December 12, 2024

ବାଲେଶ୍ୱର ଷ୍ଟେସନରେ ଉଦଘାଟିତ ହେଲା ନବ ନିର୍ମିତ ଫୁଟ ଓଭର ବ୍ରିଜ୍‌

Share

ବାଲେଶ୍ୱର(ଶେଖ ନଜିମ୍) :- ବାଲେଶ୍ୱର ରେଳ ଷ୍ଟେସନର ମଧ୍ୟ ସ୍ଥଳରେ ଥିବା ଫୁଟ ଓଭର ବ୍ରିଜ୍ ଭଙ୍ଗା ଯିବା ପରେ ଯାତ୍ରୀମାନେ ନାହିଁନଥିବା ସମସ୍ୟା ର ସମ୍ମୁଖୀନ ହେଉଥିଲେ । ଏହାକୁ ନେଇ ବାରମ୍ବାର ଦାବି ପରେ ସେହି ସ୍ଥାନରେ ନୂତନ ଭାବେ ନିର୍ମିତ ଫୁଟ ଓଭର ବ୍ରିଜ୍ ଉଦଘାଟିତ ହୋଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହିତ ଅମୃତ ଭାରତ ଯୋଜନାରେ ୨୦୦ କୋଟିରୁ ଅଧିକ ଟଙ୍କାର ବ୍ୟୟରେ ବାଲେଶ୍ୱର ରେଳ ଷ୍ଟେସନର ନୂତନ କାୟାକଳ୍ପ ସମ୍ପର୍କରେ ଆଲୋକପାତ କରିଥିଲେ । କେବଳ ଏହି ଫୁଟ୍ ଓଭର ବ୍ରିଜ୍ କିମ୍ବା ଷ୍ଟେସନର ନବୀକରଣ ନୁହେଁ, ବରଂ ଡବଲ ଇଂଜିନ ସରକାର ଲୋକଙ୍କ ଦାବିକୁ ଅଗ୍ରାଧିକାର ଦେଇ ବହୁ ପ୍ରକଳ୍ପ ମଞ୍ଜୁର ସହ ଅନୁଦାନ ବର୍ଷା କରିଚାଲିଛନ୍ତି । ୯୪୦ କୋଟି ଟଙ୍କା ବ୍ୟୟରେ ଜଳେଶ୍ୱରରୁ ଚନ୍ଦନେଶ୍ୱରକୁ ରେଳ ସଂଯୋଗ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ନିଧିପଣ୍ଡା ପୋଲ ଓ ଅଣ୍ଡର ପାସ୍ କାର୍ଯ୍ୟ ଏବେ ତ୍ୱରାନ୍ୱିତ ହୋଇଛି ବୋଲି ସେ କହିଥିଲେ । ସମ୍ପୃକ୍ତ ପ୍ରକଳ୍ପଗୁଡିକର କ୍ଷେତ୍ର ପରିଦର୍ଶନ ସହ ତଦରାଖ ପାଇଁ ମନ୍ତ୍ରୀ ଶ୍ରୀ ବୈଷ୍ଣବ କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଏସପି ରାଜ ପ୍ରସାଦଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ଅନୁଯାୟୀ ରେଳ କ୍ଷେତ୍ରରେ ବିକାଶ ପାଇଁ ଓଡ଼ିଶାକୁ ୨୦ ହଜାର କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇସାରିଛି । ଦେଶରେ ସ୍ୱର୍ଣ୍ଣ ଚତୁର୍ଭୁଜ ଜାତୀୟ ରାଜପଥ ଭଳି ରେଳ କ୍ଷେତ୍ରରେ କଲିକାତାରୁ ଚେନାଇ, କଲିକତାରୁ ଦିଲ୍ଲୀ, ଦିଲ୍ଲୀରୁ ମୁମ୍ବାଇ ଓ ମୁମ୍ବାଇରୁ ଚେନାଇ ପର୍ଯ୍ୟନ୍ତ ଚତୁର୍ଭୁଜ ୪ ଟିକିଆ ରେଳଲାଇନ ବିଛାଯିବ । ଆଗାମୀ ଶହେବର୍ଷକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ନୂତନ ଟ୍ରାକ୍‌ରେ ଅଧିକରୁ ଅଧିକ ଟ୍ରେନ ଚାଲିବ । ତେବେ ପ୍ରକଳ୍ପ କାର୍ଯ୍ୟର ଗୁଣବତ୍ତା ରକ୍ଷା ପାଇଁ ପ୍ରଶାସନ, ରାଜନେତା ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରଖିବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ନୂଆ ଭବିଷ୍ୟତ ଗଠନ ପାଇଁ ଡବଲ ଇଂଜିନ ସରକାର ଉପକ୍ରମ ଆରମ୍ଭ କରିଛି ବୋଲି ସେ କହିଥିଲେ ।

ସମ୍ମାନିତ ଅତିଥି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ଶାସକଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ସଦର ବିଧାୟକ ମାନସ କୁମାର ଦତ୍ତ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ଜିଲାବାସୀଙ୍କ ପ୍ରତିଟି ଦାବି ଓ ପ୍ରସ୍ତାବକୁ ମଞ୍ଜୁରି ଦେଇ ଚାଲିଥିବା ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ଆଗାମୀ ଦିନରେ ବି ଏହି ଧାରା ଜାରି ରହିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ଦକ୍ଷିଣ-ପୂର୍ବ ରେଳ ବିଭାଗର ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ଏହି ସଭାରେ ବିବରଣୀ ଉପସ୍ଥାପନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ୧୦ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିବା ବାଲେଶ୍ୱର ରେଳ ଷ୍ଟେସନର ନବନିର୍ମିତ ଫୁଟ୍ ଓଭର ବ୍ରିଜ୍ ପାଇଁ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହା ଷ୍ଟେସନର ୧ ନମ୍ବରରୁ ୪ ନମ୍ବର ପର୍ଯ୍ୟନ୍ତ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବ । ୧ ନମ୍ବର ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ପାଇଁ ଯାତ୍ରୀଙ୍କୁ ଆଉ ଅଧିକ ରାସ୍ତା ଚାଲିବାକୁ ପଡ଼ିବ ନାହିଁ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।