March 11, 2026

ମହିଳା ଦିବସରେ ଚିରନିଦ୍ରାରେ ମହିୟସୀ ମହିଳା ଡାକ୍ତର ନାରାୟଣୀ ପଣ୍ଡା 

IMG-20260308-WA0050
Share

 

 

ସମ୍ବଲପୁର, ୦୮. ୦୩(ରାଜାରାମ ଷଡ଼ଙ୍ଗୀ):ଆନ୍ତର୍ଜାତୀୟ ମହିଳା ଦିବସରେ ଚିର ନିଦ୍ରାରେ ଶୋଇପଡିଲେ ସମ୍ବଲପୁର ସହରର ଦେବୀ ସ୍ୱରୂପା ସବୁ ହୃଦୟର ମହିୟସୀ ମହିଳା ଡାକ୍ତର ନାରାୟଣୀ ପଣ୍ଡା।ସମ୍ବଲପୁରର ଜଣେ ପ୍ରସିଦ୍ଧ ଅବସରପ୍ରାପ୍ତ ସ୍ତ୍ରୀରୋଗ ବିଶେଷଜ୍ଞ ଓ ସମାଜସେବୀ ଭାବେ ସେ କେବଳ ଘରେ ଘରେ ପରିଚିତ ନଥିଲେ ବରଂ ତାଙ୍କର ତ୍ୟାଗ, ନିଷ୍ଠା ଓ ସେବା ତାଙ୍କୁ ଶୀର୍ଷ ସୋପାନରେ ପହଞ୍ଚାଇ ସମଗ୍ର ଓଡିଶା ପାଇଁ ଏକ ପ୍ରାଣବନ୍ତ ପ୍ରତିମା ହୋଇ ସାରା ହୃଦୟରେ ଛାଇ ହୋଇ ରହିଯାଇଛନ୍ତି।ଆଜି ସକାଳ ୧୦ଟା ୨୦ ମିନିଟରେ ସେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚିରନିଦ୍ରାରେ ସବୁଦିନ ପାଇଁ ଶୋଇପଡିଛନ୍ତି।

 

ସ୍ୱାସ୍ଥ୍ୟ ସେବା,ଶିକ୍ଷା ଓ ସମାଜସେବା ପାଇଁ ତାଙ୍କର ଉଦାର ଦାନଶୀଳତା ମନୋଭାବ ସମସ୍ତଙ୍କ ମନରେ ଗଭୀର ସମ୍ମାନ ଛାଡ଼ିଦେଇଛନ୍ତି।

 

ସମ୍ବଲପୁର ସହରର ୮୦/୪, ଭୂତାପଡ଼ା, ଘର ନଂ–୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରି ସମଗ୍ର ଜନତାଙ୍କୁ ଶୋକ ସାଗରରେ ଭସାଇଦେଇଛନ୍ତି। ଅବସରପ୍ରାପ୍ତ ସ୍ତ୍ରୀରୋଗ ବିଶେଷଜ୍ଞ ଭାବେ ସେ ସମଗ୍ର ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ।ଅବସର ପରେ ସମାଜସେବା ଓ ଦାନଶୀଳତା ତାଙ୍କୁ ଅମର କରି ରଖିବ।୨୦୨୧ ମସିହାରେ ଗଙ୍ଗାଧର ମେହେର ୟୁନିଭେର୍ସିଟି କୁ ଛାତ୍ରଛାତ୍ରୀଙ୍କ କଳ୍ୟାଣ ପାଇଁ ୩୦ ଲକ୍ଷ ଟଙ୍କା ଦାନ କରିଥିଲେ।ସେହିପରି ୨୦୨୩ ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ କୁ ୧୫ ଲକ୍ଷ ଟଙ୍କା ଦାନ କରିଥିଲେ।ଏହାସହିତ ଲେଡି ଲୁଇଜ ବାଳିକା ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ଶିକ୍ଷାର ଉନ୍ନତି ପାଇଁ ଆର୍ଥିକ ସହଯୋଗ କରିଛନ୍ତି।ଏପରିକି ନିଜର ବାସଗୃହକୁ ନିଜ ଅନ୍ତେ ମହିଳା ମହାବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ନିଜର ସ୍ବୀକାରୋକ୍ତି ପ୍ରଦାନ କରି ମହାବିଦ୍ୟାଳୟ କର୍ତ୍ତ୍ତୃପକ୍ଷଙ୍କ ସହିତ ଚୁକ୍ତିନାମା କରି ଦାନବୀର ଭାବେ ନିଜର ପ୍ରତିଛବି ଛାଡିଦେଇଯାଇଛନ୍ତି।

