June 8, 2025
Share

 

 

ଖୋଜିଛ କି କେବେ ଲୁହର ଠିକଣା

ବିଧବା ଆଖିରେ କେବେ

କିଏ ପୋଛି ଦେଲା ମଥାରୁ ସିନ୍ଦୂର ତା’ର

ଭାଙ୍ଗି ଦେଲା ହସ୍ତୁ ଦୁଇ ପଟ ଶଙ୍ଖା କିଏ

ବ୍ୟାକୁଳ ବେଦନା

ସେ ମୁହଁରୁ ଝରେ ନିତି….!!

ଖୋଜିଛ କି କେବେ ଲୁହର ଠିକଣା

ଅଭାବି ଲୋକର ନେତ୍ରେ

ଭୋକେ ଛଟପଟ ଜୀବନଟା ଖାଲି

ଜୀଇଁବାର ବାଟବଣା

ଭିକ୍ଷା ଥାଳଧରି ଦୁଆର ଦୁଆର ବୁଲେ

ଛିଣ୍ଡା କପଡାରେ ଘୋଡି ହୁଏ ନାହିଁ ଦେହ

ତଥାପି ସଂଘର୍ଷ କରେ ପ୍ରତିଦିନ

ଅପମାନ କେତେ ସହି…..!!

ଖୋଜିଛ କି କେବେ ଦାଦନ ଆଖିର ଅଶ୍ରୁ

ଦଲାଲ ହାତରେ ବନ୍ଧା ପଡ଼ିଅଛି

ଜୀବନ ଜୀବିକା ତା’ର

ଜୀବନ ଲାଗିଛି ବାଜି

କେତେ ବେଳେ ସେହି

ଶବ ହୋଇ ଫେରେ

ଶଶ୍ମାନ ଚିତାରେ

ପାଉଁଶ ମୁଠିକ ସାଜି….!!

ଲୁହର ଠିକଣା ଖୋଜିଛି କିଏ

ଅନାଥ ଶିଶୁର ଘରେ

ଭଙ୍ଗା ଚାଳିଆରେ କରୁଣ ଚିତ୍କାର ସ୍ବର

କୋମଳ ଦେହରେ ଭରିଦେଲା କିଏ

ବିପଦ – ପାହାଡ – ବୋଝ

ଆମେ ତ ରହିଛୁ ଭୋଗ ବିଳାସରେ

କା ଲୁହ ପୋଛିଛୁ କେବେ

କଠୋର ପାଷାଣ ହୃଦୟ ଆମର

ଲୁହ – ଲହୁ ମୂଲ୍ୟ କେତେ….?

(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

ମୋନ:୯୪୩୭୭୭୯୪୪୭(କବି କେଶବ ଚନ୍ଦ୍ର ନାୟକ)

You may have missed