November 23, 2024

ଛତ୍ରପୁରରେ ଶକ୍ତି ପ୍ରଦର୍ଶନ କଲା ବିଜୁ ଜନତା ଦଳ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ଓ ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସଙ୍କୁ ବିପୁଳ ସମ୍ବର୍ଦ୍ଧନା…

Share


ଛତ୍ରପୁର,୭/୪ : ରବିବାର ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିଛି । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭ୍ରୃଗୁ ବକ୍ସିପାତ୍ରଙ୍କୁ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ଶହ ଶହ ମହିଳା ଓ ପୁରୁଷ କର୍ମୀଙ୍କ ଗ୍ରହଣରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଥମେ ସାଂସଦ ପ୍ରାର୍ଥୀ ଶ୍ରୀ ବକ୍ସିପାତ୍ରଙ୍କୁ ରମ୍ଭା, ହୁମ୍ମା ଓ ଗଞ୍ଜାମ ପରେ ଛତ୍ରପୁର କଲେଜ ଛକ ଠାରୁ ଶହ ଶହ ବାଇକ୍ ଏବଂ ଚାରିଚକିଆ ଗାଡିର ଶୋଭାଯାତ୍ରା ମାଧ୍ୟମରେ ପାଛୋଟି ଆଣାଯାଇଥିଲା । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସମଗ୍ର ଛତ୍ରପୁର ସହର ପରିକ୍ରମା କରି ପୁତିଗୋପାଳପୁର ସ୍ଥିତ ଦଳୀୟ ପାର୍ଟି କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଦଳୀୟ ପାର୍ଟି କାର୍ଯ୍ୟାଳୟକୁ ସାଂସଦ ପ୍ରାର୍ଥୀ ଓ ବିଧାୟକ ଶ୍ରୀ ବେହେରା ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ପରେ ଛତ୍ରପୁର ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ନାରାୟଣ ପ୍ରସାଦ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ଶ୍ରୀ ବକ୍ସିପାତ୍ର ଯୋଗଦେଇ କହିଛନ୍ତି ଯେ, ଅନ୍ୟ ଦଳ ଓ ବିଜୁ ଜନତା ଦଳ ମଧ୍ୟରେ କ’ଣ ଫରକ ଆଜି ମୁଁ ଜାଣିପାରିଛି । ଅନ୍ୟଦଳର କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଦେଖିପାରୁନଥିବା ବେଳେ ଏବଂ ବିଜୁ ଜନତା ଦଳରେ ଏତେ ସଂଖ୍ୟାରେ ମହିଳା କର୍ମୀଙ୍କୁ ଦେଖି ମୁଁ ବେଶ୍ ଆନନ୍ଦିତ । ମହିଳାମାନଙ୍କ ଆଶୀର୍ବାଦ ଏହି ବିଜୁ ଜନତା ଦଳର ସରକାରଙ୍କ ପାଇଁ ସବୁଠୁ ବଳିଷ୍ଠ । ଏହି ଆଶୀର୍ବାଦକୁ ନେଇ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ହେବାକୁ ଯାଉଛନ୍ତି । ଓଡିଶାକୁ ବିକଶିତ ରାଜ୍ୟ କରିବା ପାଇଁ ବିଜୁ ଜନତା ଦଳ ପ୍ରୟାସ ଆରମ୍ଭ କରିଛି । ବିକାଶର ପ୍ରତିକ ଭାବେ ନବୀନବାବୁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି । ତାଙ୍କରି ହାତ ମୁଠାକୁ ଟାଣ କରିବା ପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସାଂସଦ ପ୍ରାର୍ଥୀ ଶ୍ରୀ ବକ୍ସିପାତ୍ର ଅନୁରୋଧ କରିଛନ୍ତି । ସେହିପରି ବିଧାୟକ ପ୍ରାର୍ଥୀ ତଥା ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଙ୍କରି ଅଭି ଭାଷଣରେ ସାଂସଦ ପ୍ରାର୍ଥୀଙ୍କୁ ସ୍ୱାଗତ କରିବା ସହିତ ବିଗତ ୫ ବର୍ଷ ଧରି ଛତ୍ରପୁର ନିର୍ବାଚନମଣ୍ଡଳୀର ସେବା କରି ଆସୁଥିବା ବେଳେ ପୁଣି ଥରେ ସେବା କରିବା ପାଇଁ ସୁଯୋଗ ମିଳିଛି । ଏହି ୫ ବର୍ଷ ମଧ୍ୟରେ ତାଙ୍କୁ ଦୁର୍ନୀତି ଛୁଇଁ ପାରିନାହିଁ କି ଦୁର୍ନୀତି ଆଡକୁ ଚାହିଁ ନାହିଁ । ଏହାସିହତ କୌଣସି ବ୍ୟ୍‌କ୍ତି ବିଶେଷଙ୍କ ଦ୍ୱାରା ପରିଚାଳିତ ମଧ୍ୟ ନ ହୋଇ ନିଜେ ହିଁ ସମସ୍ତ କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ଶୃଙ୍ଖଳିତ ସଦସ୍ୟ ଭାବେ ସୂଚାରୁରୂପେ ତୁଲାଇ ଆସୁଛି । ଛତ୍ରପୁର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସେବା କରିବା ପାଇଁ ପୁଣିଥରେ ନବୀନ ବାବୁ ସୁଯୋଗ ଦେଇଥିବାରୁ ଆପଣଙ୍କ ଆଶୀର୍ବାଦକୁ କାମନା କରୁଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷ ଜି.ପାପା ରାଓ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଜିଲ୍ଲା ପରିଷଦ ସଭ୍ୟ ଏମ୍‌.ଧନଞ୍ଜୟ ରେଡ୍ଡୀ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ବିମଳ କୁମାର ପଣ୍ଡା, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି କାଳିଆ ନାହାକ, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌.ଚକ୍ରପାଣି ରେଡ୍ଡୀ, ଯୁବ ବିଜେଡି ଗଞ୍ଜାମ ନଗର ସଭାପତି ସୁଧିର କୁମାର ପାଢୀ, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନଙ୍କ ସମେତ ବିଜୁ ଜନତା ଦଳର ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ନେତା, ଜନ ପ୍ରତିନିଧି ଓ କର୍ମୀ ମାନେ ଉପସ୍ଥିତ ଥିଲେ । ପୌରପରିଷଦର ଉପାଧ୍ୟକ୍ଷ ଜି.ପାପା ରାଓ ଧନ୍ୟବାଦ ଦେଇ ଓଡିଶାକୁ ବିକଶିତ ରାଜ୍ୟ ଓ ଛତ୍ରପୁରକୁ ବିକଶିତ ଅଞ୍ଚଳ କରିବାକୁ ହେଲେ ଶଙ୍ଖ ଯୋଡିକୁ ଭୋଟ ଦେବାକୁ ଅନୁରୋଧ କରିଥିଲେ ।(ଅରୁଣ କୁମାର ପଣ୍ଡା )