ଡା. ନାରାୟଣୀ ପଣ୍ଡା ଓଡ଼ିଶା ସରକାରଙ୍କ ଶିକ୍ଷାମୂଳକ ପ୍ରୟାସ ଯଥା ମୋ କଲେଜ କ୍ୟାମ୍ପଇନ ଓ ମୋ ସ୍କୁଲ ଅଭିଯାନକୁ ସମର୍ଥନ କରି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଦାନ ଦେଇ ଶିକ୍ଷାର ଗୁଣାତ୍ମକ ଦିଗ ଉପରେ ନିଜର ଦାୟିତ୍ୱକୁ ନ୍ୟସ୍ତ କରିଯାଇଛନ୍ତି।

ଦଶକ ଧରି ଚିକିତ୍ସା ସେବା ଓ ଉଦାର ସମାଜସେବା ମାଧ୍ୟମରେ ସେ ସମ୍ବଲପୁର ଅଞ୍ଚଳରେ ଜଣେ ସମ୍ମାନିତ ଡାକ୍ତର ଓ ଦାନଶୀଳ ବ୍ୟକ୍ତିତ୍ୱ ଭାବେ କେବଳ ପରିଚିତ ନଥିଲେ ବରଂ ସେ ଅନେକଙ୍କ ହୃଦୟ ଦେବତା ପ୍ରାଣବନ୍ତ ପ୍ରତିମା ଭାବରେ ନିଜର ପ୍ରତିଛବି ତୋଳିଯାଇଛନ୍ତି। ସମାଜ ଖବର କାଗଜର ବରିଷ୍ଠ ସାମ୍ବାଦିକ ସ୍ବର୍ଗବାସୀ ପ୍ରଶାନ୍ତ ମହାନ୍ତିଙ୍କ ସେ ଥିଲେ ଧର୍ମପତ୍ନୀ। ସେ ନିଃସନ୍ତାନ ହେଲେ ମଧ୍ୟ କୋଣ ଅନୁକୋଣର ଜନତା ତାଙ୍କୁ ଜଣେ ପୂଜ୍ୟ ମା ହିସାବରେ ପୂଜା କରୁଥିଲେ। ସେ ଜିଲ୍ଲା ରେଡ଼କ୍ରସ ସହିତ ବହୁ ସାମାଜିକ ଅନୁଷ୍ଠାନ ସହିତ ଜୀବନର ଶେଷ ପର୍ଯ୍ୟନ୍ତ ଯୋଡି ହୋଇଥିଲେ। ତାଙ୍କର ତ୍ୟାଗ ଓ ନିଷ୍ଠା ପାଇଁ ବହୁ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିବା ବେଳେ ସକାଳ ପାହିଲେ ସମ୍ବାଦ ଜାଗର ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥାନ୍ତେ। ତାହାକୁ ଅପେକ୍ଷା ନକରି ଆନ୍ତର୍ଜାତୀୟ ମହିଳା ଦିବସ ଭଳି ଏକ ଅବିସ୍ମରଣୀୟ ଦିନରେ ସମସ୍ତଙ୍କୁ ଛାଡି ସେ ଚିର ନିଦ୍ରାରେ ଶୋଇପଡିଲେ। ତାଙ୍କର ବାର୍ଦ୍ଧକ୍ୟ ଜନିତ ପରଲୋକ ହୋଇଥିବା ବେଳେ ତାଙ୍କ ପରଲୋକରେ ସମ୍ବଲପୁର କାହିଁକି ସମଗ୍ର ପଶ୍ଚିମାଞ୍ଚଲରେ ଶୋକର ଛାୟା ଖେଳି ଯାଇଛି।ସେବା, ମହିଳା ସଶକ୍ତିକରଣ ଓ ଦାନ ପୁଣ୍ୟ ଭଳି ତାଙ୍କର ତ୍ୟାଗମୟ ଜୀବନ ତାଙ୍କୁ ଅମର କରି ରଖିବ।