Assembly: ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ: ସ୍ୱାଭାବିକ ହୋଇନପାରେ ବିଧାନସଭା
ଖରିଫ ଧାନ କିଣାରେ ଅବ୍ୟବସ୍ଥା ଦୂର ହୋଇନି। ଚାଷୀମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ଜାରି ରହିଛି। କେଉଁଠି ଆକାଉଣ୍ଟକୁ ଟଙ୍କା ଯାଉନି ତ କେଉଁଠି ଟୋକନ୍ ଲାପ୍ସ କରିଗଲାଣି। ମଣ୍ଡି ଆଗରେ ଧାନଗାଡ଼ି ଛିଡ଼ା କରି ଚାଷୀ ପ୍ରତିବାଦ କରୁଛନ୍ତି। ଏମିତି ପରିସ୍ଥିତିରେ ସୋମବାରଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରୁ କୌଣସି ଗୋଟିଏ ଦିନ ବି ଗୃହ ସ୍ବାଭାବିକ ଚାଲି ନଥିଲା। ଚାଷୀ ଓ ଧାନକିଣା ହିଁ ମୁଖ୍ୟ ପ୍ରସଙ୍ଗ ଥିଲା ବିରୋଧୀଙ୍କର। ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିରୋଧୀ ଗୃହ ଚଳାଇ ଦେଇ ନଥିଲେ। ଏବେ ସେହି ପ୍ରସଙ୍ଗଟି ଆହୁରି ଜଟିଳ ହୋଇଛି। ତେଣୁ ବିରୋଧୀ ଧାନକିଣା ଅବ୍ୟବସ୍ଥାକୁ ଜୋରଦାର ଉଠାଇବେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବା ଥୟ।
ଶାସକ ଦଳର ବି ବହୁ ସଦସ୍ୟ ଧାନକିଣା ଅବ୍ୟବସ୍ଥାକୁ ନେଇ ଖପ୍ପା ଅଛନ୍ତି। ପ୍ରଥମ ପର୍ଯ୍ୟାୟ ଅଧିବେଶନ ପୂର୍ବରୁ ବିଧାୟକ ଦଳ ବୈଠକରେ ତାହାର ଆଭାସ ମିଳିଥିଲା। ଜଣେ ବରିଷ୍ଠ ବିଧାୟକ ଅତ୍ୟନ୍ତ କଡ଼ା ଭାଷାରେ ଯୋଗାଣ ବିଭାଗକୁ ସମାଲୋଚନା କରିଥିଲେ। ଅନ୍ୟ ବିଧାୟକମାନେ ମଧ୍ୟ ସେଥିରେ ସହମତ ହୋଇଥିଲେ। ତେଣୁ ଧାନକିଣା ପ୍ରସଙ୍ଗରେ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଶାସକ ଦଳର ବହୁ ବିଧାୟକ ଥତମତ ହେଉଥିବା ଦଳୀୟ ମହଲରେ ଆଲୋଚନା ଜୋର୍ ଧରିଛି। ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଏପ୍ରିଲ୍ ୮ ତାରିଖ ଯାଏଁ ଚାଲିବ। ୧୦ ତାରିଖରୁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୧ରେ ବଜେଟ୍ ପାରିତ ହେବ
ଏହା ମଧ୍ୟରେ ଆଉ ଏକ ବଡ଼ ରାଜନୈତିକ ସମୀକରଣ ରାଜ୍ୟରେ ହୋଇଛି। ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ବିଜେଡି-କଂଗ୍ରେସ ଏକଜୁଟ୍ ହୋଇଛନ୍ତି। ତେଣୁ ଦୁଇ ବିରୋଧୀ ଦଳ ଶାସକ ଦଳକୁ ମିଳିତ ଆକ୍ରମଣ କରିପାରନ୍ତି। ଅନ୍ତତଃ ରାଜ୍ୟସଭା ନିର୍ବାଚନ ଯାଏଁ ବିଜେଡି-କଂଗ୍ରେସର ସବୁ ବିଧାୟକ ଏକାଠି ଅଛନ୍ତି ବୋଲି ତାହା ପ୍ରମାଣିତ କରିବାକୁ ଦୁଇ ଦଳ ଚେଷ୍ଟା କରିବେ। ଧାନ ପ୍ରସଙ୍ଗ ସହ ମହାନଦୀ ଜଳ ବିବାଦକୁ ମଧ୍ୟ ବିରୋଧୀ ବଡ଼ ପ୍ରସଙ୍ଗ କରିବେ ବୋଲି ସୂଚନା ମିଳିଛି। ,
