ଅନ୍ତର୍ଜାତୀୟ ତାଇକୋଣ୍ଡୋ ମଞ୍ଚରେ ଚମକିଲେ ଅନ୍ୱେଷା, ଜିତିଲେ ବ୍ରୋଞ୍ଜ ପଦକ
ବରଗଡ,ତା ୭/୧୧(ସୁରେନ୍ଦ୍ର କଠାର)
:ଅନ୍ତର୍ଜାତୀୟ ସ୍ତରରେ ତାଇକୋଣ୍ଡୋ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସୋହେଲା ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି ତାମ୍ବିମୁଣ୍ଡା ଗ୍ରାମର ଛାତ୍ରୀ ଅନ୍ୱେଷା ଗଡ଼ତିଆ। ନେପାଳର ଚିତୱାନଠାରେ ଅକ୍ଟୋବର ୩୦ରୁ ନଭେମ୍ବର ୧, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରଥମ ସୌରାହା ଓପନ୍ ଅନ୍ତର୍ଜାତୀୟ ତାଇକୋଣ୍ଡୋ ଚାମ୍ପିୟନସିପ୍ରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି।
ଅନ୍ୱେଷା ବରଗଡ଼ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ। ସେ ସୋହେଲା ବ୍ଲକ୍ ତାମ୍ବିମୁଣ୍ଡା ଗ୍ରାମର ପ୍ରଭାକର ଗଡ଼ତିଆ ଓ ସଞ୍ଜୁକ୍ତା ଗଡ଼ତିଆଙ୍କ କନ୍ୟା। ନେପାଳରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶର ପ୍ରତିଯୋଗୀଙ୍କ ସହ ମୁକାବିଲା କରି ଅନ୍ୱେଷା ନିଜର ଦକ୍ଷତା ଓ କ୍ରୀଡ଼ା ନୈପୁଣ୍ୟର ପରିଚୟ ଦେଇ ଏହି ସଫଳତା ହାସଲ କରିଛନ୍ତି।
ପାଠପଢ଼ା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଇ ଅନ୍ୱେଷା ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା ପଛରେ ନିୟମିତ ଅଭ୍ୟାସ, ଶୃଙ୍ଖଳା, କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ରହିଛି। ଏହି ଉପଲବ୍ଧି ପାଇଁ ପରିବାର, ଶିକ୍ଷକ, ଶୁଭେଚ୍ଛୁ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ଅନ୍ୱେଷାଙ୍କ ଏହି ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀ ଓ ଉଦୀୟମାନ କ୍ରୀଡ଼ାବିତ୍ଙ୍କ ପାଇଁ ପ୍ରେରଣାଦାୟକ ହୋଇଛି।
