June 8, 2026

ମୂଳିସିଂହ ସହରହାଟରେ, ଅସରାଏ ବର୍ଷା ହେଲେ ଆଣ୍ଠିଏ ପାଣି, କ୍ରେତା ଓ ବିକ୍ରେତା ହନ୍ତସନ୍ତ : ଡ୍ରେନେଜ ବ୍ୟବସ୍ଥା କାମରେ ଲାଗୁନି

IMG-20260608-WA0012
Share

ତିର୍ତ୍ତୋଲ ତା 8/6/2026 ତିର୍ତ୍ତୋଲ ବ୍ଲକ, ତିନିନମ୍ବରଜୋନ ର ମୁଖ୍ୟବାଣିଜ୍ୟକେନ୍ଦ୍ର, ମୂଳିସିଂହ ପଞ୍ଚାୟତ ର ସହରହାଟ, ଏକ ସାପ୍ତାହିକ ହାଟ l ପ୍ରତି ବୁଧବାର ଓ ଶନିବାର, ଏଇ ଦୁଇଦିନ ଏଠାରେ ହାଟ ବସୁଥିଲେ ମଧ୍ୟ ହାଟର ଚତୁଃପାର୍ଶ୍ୱରେ ଅନେକଗୁଡିଏ ସ୍ଥାୟୀ ଦୋକାନ ରହିଅଛି l ଗତ ଶନିବାର ଦିନ, ହାଟ ଚାଲିଥିବା ବେଳେ, ହଠାତ କାଳବୈଶାଖୀ ପ୍ରଭାବ ରେ କିଛିସମୟ ପାଇଁ ବର୍ଷା ଲାଗିରହିଥିଲା l ଯାହା ଫଳରେ ହାଟ ଚଟାଣ ଉପରେ ପନିପରିବା ପସରା ମେଲାଇ ବସିଥିବା ହାଟୁଆ ମାନଙ୍କ ପନିପରିବା ଗୁଡିକ ବର୍ଷାପାଣି ରେ ଭାସିଯାଇଥିଲା l ହାଟର ପୂର୍ବଭାଗରେ ଯଦିବା ଛଅ ସାତଟି ପିଣ୍ଡି ନିର୍ମାଣ କରାଯାଇଛି, ମାତ୍ର ବିଧିବଦ୍ଧ ଭାବେ ସେଗୁଡିକ କାହାରିକୁ ଯୋଗାଇ ଦିଆଯାଇନାହିଁ l ଅଧିକାଂଶ ଦୋକାନୀ ତଳେ ଚଟାଣ ଉପରେ, ପାଲପକାଇ ବେପାରବଣିଜ କରିଥାନ୍ତି l ତେବେ ହାଟ ଉପରେ ପ୍ରବାହିତ ହେଉଥିବା ବର୍ଷାଜଳ ର ନିଷ୍କାସନ ପାଇଁ ଏଠାରେ ଯେଉଁ ଡ୍ରେନେଜ ବ୍ୟବସ୍ଥା କରାଯାଇଥିଲା, ତାହା ମଧ୍ୟ ସଠିକଭାବରେ କାର୍ଯକାରୀ ହୋଇପାରିନି l ତେଣୁ ଅସରାଏ ବର୍ଷାହେଲା ମାତ୍ରେ ହାଟୁଆ ମାନଙ୍କ ସହିତ ହାଟସଉଦା କରିବାକୁ ଆସୁଥିବା ଲୋକମାନଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି l ତିର୍ତ୍ତୋଲବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ଏହି ସହରହାଟର ବାସ୍ତବସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣ ରେ ଦାବୀହେଉଛି l