July 26, 2026

ବହୁ ଧୁମଧାମରେ ସରିଲା ପାରମ୍ପରିକ ପରବ ପୁଷପୁନି ଭେଟଘାଟ 

IMG-20260108-WA0110
Share

 

ତା,୮/୧: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସ୍ଥାନୀୟ ସାଗରଗୁଡ଼ା ସହିଦ୍ ଲକ୍ଷ୍ମଣ ନାୟକ ପଡ଼ିଆ ଠାରେ ଦୁଇଦିନ ଧରି ଚାଲିଥିବା ପୁଷପୁନି ଭେଟଘାଟ ଉଦଯାପିତ ହୋଇଛି l ସଭାପତି ଭଜମନ ସାନ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ଯୋଗଦେଇ ସମୟ ବଦଳିବା ସଙ୍ଗେ ସଙ୍ଗେ ଆଜିର ଯୁବପିଢ଼ି ବଦଳି ଯାଇଛନ୍ତି ନିଜ ସଂସ୍କୃତି, ପରମ୍ପରା ସହ ଦୂରେଇ ଯାଉଛନ୍ତି l ବ୍ଲକର ବିଭିନ୍ନ କୋଣ ଅନୁକୋଣରେ ରହିଥିବା ବିଭିନ୍ନ ସମ୍ପ୍ରଦାୟର ନାଚଗୀତ,ପାରମ୍ପରିକ ଖାଦ୍ୟ,ବେଶଭୂଷା,ପୂଜାପାଠ,ରୀତିନୀତିକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଯାଉଛି l ଏହା ଦ୍ଵାରା ବ୍ଲକ ଅଞ୍ଚଳରେ ଲୁଚି ଯାଉଥିବା ବିଭିନ୍ନ ନାଚ,ଗୀତ ଏଠାରେ ପ୍ରଦର୍ଶନ ହେଉଛି ଏହା ଦ୍ଵାରା ଆଜିର ଯୁବ ପିଢ଼ି ନିଜ କଳା ସଂସ୍କୃତି ବିଷୟରେ ଅବଗତ ହୋଇ ପାରୁଛନ୍ତି l ଏହାକୁ ଆଗାମୀ ଦିନରେ ବଞ୍ଚାଇ ରଖିବା ସହ ଅଧିକରୁ ଅଧିକ ଉନ୍ନତି କରିବା l ଏହି ଏକମାତ୍ର ମଞ୍ଚ ବର୍ଷକୁ ଥରେଶିରା,ଗୁରୁମାଇ,ଲାଠି,କୁରୁଚି,କଣ୍ଟା ଦୋଳିରେ ଝୁଲିବା,କଣ୍ଟା କଠୋଉରେ ଚାଲିବା,ନିଆଁରେ ଚାଲିବା ଆଦି କଳା ପ୍ରଦର୍ଶନ ହୋଇ ଆସୁଛି l ଏହା ଦ୍ଵାରା କଳାକାର ପ୍ରଦର୍ଶନ ପାଇଁ ସୁଯୋଗ ପାଉଛନ୍ତି ଏବଂ ଲୁଚି ଯାଉଥିବା କଳା ଲୋକଲୋଚନକୁ ଆସି ପାରୁଛି ଏଣୁ ମୂଳ ଅଧିବାସୀ ସଂଘର ଏହି ପୁଷପୁନି ଭେଟଘାଟ ଉତ୍ସବ ବହୁ ପ୍ରସଂଶନୀୟ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ଆଜିକୁ ପ୍ରାୟ ୩୦ ବର୍ଷଧରି ପାଳନ ହୋଇ ଆସୁଛି ଏହି ପରବ l ମୁଖ୍ୟତଃ ଏଠାରେ ସମସ୍ତ ମୂଳ ଅଧିବାସୀ ସମାଜରରେ ରହିଥିବା ପୂଜାପାଠ,ପାରମ୍ପରିକ ରୀତିନୀତି,ନୃତ୍ୟ,ସଙ୍ଗୀତ,ବାଦ୍ୟ ଓ କଳାକୁ ବଞ୍ଚାଇ ରଖିବା ହେଉଛି ପୁଷପୁନି ଭେଟଘାଟର ମୂଳ ଲକ୍ଷ l ଆଜିର ଉଦଯାପନୀ ଉତ୍ସବରେ ବିଭିନ୍ନ ପାରମ୍ପରିକ ନୃତ୍ୟ ପୁଷନାଟ,ଦୁରୁଆ ନୃତ୍ୟ,ମୁଜୁରାମାଝୀ,ରିଁଯୋଡ଼ି,ଢେମସା,ଗରଣ୍ଡୀ,ଦଣ୍ଡାହଳିଆ, କୁକୁଡ଼ା ନାଚ,ରାମ ଜନମ, ସାଇଲଡି,ପାନିଆ ଝୁନିଆ,ଘୁମୁରା ପାଲା,ଗାଈ ଗଉଡ ନାଚ,ଟୁଡୁରା ନାଚ,ଚଇତ ପରବ ଗୀତ,ଗୀତମରା,ବଂଶୀ ବାଦନ ଆଦି ପରିବେଷଣ କରାଯାଇଥିଲା l ବିଧାୟକ ଶ୍ରୀ ଭତରା ପରବ କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ କୁନ୍ଦୁରା ମାଟି ପୂର୍ବ ପରମ୍ପରାକୁ ବଞ୍ଚାଇ ରଖିଛି ଏହା କୁନ୍ଦୁରା ମାଟିର ଗର୍ବ l ଏଠାର କଳା,ସଂସ୍କୃତି ରାଜଧାନୀ ଭୁବନେଶ୍ଵର ଓ ଦିଲ୍ଲୀ ଦରବାରରେ ପ୍ରଦର୍ଶନ କରୁ l ମାଟ୍ରିକ ଟପର ସୁଶ୍ରୀ ଚୌଧୁରଙ୍କୁ ଉତ୍ତରରେ କାମନା କରି ଉଚ୍ଚ ଶିକ୍ଷା ପାଇଁ ବ୍ୟକ୍ତିଗତ ଭାବେ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ବିଭିନ୍ନ ଗାଁ ଅଞ୍ଚଳରୁ ଆସିଥିବା ଶିରା,ଗୁରୁମାଇ ମଞ୍ଚରେ ସେ ମାନଙ୍କ କଳା ପ୍ରଦର୍ଶନ କରିଥିଲେ l ତାଙ୍କ କଳା ସମସ୍ତ କଳାକାର,ଶିରା, ଗୁରୁମାଇ ମହୁରିଆ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ଵାରା ବିଭିନ୍ନ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା l ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ସାହୁ,ରେଡିଓ ଷ୍ଟେସନରୁ ସଙ୍ଗୀତ ଆରମ୍ବ କରି ଆଜିସୁଦ୍ଧା ଚାରି ହଜାରରୁ ଉର୍ଦ୍ଧ୍ଵ ଦେଶିଆ ସଙ୍ଗୀତ ଗାଇଥିବା ଦେଶିଆ ସଙ୍ଗୀତ କଣ୍ଠଶିଳ୍ପୀ ଶୁକଦେବ ବାରିକ,ଚେରୀମୁଳି ବୈଦ୍ଯ ଜୟ ସାନ୍ତା ଏବଂ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର ଲିମା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ନେହାସ୍ମିତା ଚୌଧୁରୀଙ୍କୁ ପୁଷ୍ପମାଲ୍ଯ,ଉପଢୌକନ ଓ ମାନପତ୍ର ଦେଇ ପୁଷପୁନି ଭେଟଘାଟ ସମ୍ନାନରେ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ କୋଟପାଡ଼ ବିଧାୟକ ରୂପୁ ଭତ୍ରା, ବ୍ଲକ ଅଧ୍ୟାକ୍ଷ ବନିତା କାନ୍ଦଲିଆ,ଜିଲ୍ଲା ପରିଷଦ ସଭ୍ୟା କନକଲତା ପେଣ୍ଠିଆ,ସାଂସଦ ପ୍ରତିନିଧି ଅମ୍ବୁ ପାତ୍ର,ବିଧାୟକ ପ୍ରତିନିଧି