November 23, 2024

ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ବାଜିମାତ କରିବ: ପାଣ୍ଡିଆନ୍‌… (ନବୀନ ଓଡ଼ିଶା ଗଠନରେ ଶ୍ରମିକଙ୍କ ରହିଛି ଗୁରୁତ୍ବପୂର୍ଣ୍ଣ ଅବଦାନ)

Share

 

ଭୁବନେଶ୍ବର, ସାଧାରଣ ନିର୍ବାଚନ-୨୦୨୪ ରେ ବିଜେଡି ବାଜିମାତ କରିବ। ବିଜେଡି ନେତା
ଭି.କାର୍ତ୍ତିକ ପାଣ୍ଡିଆନ୍‌ ଏଭଳି ଆକଳନ କରିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ଆକଳନ ଅନୁସାରେ ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନରେ ବାଜିମାତ କରିବ। ଭୁବନେଶ୍ବର ଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ର ରାଜ୍ୟ ସ୍ତରୀୟ କନଭେନସନ ରେ ଯୋଗ ଦେଇ
ଶ୍ରୀ ପାଣ୍ଡିଆନ ଏହା କହିଛନ୍ତି। ସେ କହିଛନ୍ତି ଯେ,ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ମାର୍ଜିନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସୁଛନ୍ତି। ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ। ସେହି ଭଳି ଲୋକସଭାରେ ମଧ୍ୟ ଗତ ଥର ଠାରୁ ଭଲ ପ୍ରଦର୍ଶନ କରିବ ଦଳ। ସେଥି ପାଇଁ ଲୋକଙ୍କ ଠାରୁ ଦୁଇଟି ଆଶୀର୍ବାଦ ଦରକାର। ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ। ପ୍ରାର୍ଥୀକୁ ଦେଖିବେ ନାହିଁ ବରଂ ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନକୁ ଦେଖିବେ। କାରଣ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନ ହିଁ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି। ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ‌ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ସଶକ୍ତ ଓ ନବୀନ ଓଡ଼ିଶା ଗଠନରେ ଶ୍ରମିକ ମାନଙ୍କର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସବୁ ବିକାଶ କାମ ପଛରେ ଶ୍ରମିକଙ୍କ ହାତ ରହିଛି। ସେଥି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଶ୍ରମିକ ମାନଙ୍କୁ ପ୍ରାଥମିକତା ଓ ସମ୍ମାନ ଦେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ଗୋଟେ ସମୟରେ ୧୧ ଟଙ୍କାରୁ ୨୫ ଟଙ୍କାକୁ‌ ଦୈନିକ ମଜୁରୀ ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ। ‌ଏବେ ମଧ୍ୟ ନବୀନ ପଟ୍ଟନାୟକ ସର୍ବାଧିକ ୧୦୦ ଟଙ୍କା ମଜୁରୀ ବୃଦ୍ଧି କରି ରେକର୍ଡ କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗ ୧୦୦ ଟଙ୍କା ମଜୁରୀ ବୃଦ୍ଧି ସପକ୍ଷରେ ନ ଥିଲେ। କାରଣ ୧୦୦ ଟଙ୍କା ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫ ରୁ ୬ ହଜାର କୋଟି ଟଙ୍କାର ଅଧିକ ବୋଝ ପଡ଼ିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତିଥିଲା ଯେଉଁ ଶ୍ରମିକ ମାନେ ରାଜ୍ୟ ବିକାଶର ମୁଖ୍ୟ ବିନ୍ଧାଣୀ ସେମାନଙ୍କ ପାଇଁ ୫/୬ ହଜାର କୋଟିର ବୋଝ ନେବାକୁ ସରକାର ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ୩୫୦ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆହୁରି ବହୁତ କିଛି କରିବାକୁ ବାକି ଅଛି। ଏଥର ସରକାରକୁ ଆସିଲେ ସେ ସବୁ ପୂରଣ କରାଯିବ।(ଅଜିତ୍ ଦାଶଙ୍କ ରିପୋର୍ଟ)