ଅଙ୍ଗଦାନ କରି ମୃତ୍ୟୁ ପରେ ଅମର ହେଲେ ଆଶିଷ ..

କୋରାପୁଟ(ଗୁପ୍ତେଶ୍ୱର ରଥ)ଚାଲିଗଲା ପରେ ନିଜ ଅଙ୍ଗଦାନ କରି ୭ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି ଆଶିଷ। ଦୁର୍ଘଟଣା ଗ୍ରସ୍ତ ଆଶିଷ ଜୀବନ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରିଗଲେ।ହେଲେ ମୃତ୍ୟୁ ପରେ ବି ସେ ଚିର ଅମର ହୋଇ ରହିଛନ୍ତି। ସୁନାବେଡା ଡିପି କ୍ୟାମ୍ପର ଆଶିଷ କୁମାର ଛୁଆଳ ସିଂ।ବାପା ଓ ମାଆଙ୍କୁ ହରାଇବା ପରେ ଭଉଣୀ ଘରେ ରହୁଥିଲେ।ଆଇଟିଆଇ ଫିଟର୍ ପଢ଼ା ଶେଷ କରିବା ପରେ ‘ହାଲ୍ ରେ ଆପ୍ରେଣ୍ଟିସିପ୍ କରୁଥିଲେ। ସୁନାବେଡା ବି ଜୋନ୍ ଗୋଲେଇ ଛକ ନିକଟରେ ଗୋଟିଏ କାର ସହ ଆଶିଷ ଙ୍କ ବାଇକ୍ ଧକ୍କା ହୋଇଥିଲା।ଘଟଣା ସ୍ଥଳରେ ଆଶିଷ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ‘ହାଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ଆଶିଷଙ୍କ ମୃତ୍ୟୁ ହୋଇଥିଲା।
ପରିବାର ଲୋକ ବହୁ ପ୍ରୟାସ କରିଥିଲେ ବି ଆଶିଷଙ୍କୁ ବଞ୍ଚାଇ ପାରିନଥିଲେ।ହେଲେ ଚେନ୍ନାଇ, ବେଙ୍ଗାଲୁରୁ,ବିଶାଖାପାଟଣା ସମେତ ଅନ୍ୟ ରାଜ୍ୟର ୭ ରୋଗୀଙ୍କୁ ଅଙ୍ଗଦାନ କରିଥିଲେ ଆଶିଷ। ହୃତ୍ପିଣ୍ଡ,ବୃକ୍କ,ଯକୃତ,ଫୁସ୍ଫୁସ୍ ଓ ଅଗ୍ନାଶୟ ଭଳି ଅଙ୍ଗକୁ ବାହାର କରି ୭ ଗୁରୁତର ରୋଗୀଙ୍କୁ ପ୍ରଦାନ କରାଯାଇଥିଲା।ଆଶିଷ ନାହାନ୍ତି ସତ ହେଲେ ପ୍ରତିଟି ଅଙ୍ଗ ତାଙ୍କର ଅନ୍ୟ ୭ ଜଣଙ୍କୁ ଦେଇଛି ନୂଆ ଜୀବନ। ଆଶିଷ ଙ୍କ ଏହି ମହତ ଦାନ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ଅଞ୍ଚଳ ବାସୀ ଆଲୋଚନା କରିଛନ୍ତି।