ବଦ୍ରିନାରାୟଣ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ,ବିଧାୟକ ପ୍ରାର୍ଥୀ ଅନାମ ଦିଆନ୍,ସାଥି ସଙ୍ଗଠନ ସଭାପତି ଚନ୍ଦ୍ର ଶେଖର ରଥ, ବୁଦ୍ଧିଜୀବୀ ରାଧାନାଥ ଭଟ୍ଟ,ସଂଘ ସଭାପତି ତଥା ଲ୍ୟାମ୍ପ ଅଧ୍ୟକ୍ଷା ସୁଭଦ୍ରା ଭୂମିଆ,ବରିଷ୍ଠ ଉପଦେଷ୍ଟା ଚନ୍ଦ୍ର ସଗରିଆ, ସମ୍ପାଦକ ତ୍ରିନାଥ ସମରଥ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ କୋଟପାଡ ମନୋହର ବିଶୋୟୀ,ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ବ୍ଲକ କଂଗ୍ରେସ ସଭାପତି ଗୋକୁଳ ଚନ୍ଦ୍ର ପଟ୍ଟନାୟକ,କୁନ୍ଦୁରା ମଣ୍ଡଳ ସଭାପତି ପଦ୍ମନ ବିଷୋୟୀ,ଦିଗାପୁର ମଣ୍ଡଳ ସଭାପତି ଧନପତି ପରଜା,ସମସ୍ତ ରାଜନୈତିକ ଦଳର ନେତା,ବୁଦ୍ଧିଜୀବୀ, ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଞ୍ଚାସୀନ ଥିଲେ l ମୁଖ୍ୟ ଆକର୍ଷଣ ଥିଲା ବିଶିଷ୍ଟ ଦେଶୀଆ କଳାକାର ଶୁକଦେବ ବାରିକଙ୍କ ଅର୍କେଷ୍ଟା୍ ଗ୍ରୁପର କଳାକାର ମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା ବିଭିନ୍ନ ଦେଶିଆ ସଙ୍ଗୀତ l ଏହା ଦର୍ଶକଙ୍କୁ ବେଶ ମାନରଞ୍ଜନ କରିଥିଲା l ଥାନା ଅଧିକାରୀ ଅଶ୍ୱନୀ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ପୁଲିସ୍ ଟିମ୍ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l ଥାନା ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ସଂଘର ପରାମର୍ଶଦାତା ତ୍ରିନାଥ ହରିଜନ ମଞ୍ଚ ପରିଚାଳନା କରିଥିଲେ l ଦୁଇ ଦିନର କାର୍ଯ୍ୟକ୍ରମ ପରିଚାଳନା ପାଇଁ ସଂଘର କର୍ମକର୍ତ୍ତା,ଜନପ୍ରତିନିଧି,ରାଜନୈତିକ ଦଳର ମୁଖ୍ୟ ଓ ସାମାଜ ସେବୀଙ୍କୁ ନେଇ ସ୍ଵତନ୍ତ୍ର କମିଟି ମାନ ଗଠନ କରାଯାଇଥିଲା l ସମସ୍ତ କମିଟି ସଦସ୍ୟ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ l ଶାନ୍ତି ଶୃଂଖଳା ର ସହ ସମାପନ ହୋଇଛି ପରବ l ସମ୍ପାଦକ ଶ୍ରୀ ସମରଥ ଧନ୍ୟବାଦ ଅର୍ପଣ କରିଥିଲେ l

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା

You may have missed