କୋଟପାଡ଼ ବ୍ଲକରେ ବାର୍ଷିକ ପରୀକ୍ଷା ପ୍ରହସନରେ ପରିଣତ ..

କୋଟପାଡ଼(ହରିଶ କୁମାର ପଟ୍ଟନାୟକ)ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଶିକ୍ଷାର ସୁଦୁର ପ୍ରସାରୀ ଓ ବ୍ୟାପକ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିଛି ଅପାରଗ ଅଧିକାରୀ ମାନଙ୍କ ଖାମଖିଆଲି ଓ ବେପାରୁଆ ମନୋଭାବ ପୋଷଣ ଯୋଗୁଁ ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ଆଗକୁ ଗତି କରୁଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।ଇତି ମଧ୍ୟରେ ଗତ ୬ ତାରିଖ ଠାରୁ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଲକରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି।କାର୍ଯ୍ୟସୂଚୀ ଅନୁଯାୟୀ ୬ ଓ ୭ ତାରିଖରେ ମୌଖିକ ପରୀକ୍ଷା ଓ ୯ ତାରିଖରୁ ଲିଖିତ ପରୀକ୍ଷାର ସମୟ ସାରଣୀ ପ୍ରସ୍ତୁତ କରାଯାଇଥିଲା।ସେହି ଅନୁସାରେ ସମସ୍ତ ସରକାରୀ ବିଦ୍ୟାଳୟରେ ପରୀକ୍ଷା ଆରମ୍ଭ କରାଯାଇଥିବା ଜଣାପଡ଼ିଛି।କିନ୍ତୁ ଏହି ପରୀକ୍ଷା ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି।କିଛି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ନାମ ଗୋପନରେ ରଖି ଅବଗତି କରିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ମାର୍ଗଦର୍ଶିକାର ଅନୁପାଳନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ହୋଇ ପାରୁନଥିବା ଜଣାଇଛନ୍ତି। ପ୍ରତ୍ୟେକ ବିଦ୍ୟାଳୟକୁ ଆବଶ୍ୟକ ସଂଖ୍ୟକ ପ୍ରଶ୍ନପତ୍ର ପ୍ରଦତ୍ତ ହୋଇ ପାରୁନଥିବାର କାରଣ କଣ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏଥିସହ ଠିକ୍ ପରିମାଣର ପ୍ରଶ୍ନପତ୍ର ନ ମିଳିବା ଯୋଗୁଁ କେତେକ କ୍ଷେତ୍ରରେ ପ୍ରଶ୍ନପତ୍ର ଗୁଡିକୁ ଜେରେକ୍ସ କରାଯାଇ ଥିବାର ଅଭିଯୋଗ ହୋଇଛି।ଏଥିସହ ପରୀକ୍ଷାର ଏକ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଗୁଡିକୁ ବିଦ୍ୟାଳୟ ସ୍ତରରେ ପହଞ୍ଚାଇବାର ନିର୍ଦ୍ଦେଶ ନାମାଥିବା ବେଳେ ନିର୍ଦ୍ଦିଷ୍ଟ ସ୍ଥାନକୁ ଡାକି ପ୍ରଧାନ ଶିକ୍ଷକ ମାନଙ୍କୁ ପ୍ରଶ୍ନପତ୍ର ପ୍ରଦାନର କରିଥିବା ଅଭିଯୋଗ ହୋଇଛି।କୋଟପାଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି କୈଣସି ପ୍ରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ବାର୍ଷିକ ପରୀକ୍ଷା ସମୟରେ ମଧ୍ୟ ନିଜ ମୁଖ୍ୟାଳୟ ରେ ଅନୁପସ୍ଥିତି ସମସ୍ୟାକୁ ଜଟିଳରୁ ଜଟିଳତର କରିଥିବା ବିଭିନ୍ନ ମହଲରେ ଆଲୋଚନା ଶୁଣିବାକୁ ମିଳୁଛି। ତେବେ ଦେଖିବାକୁ ବାକି ରହିଲା କୋଟପାଡ଼ ବ୍ଲକରେ ବାର୍ଷିକ ପରୀକ୍ଷାରେ ଅବ୍ୟବସ୍ଥା ଓ ଗୋପନୀୟତାକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ଶିକ୍ଷା ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି।ଏଥିସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଚିଠି ନମ୍ବର ୪୫୦/ତା ୦୭/୦୩/୨୦୨୬ ରିଖ ଅନୁଯାୟୀ ପରିକ୍ଷା ସମ୍ପର୍କିତ ସମସ୍ତ ଏସଓପି କୁ ଉଲ୍ଲଘନ କରାଯାଇ ପ୍ରଧାନଶିକ୍ଷକ ମାନଙ୍କୁ ଅଧଘଣ୍ଟା ଆଗରୁ ନୋଡାଲ ସେଣ୍ଟର ଆସି ପ୍ରଶ୍ନପତ୍ର ନେବା ଚିଠିକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି କାରଣ ଏସଓପି ଅନୁଯାୟୀ ପଞ୍ଚମ ଓ ଅଷ୍ଟମ ବୋର୍ଡ଼ ପରୀକ୍ଷାର ପ୍ରଶ୍ନପତ୍ର ଟିମ୍ ଗଠନ କରି ଏକ ଘଣ୍ଟା ପୂର୍ବରୁ ବିଦ୍ୟାଳୟକୁ ପହଞ୍ଚଇବା ନିର୍ଦ୍ଧେଶନାମା ଓସେପା ତରଫରୁ ଜାରି କରାଯାଇଛି।ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆମ ପ୍ରତିନିଧି ଟେଲିଫୋନ ଯୋଗେ ଯୋଗାଯୋଗ ରକ୍ଷା କରିବାକୁ ପ୍ରୟାସ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଫୋନ ନ ଉଠାଇବାରୁ ଯୋଗାଯୋଗ ରକ୍ଷା ହୋଇପାରିନାହିଁ।
