଳିଛି ମୁକୁନ୍ଦପୁର ଗ୍ରାମରେ ନିର୍ମିତ କଲ୍ୟାଣ ମଣ୍ଡପରେ।ସୂଚନା ମୁତାବକ, ଲୋକଙ୍କ ସୁବିଧା ଦୃଷ୍ଟିରୁ ଗ୍ରାମବାସୀଙ୍କ ବିବାହ,ବ୍ରତ,ବିଭିନ୍ନ ସଭା ସମିତି ସହ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଲୋକେ ବ୍ୟବହାର ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାନୀୟ ଆମ୍ବ ତୋଟା ରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।ନିର୍ମାଣ କାର୍ଯ୍ୟ ସମାପ୍ତ ପରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଗତ ବର୍ଷ ଡ଼ିସେମ୍ବର ୧୩ ତାରିଖରେ ଏହି କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଥିଲେ।କିନ୍ତୁ ଉଦଘାଟନ ର ୧୦ ମାସ ପରେ ବି ଉକ୍ତ କଲ୍ୟାଣ ମଣ୍ଡପ ଆଜି ପର୍ଯ୍ୟନ୍ତ ଲୋକଙ୍କ କୌଣସି କାର୍ଯ୍ୟରେ ଆସୁନାହିଁ।କେଉଁ କାରଣରୁ ବ୍ୟବହାର ହୋଇପାରୁ ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ କଲ୍ୟାଣ ମଣ୍ଡପ ଯଦି ବ୍ୟବହାର ହୁଏ ତାହା ହେଲେ ପଞ୍ଚାୟତକୁ ମଧ୍ୟ କିଛି ରାଜସ୍ବ ଆଦାୟ ହୋଇ ପାରିଥାନ୍ତା। ଅନ୍ୟ ପକ୍ଷେ କଲ୍ୟାଣ ମଣ୍ଡପକୁ କୌଣସି ବ୍ୟକ୍ତି ବିଶେଷ କିମ୍ବା କୌଣସି ମହିଳା ମଣ୍ଡଳୀକୁ ଲିଜ ଆକାରରେ ଦେଇ ହସ୍ତାନ୍ତର କରାଯିବା ଭଳି ବ୍ଲକ କିମ୍ବା ପଞ୍ଚାୟତ ତରଫରୁ ସେମିତି କିଛି ନୋଟିସ ଆଜି ପର୍ଯ୍ୟନ୍ତ ଜାରି କରି ନାହାନ୍ତି ବିଭାଗୀୟ ଅଧିକାରୀ। ଯାହା ଫଳରେ ତାହା ବ୍ୟବହାର ନ ହୋଇ ସେମିତି ପଡ଼ି ରହିଛି।ଯଦି କାହାକୁ ଲିଜ ଆକାରରେ ଦିଆଯାଏ ତାହା ହେଲେ ସେ ମଧ୍ୟ କିଛି ଟଙ୍କା ରୋଜଗାର କରି ନିଜ ପେଟ ପାଟଣା କରି ପାରି ଥାନ୍ତେ ବୋଲି ଅଞ୍ଚଳ ବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।ଯଦି ପଞ୍ଚାୟତର ବିଭିନ୍ନ ସମ୍ପତ୍ତିକୁ ନିଲାମ କରିବା ସମୟରେ ଉକ୍ତ କଲ୍ୟାଣ ମଣ୍ଡପକୁ ମଧ୍ୟ ନିଲାମ କରାଯାଇ ଥିଲେ ହୁଏତ ତାହା ଆଜି ପର୍ଯ୍ୟନ୍ତ ଏମିତି ଅବସ୍ଥାରେ ରହି ନ ଥାନ୍ତା ଏବଂ ବ୍ୟବହାର ହୋଇପାରି ଥାନ୍ତା ବୋଲି ମତ ପ୍ରକାଶ ପାଉଛି। ଅନ୍ୟ ପଟେ କଲ୍ୟାଣ ମଣ୍ଡପର ଉପକାରିତା ସମ୍ପର୍କରେ ଲୋକଙ୍କୁ ପଞ୍ଚାୟତ ତରଫରୁ ସଚେତନ କରାଯାଏ ହୁଏତ ତାହା ବ୍ୟବହାର ହୋଇପାରିବ।ତେଣୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଉକ୍ତ କଲ୍ୟାଣ ମଣ୍ଡପ ଟିକୁ କିପରି କାର୍ଯ୍ୟକ୍ଷମ ହୋଇ ପାରିବ ସେ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।