November 21, 2024

କନ୍ଧମାଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିଶନ..

Share

 

କ୍ଷୁଧାମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ

 

ଭୁବନେଶ୍ବର(ବ୍ୟୁରୋ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଆଦିବାସୀ ମାଆ ଓ ଭଉଣୀମାନେ ଭୋକ ବିକଳରେ ବିଷାକ୍ତ ଅଖାଦ୍ୟ ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିବା ଅତ୍ୟନ୍ତ ଦୁଃଖଦ ଘଟଣାକୁ ଗୁରୁତର ସହିତ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ବିଶିଷ୍ଟ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଦ୍ୱାରା ଆବେଦନ କରାଯାଇଥିବା ଅଭିଯୋଗପତ୍ର ସମେତ ତିନୋଟି ଅଭିଯୋଗକୁ ତ୍ୱରିତ ବିଚାର କରିବାକୁ ଗ୍ରହଣ କରି ଆୟୋଗଙ୍କ ଅଧକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ ରାଜ୍ୟ ସରକାରଙ୍କୁ ଚାରି ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଆୟୋଗଙ୍କ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ଉପରୋକ୍ତ ଘଟଣାର ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ସହିତ କ୍ଷୁଧାରେ ପୀଡିତ ଆଦିବାସୀମାନଙ୍କୁ ଉତ୍କୃଷ୍ଟ ଚିକିତ୍ସା ଓ ମାଗଣା ପୃଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ ନିମନ୍ତେ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଧେଶ ଦେବାକୁ ନିଜ ପକ୍ଷ ରଖିଥିଲେ।

 

ଗତ ଏକ ତାରିଖ ଦିନ ଏକ ଦୈନିକ ଖବର କାଗଜ ସମେତ ଅନ୍ୟାନ୍ୟ ସମସ୍ତ ଦୈନିକ କାଗଜରେ ଉକ୍ତ ଘଟଣା ପ୍ରକାଶ ପାଇବା ପରେ ସରକାରଙ୍କ ଅପାରଗତା ଜଣାପଡିଥିଲା। ରାସନ କାର୍ଡ ନବୀକରଣ ନିମନ୍ତେ ନିରୀହ ଲୋକମାନଙ୍କୁ ପୁଣି ଥରେ ଆଧାର ସଂଯୋଗ ନାମରେ ରାସନ ଡିଲର ଚାଉଳ ଦେବା ଗତ ତିନି ମାସ ହେଲା ବନ୍ଦ କରିଛି । ଗରିବ ଆଦିବାସୀ ଖଟିଖିଆମାନେ ବଞ୍ଚିବା ପାଇଁ ମାସକୁ ୧୫ କିଲୋ ଚାଉଳ ଆବଶ୍ୟକ କରୁଥିବାବେଳେ ୫କିଲୋ ଚାଉଳ ଦଶ ଦିନ ଯାଉଛି । ପରିବାର ଚଳାଇବା ନିମନ୍ତେ ସରକାରୀ କିମ୍ବା ଘରୋଇ କାମ ଧନ୍ଦା ମିଳୁନାହିଁ । ଲୋକେ ଅବଶିଷ୍ଟ ୨୦ ଦିନ ପେଟ ପୁରାଇବାକୁ ବଣ ଜଙ୍ଗଲର ଫଳ ମୂଳ କନ୍ଦା, ଆମ୍ବ ଟାକୁଆ, କଇଁଆ ମଞ୍ଜି ବିଭିନ୍ନ ପତ୍ର ଲଟିର ଶାଗ ଭଳି ଅଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଲୋକମାନେ ମିଡ଼ିଆ ଆଗରେ ଖୋଲାଖୋଲି ଏହା କହୁଛନ୍ତି । ସରକାରୀ ବାବୁ ଏବଂ ଖୋଦ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା ଆଦିବାସୀଙ୍କ ପୁଷ୍ଟିକର ଖାଦ୍ୟ ବୋଲି କହିବା ସମ୍ପୂର୍ଣ ବେଖାତିର ଓ ହାସ୍ୟାସ୍ପଦ କଥା । ସେହିପରି ଖାଦ୍ୟ ଯୋଗାଣ ମନ୍ତ୍ରୀ ଗୋଦାମରେ ପ୍ରଚୁର ଚାଉଳ ମହଜୁଦ ରହିଥିବା କହିବା ମଧ୍ୟ ଭୁଭୁକ୍ଷିତଙ୍କ ପ୍ରତି ଉପହାସ ସଦୃଶ। ଲୋକତ ଭୋକରେ ପଡି ଅଖାଦ୍ୟ ଖାଇ ମରୁଛନ୍ତି, ଯେତେ ଚାଉଳ ମହଜୁଦ ଥିଲେ ଦରିଦ୍ର କି ଯାଏ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି ।