ଜୟପୁର ଉପଖଣିଜ ନିର୍ଦ୍ଦେଶକ-ତଥା-ଉପଖଣି ନିର୍ଦ୍ଦେଶକଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ କଲା ଓଡ଼ିଶା ଭିଜିଲାନ୍ସ

ଚଢ଼ାଉ ବେଳେ ଆହୁରି ୪.୯୦ ଲକ୍ଷ ଟଙ୍କା ନଗଦ ଜବତ; ମୋଟ ଜବତ ରାଶି ୬.୯୦ ଲକ୍ଷ ଟଙ୍କା
ଆଜି ତାରିଖ ୦୮.୦୭.୨୦୨୬ରେ ଜୟପୁର, କୋରାପୁଟ ଜିଲ୍ଲା ଉପଖଣିଜ ନିର୍ଦ୍ଦେଶକ କାର୍ଯ୍ୟାଳୟର ଉପଖଣିଜ ନିର୍ଦ୍ଦେଶକ (ଭୂତତ୍ତ୍ୱ)-ତଥା-ଉପଖଣି ନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ରାଉତଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରି ଜୟପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଉଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନା ମାମଲା ନଂ–୧୪, ତାରିଖ ୦୭.୦୭.୨୦୨୬, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ରୁଜୁ କରାଯାଇଛି।
ଗତକାଲି ରାତିରେ ଶ୍ରୀ ରାଉତ ଜଣେ ବାଲି ଖଣି ଲିଜଧାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ହାତେନାତ ଧରିଥିଲେ। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଲିଜଧାରୀ ବାଲିଘାଟ ନିଲାମ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ଅର୍ଥ ଜମା କରିଥିଲେ ମଧ୍ୟ, ଶ୍ରୀ ରାଉତ କୌଣସି ଯଥାର୍ଥ କାରଣ ନଥାଇ ଲିଜ୍ ବୃଦ୍ଧି ପ୍ରକ୍ରିୟାକୁ ବିଳମ୍ବ କରୁଥିଲେ। ଲିଜ୍ ବୃଦ୍ଧି ଏବଂ ଭବିଷ୍ୟତରେ ବାଲିଘାଟ ନିଲାମରେ ସୁବିଧା ଯୋଗାଇ ଦେବା ପାଇଁ ସେ ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ।
ଏହାପରେ ଲିଜଧାରୀ ଭିଜିଲାନ୍ସରେ ଅଭିଯୋଗ କରିବା ପରେ, ୦୭.୦୭.୨୦୨୬ ରାତିରେ ଏକ ସ୍ୱତନ୍ତ୍ର ଫାନ୍ଦ (ଟ୍ରାପ୍) ଯୋଜନା କରାଯାଇଥିଲା। ସେହି ସମୟରେ ଶ୍ରୀ ରାଉତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦଳ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୨ ଲକ୍ଷ ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଥିଲା। ରାସାୟନିକ ପରୀକ୍ଷାରେ ତାଙ୍କ ଉଭୟ ହାତର ଧୋଆଁରୁ ସକାରାତ୍ମକ ଫଳ ମିଳିଥିଲା, ଯାହା ଲାଞ୍ଚ ଟଙ୍କା ଗ୍ରହଣ ଓ ସ୍ପର୍ଶ କରିଥିବାର ପ୍ରମାଣ ଦେଇଛି।
ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଜୟପୁର ଲିଙ୍ଗରାଜ ନଗରସ୍ଥିତ ବାସଭବନ, କଟକ ଜିଲ୍ଲା ବିଦ୍ୟାଧରପୁର ଓ ମାହାଙ୍ଗା ବ୍ଲକ ଓଳକଣାସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉ ସମୟରେ ଜୟପୁର ବାସଭବନରୁ ୨.୯୦ ଲକ୍ଷ ଟଙ୍କା ଏବଂ କଟକର ବିଦ୍ୟାଧରପୁରସ୍ଥିତ ଘରରୁ ୨ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ଲାଞ୍ଚ ବାବଦରେ ଜବତ ୨ ଲକ୍ଷ ଟଙ୍କା ସହ ମୋଟ ୬.୯୦ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି।
ଏହି ମାମଲାର ତଦନ୍ତ ଜାରି ରହିଛି।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
