November 17, 2024

ତ୍ରୟୋଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ବିରାଟ ପଟୁଆରରେ ମା’ଙ୍କ ଘଟ ପରିକ୍ରମା 

Share

ବୁଗୁଡ଼ା : ତା ୦୮/୦୫/୨୩ : ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ତ୍ରୟୋଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଶ୍ରୀ ତ୍ରିନାଥ ସ୍ବାମୀ ପରିବା ବଜାର ବ୍ଯବସାୟୀ ସଂଘ ପକ୍ଷରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତ ମା’ଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିବା ବେଳେ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା ମାମାଲି ସାହୁ , ମହାଲକ୍ଷ୍ମୀ ପ୍ରଧାନ , ଉର୍ମିଳା ସାହୁ , ବବିତା ସାହୁ , ରଶ୍ମିତା ରାଜୁ ପ୍ରମୁଖ ଘଟ ଧାରଣ ପୂର୍ବକ ବଳଦେବ ମନ୍ଦିର , ଥାନା ରୋଡ , ହାଇସ୍କୁଲ ଛକ , ନୂଆଁ ବସଷ୍ଟାଣ୍ଡ , ମଦନ ମୋହନ ଛକ ପରିବା ମାର୍କେଟ୍ , ବୁଦ୍ଧଖୋଲ ଛକ , ପୋଲସରା ରୋଡ ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ । ମା’ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ ବିଭିନ୍ନ ରୂପରେ ବେଶଧାରଣ ଲୋକଙ୍କ ଭିଡ ସୃଷ୍ଟି କରିଥିଲା । ଅନ୍ୟପକ୍ଷରେ ଆଜି କୁମ୍ଭାର ସାହିର କୃଷ୍ଣ-ଅର୍ଜୁନ-ଭୀଷ୍ମ ମେଢ ଏବଂ ରଘୁନାଥ ସାହିର ଜଗନ୍ନାଥ ମେଢ ଲୋକାର୍ପିତ ହୋଇଥିଲା ।